କନକ ବ୍ୟୁରୋ: ଇଶ୍ୱରଙ୍କ ବିଚିତ୍ର ସୃଷ୍ଟି ବଡ ବିଚିତ୍ର । କାହା ପାଇଁ ସୁଖର ପସରା ରହିଥାଏ ତ ଆଉ କାହା ଉପରେ ରହିଥାଏ ଦୁଃଖର ପାହାଡ । ଏମିତି ଏକ ଦୁଃଖର ପାହାଡ ତଳେ ଚାପି ହୋଇଯାଇଛନ୍ତି କଟକ ସଦର ବ୍ଲକ ବାଗଧରା ଗାଁର ସାଜେନ୍ଦ୍ର ନନ୍ଧଙ୍କ ପରିବାର ।
ସ୍ୱାମୀ-ସ୍ତ୍ରୀ ଦୁଇ ଜଣଙ୍କୁ ନେଇ ଚାଲିଥିଲା ସଂସାର । ହେଲେ ଏବେ ଏ ସଂସାରରେ ବସା ବନ୍ଧିଛି ରୋଗ । ସ୍ତ୍ରୀ କ୍ୟାନସର ପୀଡିତା ଓ ସ୍ୱାମୀଙ୍କୁ ପକ୍ଷାଘାତ । ଗୋଟିଏ ଘରେ ବିଛଣାରେ ପଡିଛନ୍ତି ସ୍ତ୍ରୀ ଆଉ ପାଖରେ ବସିଛନ୍ତି ରୋଗୀଣା ସ୍ୱାମୀ । ଏଭଳି ସ୍ଥିତିରେ ଚିକିତ୍ସା ତ ଦୂରର କଥା, ଗଣ୍ଡାଏ ଦାନା, ଖଣ୍ଡିଏ କନା ପାଇଁ ରାହା ଖୋଜୁଛନ୍ତି ଏମାନେ । ବାଗଧରା ଗାଁର ସାଜେନ୍ଦ୍ର ଗାଁ ଗାଁ ବୁଲି ବହି ବିକି ରୋଜଗାର କରୁଥିଲେ । ହେଲେ ସମୟ ଚକ୍ରରେ ବଦଳି ଗଲା ଜୀବନ । ସ୍ତ୍ରୀ ଗର୍ଭାଶୟ କର୍କଟରେ ପୀଡିତ ହେବା ପରେ ପରେ ପକ୍ଷାଘାତର ଶିକାର ହେଲେ ସାଜେନ୍ଦ୍ର ।
ସାଜେନ୍ଦ୍ର ଓ ତାଙ୍କ ସ୍ତ୍ରୀ ଦୁହେଁ ରୋଗାକ୍ରାନ୍ତ ହୋଇ ଘରେ ପଡିଥିବା ବେଳେ ଏ ପରିବାର ପାଇଁ ସାହାର୍ଯ୍ୟ ନିହାତି ଜରୁରୀ ହୋଇପଡିଛି । କାରଣ ରୋଗ ଯନ୍ତ୍ରଣାକୁ ବଳି ପଡୁଛି ଭୋକର ଦାଉ । ସେପଟେ ସାଜେନ୍ଦ୍ରଙ୍କ ପରିବାରକୁ ସରକାରୀ ସହାୟତା ଭାବେ ବାର୍ଦ୍ଦକ୍ୟ ଭତ୍ତା, ରାସନ ଚାଉଳ ଓ ବିଜୁ ପକ୍କାଘର ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି ସ୍ଥାନୀୟ ସରପଂଚ ।
ତେବେ ସରକାର ଦେଉଥିବା ଏତିକି ସହାୟତାରେ କଣ ଦୁଇଟି ଜୀବନ ବଂଚି ଯିବ? ଭତ୍ତା ଟଙ୍କାରେ କ୍ୟାନସର ପୀଡିତା ମହିଳାଙ୍କୁ ଚିକିତ୍ସା ମିଳିବ? ନା ପକ୍ଷାଘାତରେ ପୀଡିତ ସାଜେନ୍ଦ୍ରଙ୍କ ଔଷଧ କିଣି ଖାଇବେ? ଏଠି ବଂଚି ରହିବା ପାଇଁ ଖାଦ୍ୟ ସହ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ରହିଛି । ତେବେ ଏହି ଅସହାୟ ପରିବାରର ଭବିଷ୍ୟତ କେଉଁ ମୋଡ ନେଉଛି ତାହା କେବଳ ସମୟ ହିଁ କହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/11-6.jpg)