ସାକ୍ଷୀ ମହାରାଜଙ୍କ ବିରୋଧରେ ଥାନାରେ ମାମଲା । ଭୋଟ ନଦେଲେ ଅଭିଶାପ ଦେବେ କହି ଧମକାଉଥିଲେ ବିଜେପି ସାଂସଦ ପ୍ରାର୍ଥୀ

ସେପଟେ, ମୁସଲମାନ ବିରୋଧୀ ମନ୍ତବ୍ୟ ଦେଇ ଫସିଗଲେ ମାନେକା ଗାନ୍ଧୀ

184

କନକ ବ୍ୟୁରୋ: ଭୋଟ ଦିଅ ନହେଲେ ଅଭିଶାପ ଭୋଗିବ । ଏପରି କହି ଏବେ ଅଡୁଆରେ ବିଜେପି ନେତା ସାକ୍ଷୀ ମହାରାଜ । ଭୋଟରଙ୍କୁ ଧମକ ଦେବା ଅଭିଯୋଗରେ ତାଙ୍କ ନାଁରେ ରୁଜୁ ହୋଇଛି ମାମଲା । ଜଣେ ପୁଲିସ ଅଧିକାରୀ ତାଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ମତାଦାତାଙ୍କୁ ଧମକ ଦେଇ ଭୋଟ ଦେବାକୁ ଅପିଲ କରିଥିଲେ ସାକ୍ଷୀ ମହାରାଜ । ସାକ୍ଷୀ ମହାରାଜ ୟୁପିର ଶେଖପୁର ଗାଁରେ ନିର୍ବାଚନୀ ପ୍ରଚାର କରୁଥିବାବେଳେ ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ ।

ଏହି ସମୟରେ ସେ ଭୋଟରଙ୍କୁ କହିଥିଲେ ଯେ ମୁଁ ଆପଣଙ୍କ ପାଖକୁ ଭିକ ମାଗିବାକୁ ଆସିଛି । ଯଦି ଏହି ସନ୍ନ୍ୟାସୀକୁ ଆପଣ ଭୋଟ ନଦିଅନ୍ତି ତାହେଲେ ମୋର ସବୁ ପାପ ଆପରଙ୍କୁ ଦେଇଯିବି । ମୁଁ ଜଣେ ସନ୍ନ୍ୟାସୀ ଏବଂ ଜଣେ ସନ୍ନ୍ୟାସୀ ଯେତେବେଳେ ଭିକ୍ଷା ମାଗନ୍ତି ଆଉ ନମିଳେ ତାହେଲେ ପାପ ଦେଇ ସେ ସବୁ ପୁଣ୍ୟ ନେଇଯାଆନ୍ତି । ଆଉ ଏହା ଶାସ୍ତ୍ରରେ ଲେଖା ଅଛି ବୋଲି ସେ କହିଛନ୍ତି । ସାକ୍ଷୀ ମହାରାଜ ୟୁପି ଉନ୍ନାଓରୁ ବିଜେପି ପ୍ରାର୍ଥୀ ଅଛନ୍ତି ।

ଅନ୍ୟପଟେ, ନିର୍ବାଚନୀ ଭାଷଣରେ ଖୋଲା ଧମକ ଦେଇ ବିବାଦରେ ଫସିଛନ୍ତି ମାନେକା ଗାନ୍ଧି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଏବେ ନୋଟିସ କରିଛନ୍ତି ନିର୍ବାଚନ କମିସନ । କମିସନଙ୍କ ପକ୍ଷରୁ ସୁଲତାନପୁର ଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଭାଷଣରେ ସିଧାସିଧା କହୁଛନ୍ତି ମାନେକା ଗାନ୍ଧି- ସେ ଜିତିବା ସୁନିଶ୍ଚିତ । ଆଉ ଯଦି ମୁସଲମାନମାନେ ତାଙ୍କୁ ଭୋଟ୍ ନଦିଅନ୍ତି ଏବଂ ପରେ ତାଙ୍କ ପାଖକୁ କାମ କରାଇବା ପାଇଁ ଯାଆନ୍ତି ତାହାହେଲେ ତାଙ୍କ କାମ କରିବା କଷ୍ଟକର ହୋଇପଡିବ ।