ବଲିଉଡ୍ ଶିଳ୍ପ ଉପରେ ମି ଠୁ ଚଡ଼କ ପଡ଼ିଥିବା ବେଳେ ପ୍ରତ୍ୟେକ ଦିନ ନୂଆ ଘଟଣା ଦେଖିବାକୁ ମିଳୁଛି। ସଦ୍ୟ ଘଟଣାକ୍ରମେ ନିର୍ଦ୍ଦେଶକ ସାଜିଦ୍ ଖାନ୍ଙ୍କ ବିରୋଧରେ ଏକାବେଳକେ ୩ଟି ଯୌନ ନିର୍ୟାତନା ଅଭିଯୋଗ ଆସିଛି। ଅଭିନେତ୍ରୀ ସଲୋନି ଚୋପ୍ରା ଏବଂ ରାଚେଲ୍ ହ୍ବାଇଟ୍ ଓ ଜଣେ ସାମ୍ବାଦିକା ଏଭଳି ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀ ସଲୋନିଙ୍କ କହିବାନୁଯାୟୀ ଏକ ଚଳଚ୍ଚିତ୍ରରେ ସେ ଓ ସାଜିଦ୍ ମିଳିତ ଭାବେ ନିର୍ଦ୍ଦେଶନା ଦେଉଥିଲେ। ଏହି ସମୟରେ ସାଜିଦ୍ ତାଙ୍କୁ ବାରମ୍ବାର ଅସଦାଚରଣ କରିଥିଲେ। ସାଜିଦ୍ ସେ ସମୟରେ ଏକାଧିକ ଯୁବତୀଙ୍କୁ ଅସଦାଚରଣ କରିଥିବା ସଲୋନି କହିଛନ୍ତି।
ସେହିଭଳି ରାଚେଲ୍ ମଧ୍ୟ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଏକ ଫିଲ୍ମ ନିମନ୍ତେ ଅଭିନୟ କରିବାକୁ ସୁଯୋଗ ଦେବା ପାଇଁ ସାଜିଦ୍ ତାଙ୍କୁ କ୍ଷୁଦ୍ର କପଡ଼ା ପିନ୍ଧିବାକୁ କହୁଥିଲେ। କ୍ଷୁଦ୍ର କପଡ଼ା ପିନ୍ଧିବା ପରେ ସାଜିଦ୍ ତାଙ୍କ ନିକଟକୁ ଆସି ଅଶାଳୀନ ମନ୍ତବ୍ୟ ଦେଉଥିଲେ। ସେହିଭଳି ତାଙ୍କୁ ଯଦି ସୌନ୍ଦର୍ୟ୍ୟ ଦ୍ବାରା ପ୍ରଭାବିତ କରିପାରିଲି ତେବେ ଫିଲ୍ମରେ ନିଶ୍ଚିତ କାମ କରିବାକୁ ସୁଯୋଗ ମିଳିବ ବୋଲି ସାଜିଦ୍ କହୁଥିଲେ। ଏହାପରେ ରାଚେଲ୍ ସେଠାରୁ ପଳାଇଥିଲେ ବୋଲି କହିଛନ୍ତି। ଏହି ଘଟଣା ଏବେ ବଲିଉଡ୍ରେ ଭୂକମ୍ପ ସୃଷ୍ଟି କରିଛି। ତେବେ ସାଜିଦ୍ ନୈତିକତା ଦୃଷ୍ଟିରୁ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଦେଖି ‘ହାଉସ୍ଫୁଲ୍ ୪’ ନିର୍ଦ୍ଦେଶନାରୁ ଓହରି ଯାଇଛନ୍ତି। ଅନ୍ୟ ଜଣେ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାନ୍ତୁ ବୋଲି ସେ ଚାହିଛନ୍ତି। ‘ହାଉସ୍ଫୁଲ୍ ୪’ ପାଇଁ ସାଇନ୍ କରିଥିବା ଅଭିନେତା ଅକ୍ଷୟ କୁମାର ଇତିମଧ୍ୟରେ ଏହି ଚଳଚ୍ଚିତ୍ର ସୁଟିଂରୁ ଓହରି ଯାଇଛନ୍ତି।
ଏ ବାବଦରେ ଟ୍ବିଟ୍ କରି ଅକ୍ଷୟ କହିଛନ୍ତି, ବର୍ତ୍ତମାନ ବିଦେଶରୁ ଆସି ପହଞ୍ଚିବା ପରେ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହା ମୋତେ ବ୍ୟଥିତ କରିଛି। ବର୍ତ୍ତମାନ ପରିସ୍ଥିତିରେ ମୁଁ ହାଉସ୍ଫୁଲ୍ ୪ ସୁଟିଂ କରିବାକୁ ଚାହୁନାହିଁ। ନିର୍ମାତାମାନଙ୍କ ସହିତ ଆଲୋଚନା କରି କୌଣସି ସମାଧାନ ବାହାର କରିବା ପର୍ୟ୍ୟନ୍ତ ସୁଟିଂରେ ସାମିଲ ହେବିନାହିଁ। ତା’ଛଡ଼ା ଚଳଚ୍ଚିତ୍ରର ନିର୍ଦ୍ଦେଶକଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି, ତାହାକୁ ଆଖିରେ ରଖି କାର୍ୟ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ଅକ୍ଷୟ କହିଛନ୍ତି। ଅଭିନେତ୍ରୀ ବିପାସା ବସୁ କହିଛନ୍ତି ଯେ ସାଜିଦ୍ ମହିଳାଙ୍କ ପ୍ରତି ସର୍ବଦା ଅଭଦ୍ରୋଚିତ ବ୍ୟବହାର ଦେଖାଇଥାନ୍ତି ଏବଂ ଏହା ତାଙ୍କର ପୁରୁଣା ଅଭ୍ୟାସ।
ଅନ୍ୟପକ୍ଷେର ଟ୍ବିଟ୍ କରି ସାଜିଦ୍ କହିଛନ୍ତି, ପ୍ରକୃତ ଘଟଣା ସାମ୍ନାକୁ ନ ଆସିବା ପର୍ୟ୍ୟନ୍ତ ମୋର ବଲିଉଡ୍ ବନ୍ଧୁମାନେ କୌଣସି ନିର୍ୟାସରେ ଉପନୀତ ହେବା ଉଚିତ ନୁହେଁ। ତା’ଛଡ଼ା ପରିବାର ଏବଂ ଫିଲ୍ମ ନିର୍ମାତାମାନଙ୍କ ଉପରେ ପଡୁଥିବା ଚାପକୁ ଆଖିରେ ରଖି ମୁଁ ହାଉସ୍ଫୁଲ୍ ୪ ନିର୍ଦ୍ଦେଶନାରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। ସେପଟେ ସାଜିଦଙ୍କ ଭଉଣୀ ତଥା କୋରିଓଗ୍ରାଫର୍ ଏବଂ ନିର୍ଦ୍ଦେଶକ ଫାରା ଖାନ୍ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଏହା ମୋ ପରିବାର ପାଇଁ ଏକ ହୃଦୟବିଦାରକ ଘଟଣା। ଯଦି ମୋ ଭାଇ ସେଭଳି କିଛି କରିଥାଏ, ତେବେ ମୁଁ କଦାପି ଏହାକୁ ବରଦାସ୍ତ କରିବି ନାହିଁ। ସେହିଭଳି ପୀଡ଼ିତାଙ୍କ ପ୍ରତି ମୋର ଯଥେଷ୍ଟ ସହାନୁଭୂତି ରହିଛି ବୋଲି ଫାରା କହିଛନ୍ତି। ନିର୍ମାତା କରିମ୍ ମୋରାନିଙ୍କ ବିରୋଧରେ ଜଣେ ୨୫ ବର୍ଷୀୟା ମହିଳା ଯୌନ ନିର୍ୟାତନା ଅଭିଯୋଗ ଆଣିଥିବା ବେଳେ ଚଳଚ୍ଚିତ୍ର ‘ପ୍ୟାର୍ କା ପଞ୍ଚ୍ନାମା’ ନିର୍ଦ୍ଦେଶକ ଲଭ୍ ରଞ୍ଜନଙ୍କ ବିରୋଧରେ ଜଣେ ଅଜଣା ମହିଳା ମଧ୍ୟ ଅଭିଯୋଗ କରିଛନ୍ତି।