ଦିଦିଙ୍କ ଦାବି ମାନିଲେ ସରକାର ! ଅଙ୍ଗନବାଡ଼ି କର୍ମୀଙ୍କ ଦରମା ୬ ହଜାରକୁ ବୃଦ୍ଧି

53

କନକ ବ୍ୟୁରୋ : ଦିଦିଙ୍କ ଦାବି ମାନିଲେ ସରକାର । ଦୀର୍ଘ ୩୬ ଦିନ ଧରି ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିଥିବା ଆଙ୍ଗନବାଡି ଦିଦିଙ୍କ ଦରମା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଆଙ୍ଗନବାଡି ଦିଦିଙ୍କ ଦରମା ୬ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ମିନି ଆଙ୍ଗନବାଡି ଦିଦିଙ୍କ ଦରମା ୪ହଜାର ୧୨୫ ଟଙ୍କା ଓ ଆଙ୍ଗନବାଡି ସହାୟିକାଙ୍କ ଦରମା ୩ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ଏଥିସହ ଦିଦିଙ୍କୁ ସ୍ୱାସ୍ଥ୍ୟବୀମା ଓ ଜୀବନ ବୀମା ପାଇଁ ସରକାର ବ୍ୟବସ୍ଥା କରିବେ । ଏ ବାବଦ ପ୍ରିମିୟମ ସରକାର ଭରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆଙ୍ଗନବାଡି ଦିଦିଙ୍କ ସଂଘ ଦୁଇଫାଳ । ଦରମାରେ ପ୍ରାୟ ୨ ହଜାର ଟଙ୍କା ବୃଦ୍ଧିକୁ ନେଇ ଗୋଟିଏ ଗୋଷ୍ଠୀ ସନ୍ତୁଷ୍ଟ ଥିବାବେଳେ ଅନ୍ୟଏକ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି । କୁହାଯାଉଛି ସରକାରଙ୍କ ଘୋଷଣା ପରେ ବିଜେଡି ସମର୍ଥୀତ ବିଜୁ ଶ୍ରମିକ ସାମୁଖ୍ୟର ଆନ୍ଦୋଳନରୁ ଓହରି ଯାଇଛି । ହେଲେ ବିଜେପି ସମର୍ଥୀତ ଭାରତୀୟ ମଜଦୁର ସଂଘ ଆନ୍ଦୋଳନରୁ ଓହରି ନାହିଁ । ଦିଦିଙ୍କ ଦରମା ୧୦ ହଜାର ନକରିବା ଯାଏଁ ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।