ହୋମଗାର୍ଡଙ୍କ ପାଇଁ ଖୁସି ଖବର । ବଢିଲା ଗୃହରକ୍ଷୀଙ୍କ ଦରମା । ଏଣିକି ଦୈନିକ ମିଳିବ ୫ ଶହ ଟଙ୍କା

Advertisment
ହୋମଗାର୍ଡଙ୍କ ପାଇଁ ଖୁସି ଖବର । ବଢିଲା ଗୃହରକ୍ଷୀଙ୍କ ଦରମା । ଏଣିକି ଦୈନିକ ମିଳିବ ୫ ଶହ ଟଙ୍କା

କନକ ବ୍ୟୁରୋ: ଗୃହରକ୍ଷୀଙ୍କ ପ୍ରାପ୍ୟ ବଢ଼ିବ। ସପ୍ତମ ବେତନ କମିସନଙ୍କ ସୁପାରିସ ଆଧାରରେ ତଥା ସୁପ୍ରିମକୋର୍ଟଙ୍କ ୨୦୧୫ର ନିର୍ଦ୍ଦେଶ ଅନୁଯାୟୀ ଗୃହରକ୍ଷୀଙ୍କୁ ପ୍ରାପ୍ୟ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୃହରକ୍ଷୀଙ୍କ ସଂଶୋଧିତ ପ୍ରାପ୍ୟ ନିର୍ଦ୍ଧାରଣ ପର୍ଯ୍ୟନ୍ତ ସେମାନଙ୍କୁ ଦୈନିକ ପାଞ୍ଚ ଶହ ଟଙ୍କା ଲେଖାଏ ପ୍ରଦାନ କରାଯିବ। ଚଳିତ ବର୍ଷ ଜାନୁଆରି ମାସରୁ ପିଛିଲା ଭାବେ ଏହି ପ୍ରାପ୍ୟ ଗୃହରକ୍ଷୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂଶୋଧିତ ପ୍ରାପ୍ୟ ପ୍ରଦାନ ପ୍ରସଂଗରେ ତିନି ମାସ ଭିତରେ ନିଷ୍ପତ୍ତି ନିଆଯିବ। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପି.କେ.ଜେନା ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ତେବେ ଗୃହରକ୍ଷୀମାନେ ପୁଲିସ କର୍ମଚାରୀଙ୍କ ଭଳି କାମ କରୁଥିବା ବେଳେ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରାଯାଉ ନାହିଁ ବୋଲି ଅଭିଯୋଗ ହୋଇଥିଲା। ଗୃହରକ୍ଷୀମାନେ ପୁଲିସ କନଷ୍ଟେବଳଙ୍କ ଭଳି ସମାନ କାର୍ଯ୍ୟ କରୁଥିବା ବେଳେ ସେମାନଙ୍କୁ ବହୁତ କମ୍ ପ୍ରାପ୍ୟ ପ୍ରଦାନ କରାଯାଉଥିବା ପ୍ରସଂଗକୁ ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ୨୦୧୫ରେ ସୁପ୍ରିମକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ଗୃହରକ୍ଷୀଙ୍କ ସର୍ବନିମ୍ନ ପ୍ରାପ୍ୟ ପ୍ରଦାନ ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ। ପୁଲିସ ବିଭାଗର ସର୍ବନିମ୍ନ ଦରମାକୁ ଆଧାର କରି ଗୃହରକ୍ଷୀଙ୍କୁ ସମାନ ପ୍ରାପ୍ୟ ପ୍ରଦାନ ପାଇଁ ସୁପ୍ରିମକୋର୍ଟ କହିଥିଲେ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ୨୦୧୫, ଏପ୍ରିଲ ୧୧ରେ ସୁପ୍ରିମକୋର୍ଟଙ୍କ ଏହି ରାୟ କାର୍ଯ୍ୟକାରୀ ପ୍ରସଂଗରେ ସବୁ ରାଜ୍ୟକୁ ଚିଠି ଲେଖିଥିଲେ। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ୮ଟି ରାଜ୍ୟ ଗୃହରକ୍ଷୀଙ୍କ ପ୍ରାପ୍ୟ ବୃଦ୍ଧି କରିଥିଲେ। କିନ୍ତୁ ଓଡ଼ିଶାରେ ଏହି ପ୍ରସଂଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ଏ ନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସରକାର ଏହି ପ୍ରସଂଗରେ ଜବାବ ଦାଖଲ କରିଥିଲେ। ସାରା ରାଜ୍ୟରେ ୧୭ ହଜାର ୬୭୫ ଗୃହରକ୍ଷୀ କାର୍ଯ୍ୟରତ ଥିବାବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏମାନଙ୍କ ପ୍ରାପ୍ୟ ବୃଦ୍ଧି ପାଇବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe