କୋର୍ଟଙ୍କ କ୍ଲିନଚିଟ୍ ପରେ ମିଳୁନି ନ୍ୟାୟ । ପୁଅ-ସ୍ତ୍ରୀ ସହ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନଶନରେ ବସିଲେ ଶିକ୍ଷକ ମନୋଜ ସେଠୀ ।

ବିଭାଗୀୟ ଅଧିକାରୀଙ୍କ ଲାଞ୍ଚଖୋର ମନବୃତ୍ତି ଯୋଗୁଁ ୮ ବର୍ଷ ହେଲା ବର୍ଦ୍ଧିତ ଦରମା ମିଳୁନଥିବା ଅଭିଯୋଗ ।

148

କନକ ବ୍ୟୁରୋ: ଦୀର୍ଘ ୮ ବର୍ଷ ହେବ ନ୍ୟାୟ ପାଇଁ ଗୁହାରି କଲେ ହେଲେ କିଛି ଫଳ ମିଳିଲା ନାହିଁ । ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପରିବାର ସହ ଅନଶନରେ ବସିବାକୁ ବାଧ୍ୟ ହୋଇଛନ୍ତି ଶିକ୍ଷକ ମନୋଜ କୁମାର ସେଠୀ ଓ ତାଙ୍କ ପରିବାର । ଆଉ ସେ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ତାହା ପୂରା ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଟଙ୍କା ନଦେଲେ ଫାଇଲ୍ ଘୁଞ୍ଚୁନାହିଁ । ଏଥିପାଇଁ ସେ ସିଧାସଳଖ ତତକାଳୀନ ଡିପିସି ସପନ କୁମାର ଜେନାଙ୍କ ନାମରେ ୫୦ ହଜାର ଲାଞ୍ଚ ମାଗୁଥିବାର ଅଭିଯୋଗ ଆଣିଛନ୍ତି । ତେବେ ଜଗତସିଂହପୁର ରଘୁନାଥପୁର ବ୍ଲକ୍ ବିଦ୍ୟାଧରପୁରର ମନୋଜ ୨୦୦୫ରୁ ଶିକ୍ଷା ସହାୟକ ଭାବେ ତିର୍ତ୍ତୋଲ ବ୍ଲକ୍ ରସଲପୁର ଗାଁର ଅବଦୁଲ୍ ରହିମ୍ ନୋଡାଲ ୟୁପି ସ୍କୁଲରେ ଶିକ୍ଷାଦାନ କରିଆସୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ରୋଷର ଶିକାର ହୋଇ ଏବେ ସେ ଦୁର୍ଦ୍ଦିନରେ କାଳ କାଟୁଛନ୍ତି ।

ନଜର ପକାନ୍ତୁ ମନୋଜ କରିଥିବା ଅଭିଯୋଗ ଉପରେ । ଚାକିରି କାଳରେ ତାଙ୍କୁ ମିଳିଛି କ’ଣ? ତାଙ୍କ ସହ ଘଟିଛି କ’ଣ? କାହିଁକି ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଫିସର ଆଗରେ ଅନଶନ କରିଛନ୍ତି ଜଣେ ଶିକ୍ଷକ । ଅଭିଯୋଗ ଅନୁସାରେ…

  • ୨୦୦୯-୧୦ରେ ବଦୁଲ୍ ରହିମ୍ ନୋଡାଲ ୟୁପି ସ୍କୁଲର ୨ଟି କୋଠା ନିର୍ମାଣ ପାଇଁ କାମ ଆସିଥିଲା
  • ତତକାଳୀନ ପ୍ରଧାନ ଶିକ୍ଷକଙ୍କ ବଦଳି ପରେ ମନୋଜଙ୍କ ତତ୍ତ୍ୱାବଧାନରେ ୨୦୧୩ରେ ୮ ଲକ୍ଷ ୨୦ ହଜାର ଟଙ୍କାର କୋଠା ନିର୍ମାଣ ହେଲା
  • କାମ ପାଇଁ ସର୍ବଶିକ୍ଷା ଅଭିଯାନ ଜେଇ ପିସି ମାଗିଲେ, ଦୁଇଟି କିସ୍ତିରେ ୬୦ ହଜାର ଟଙ୍କା ନେବା ପରେ ଆଉ ୫୦ ହଜାର ଟଙ୍କା ମାଗୁଥିଲେ
  • ୫୦ ହଜାର ଟଙ୍କା ନଦେବାରୁ ମନୋଜଙ୍କ ନାଁରେ ସରକାରୀ ଅର୍ଥ ଆତ୍ମସାତ୍ ଭଳି ସଂଗୀନ ଅଭିଯୋଗ ହେଲା
  • ତିର୍ତ୍ତୋଲ ପୁଲିସ ମନୋଜଙ୍କୁ ଗିରଫ କରି ଜେଲ ପଠାଇ ଦେଲା
  • ୨୦୧୫, ଏପ୍ରିଲ ୪ରେ ଜଗତସିଂହପୁର ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରୁ କ୍ଲିନଚିଟ୍ ମିଳିବା ସହ ନିର୍ଦ୍ଦୋଶରେ ମୁକୁଳିଲେ ମନୋଜ
  • ୨୦୧୫, ଡିସେମ୍ବର ୨୫ରେ ପୁନର୍ବାର ଚାକିରିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଲେ ତତକାଳୀନ ଜିଲ୍ଲାପାଳ
  • ସେତେବେଳେ ଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା, କି ହାଇକୋର୍ଟ ଯାଇ ନଥିଲା ବିଭାଗ

ମନୋଜଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଲେ ବି ସ୍ଥାୟୀ ନିଯୁକ୍ତି ପରେ ବି ବର୍ଦ୍ଧିତ ଦରମା ମିଳୁନାହିଁ । ଆର୍ଥିକ ଅନଟନ ଭିତରେ ଦିନ କାଟୁଛନ୍ତି ଶିକ୍ଷକଙ୍କ ପରିବାର । ଚିକିତ୍ସା ଅଭାବରୁ କ୍ୟାନସର ପୀଡିତ ମାଆଙ୍କର ମୃତ୍ୟୁ ହୋଇଥିବା ବେଳେ କିଡନୀ ରୋଗରେ ପୀଡିତ ବାପାଙ୍କ ଚିକିତ୍ସା କରାଇ ପାରୁନାହାନ୍ତି ମନୋଜ । ଚାକିରି ସମସ୍ୟାକୁ ନେଇ ୨୦୧୯ରେ, ଜିଲ୍ଲାପାଳଙ୍କୁ ଭେଟିଥିଲେ ମନୋଜ । ଜିଲ୍ଲାପାଳ ସଂଗ୍ରାମ ଷଡଙ୍ଗୀ, ତତକାଳୀନ ଡିପିସି ସପନ ଜେନାଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ । ନଭେମ୍ବର ମାସରେ ଡିପିସିଙ୍କୁ ଭେଟିଥିଲେ ମନୋଜ । ସେଠି ୫୦ ହଜାର ଟଙ୍କା ଲାଞ୍ଚ ଦେଲେ କାମ ହୋଇଯିବ ବୋଲି ଡିପିସି ସପନ କୁମାର ଜେନା ଚାପ ପକାଇଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ମନୋଜ ସେଠୀ ।

ମନୋଜ ଟଙ୍କା ନଦେବାରୁ ତାଙ୍କ ଫାଇଲ୍ ସେମିତି ଜିଲ୍ଲା ଶିକ୍ଷା ବିଭାଗ ଅଫିସରେ ପଡ଼ିରହିଛି । ଆଉ ଏ ସଂପର୍କରେ ତତକାଳୀନ ଡିପିସି ସପନ କୁମାରଙ୍କୁ ପଚରାଯିବାରୁ ସେ ଖାମଖିଆଲି ଢଙ୍ଗରେ ଫୋନ ଯୋଗେ ପ୍ରତିକ୍ରିୟା ରଖିଛନ୍ତି । ଜୁଲାଇ ୧୭ରେ ସର୍ବଶିକ୍ଷା ଅଭିଯାନ ଅଫିସ ଆଗରେ ଧାରଣାରେ ବସିଥିବା ମନୋଜ ସବୁଠାରୁ ନିରାଶ ହେବା ପରେ ସ୍ତ୍ରୀ ପିଲାଙ୍କୁ ଧରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନଶନ କରିଥିଲେ । ତେବେ ଏହାରି ଭିତରେ ଏଡିଓ ତାଙ୍କୁ ଦରମା ଦେବା ସହ ମେଡିକାଲ ପାଖରେ ଥିବା ସ୍କୁଲକୁ ବଦଳି କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।