ମାଡ଼ ମିଳିଲା ଦରମା ବି ବଢିଲା ! ଜିଆରଏସଙ୍କ ଜଖମରେ ସରକାରୀ ମଲମ, ଗ୍ରାମ ରୋଜଗାର ସେବକଙ୍କ ଦରମା ବଢିଲା ୨ ହଜାର

40

କନକ ବ୍ୟୁରୋ : ଠିକ୍ ଗୋଟିଏ ଦିନ ପୂର୍ବରୁ ପୁଲିସ ମାଡ଼ରେ ଲହୁଲୁହାଣ ହୋଇଥିବା ଗ୍ରାମ୍ୟ ରୋଜଗାର ସେବକଙ୍କୁ ଆଜି ଦରମା ବଢ଼ାଇ ମଲମ ଲଗାଇବାକୁ ପ୍ରୟାସ କରିଛନ୍ତି ସରକାର । ଖୋଦ୍ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ଦରମା ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଏଣିକି ୫ ହଜାର ବଦଳରେ ୭ ହଜାର ଦରମା ପାଇବେ ଗ୍ରାମ୍ୟ ରୋଜଗାର ସେବକ । ଏହା ବ୍ୟତୀତ ବିଭିନ୍ନ ଯୋଜନାରେ ୧୮ଶହ ଟଙ୍କା ସହାୟତା ରାଶି ମିଳିବ । ଅର୍ଥାତ୍ ଜିଆରଏସ୍ କର୍ମଚାରୀ ଏଣିକି ମାସକ ଦରମା ପାଇବେ ୮ହଜାର ୮ଶହ ।

grs 1ଆଂଶିକ ଭାବରେ ଦାବି ପୂରଣ ହେବା ପରେ ଏବେ ନଜର କ’ଣ ହେବ ଏହି ଆନ୍ଦୋଳନର ଆଭିମୁଖ୍ୟ । ଆନ୍ଦୋଳନରୁ ଓହରିବେ ଜିଆରଏସ୍ କର୍ମୀ ନା’ ପୂର୍ବ ଭଳି ଆନ୍ଦୋଳନ ଜାରି ରଖିବେ, ତାହା ବର୍ତମାନ ବଡ ପ୍ରଶ୍ନ ? ଏସବୁ ଭିତରେ ଖୋଲିଯାଇଛି ରାଜନୈତିକ ପ୍ରତିଦ୍ୱନ୍ଦିତାର ବାଟ । ଜିଏସ୍ଆର୍ କର୍ମଚାରୀଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ବିଜେପି ନେତା ଓ କର୍ମୀଙ୍କୁ ସହ ପୁଲିସ କମିଶନରଙ୍କୁ ଭେଟିଛି ଜିଆରଏସ୍ ସଂଘ । ଆଉ ଏପଟେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିବା ନେଇ ପ୍ରତିଶ୍ରୁତି ଦେଇଥିବା ବେଳେ ପ୍ରଦୀପ ମହାରଥୀ କହିଛନ୍ତି-ରାଜନୀତି କରୁଛନ୍ତି ଧର୍ମେନ୍ଦ୍ର ।

ଗ୍ରାମ ରୋଜଗାର ସଂଘର ଆନ୍ଦୋଳନକୁ ଭଣ୍ଡୁର କରିବାକୁ ପୁଲିସ ଉଦ୍ୟମ ହେବା ପରେ ଆଜି ବିଜେପି କାର୍ଯ୍ୟାଳୟ ଆଗରେ ଏକଜୁଟ ହୋଇଥିଲେ କର୍ମକର୍ତ୍ତା । ସହାୟତାର ହାତ ବଢାଇ ଧର୍ମେନ୍ଦ୍ର ଖେଳିଥିଲେ ରାଜନୀତିର ଚାଲ୍ । ହେଲେ ସଫଳ ହେବା ଆଗରୁ ବାଜି ମାରିନେଲେ ମହାରଥୀ । ଅନୁମାନ କରାଯାଉଛି, କାଳେ ଭୋଟବ୍ୟାଙ୍କ ବିଜେପି ଆଡକୁ ଢଳିଯିବ, ତୁରନ୍ତ ରାଜ୍ୟ ସରକାର ଦରମା ବଢାଇଦେଲେ । ଠିକ ଯେମିତି ଅଙ୍ଗନବାଡି, ବ୍ଲକଗ୍ରାଂଟ ଓ ସପ୍ତ୍ରମ ବେତନ କମିଶନ କ୍ଷେତ୍ରରେ ଘଟିଥିଲା ।

grs 2ସୂଚନାଯୋଗ୍ୟ ଦୀର୍ଘ ଦିନ ଧରି ଅସ୍ଥାୟୀ ଭାବେ କାର୍ୟ୍ୟରତ ଥିବା ନିଖିଳ ଓଡ଼ିଶା ଗ୍ରାମ୍ୟ ରୋଜଗାର ସେବକ ସଂଘର କର୍ମୀମାନେ ଶୁକ୍ରବାର ୫ଦଫା ଦାବିରେ ମାଷ୍ଟରକ୍ୟାଣ୍ଟିନ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଉଥିବା ସମୟରେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ । ପୁଲିସ ଅଚାନକ ବିକ୍ଷୋଭକାରୀଙ୍କ ଉପରେ ଲାଠିଚାର୍ଜ କରିବାରୁ କିଛି ସମୟ ପାଇଁ ମାଷ୍ଟରକ୍ୟାଣ୍ଟିନ୍ରୁ ଲୋୟର ପିଏମ୍ଜି ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା । ଲାଠି ମାଡ଼ରେ ପ୍ରାୟ ୨୦ଜଣ କର୍ମୀ ଆହତ ହୋଇଥିବା ବେଳେ ପୁଲିସ ୫୦ରୁ ଅଧିକ କର୍ମୀଙ୍କୁ ଗିରଫ କରିଥିଲା ।
ଗ୍ରାମ୍ୟ ରୋଜଗାର ସେବକମାନଙ୍କୁ ସ୍ଥାୟୀ ନିଯୁକ୍ତି, ମାସିକ ଦରମାକୁ ପେ ଓ ଗ୍ରେଡ୍ ପେ ଥାଇ ୯ହଜାର ଟଙ୍କାକୁ ବୃଦ୍ଧି କରିବା, ଖାଲି ପଡ଼ିଥିବା ନିର୍ବାହୀ ଅଧିକାରୀ ପଦବିରେ ଶତପ୍ରତିଶତ ନିଯୁକ୍ତି, ସାମାଜିକ ସୁରକ୍ଷା ପ୍ରଦାନ କରିବା ଏବଂ ଆକସ୍ମିକ ବିୟୋଗ ଓ ଅକର୍ମଣ୍ୟ ପାଇଁ ସରକାରୀ ଅନୁକମ୍ପା ରାଶି ପ୍ରଦାନ କରିବା ଆଦି ଦାବିରେ ସଂଘର ହଜାର ହଜାର କର୍ମୀ ଆନ୍ଦୋଳନରେ ସାମିଲ ଥିଲେ ।