ସୁନା ଆଣିଲେ ସୁନା ଝିଅ । ରାଜ୍ୟଗୋଷ୍ଠୀ କ୍ରୀଡାର ବ୍ୟାଡମିଂଟନରେ ଭାରତକୁ ମିଳିଲା ସୁନା । ସିଦ୍ଧୁଙ୍କୁ ହରାଇ ସାଇନା ଜିତିଲେ ପଦକ

16

କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏହାର ସ୍ୱର୍ଣ୍ଣିମ ଅଭିଯାନ ଜାରି ରଖିଛି । ଏକାଦଶ ତଥା ଅନ୍ତିମ ଦିନରେ ସୁନା ପଦକରୁ ଭାରତୀୟ ଖେଳାଳି ଅଭିଯାନ ଆରମ୍ଭ କରିଛନ୍ତି । ମହିଳା ବ୍ୟାଡମିଂଟନରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିଣିଛନ୍ତି ସାଇନା ନେହୱାଲ । ଏହି ବିଭାଗରେ ରୌପ୍ୟ ପଦକ ମଧ୍ୟ ଭାରତ ଖାତାକୁ ଆସିଛି । ଦୁଇ ଭାରତୀୟ ଖେଳାଳିଂକ ମଧ୍ୟରେ ଖେଳାଯାଇଥିବା ଫାଇନାଲରେ ସାଇନା ପି.ଭି ସିନ୍ଧୁଂକୁ ପରାସ୍ତ କରିଛନ୍ତି । ସାଇନା ୨୧-୧୮, ୨୩-୨୧ ସେଟରେ ସିନ୍ଧୁଂକୁ ହରାଇଛନ୍ତି । ଏହାସହ ଭାରତର ସ୍ୱର୍ଣ୍ଣପଦକ ୨୬ରେ ପହଂଚିଛି । ଗତକାଲି ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ୮ଟି ସ୍ୱର୍ଣ୍ଣପଦକ ଜିଣିଥିଲେ ।

ମେରିକମ, ବକ୍ସର ଗୌରବ ସୋଲାଙ୍କି, ରାଇଫଲରେ ସଂଜୀବ ରାଜପୁତ , ଜାଭଲିନ ଥ୍ରୋରେ ନିରଜ ଚୋପ୍ରା, କୁସ୍ତିରେ ସୁମିତ ମଲ୍ଳିକ, ବିନେଶ ଫୋଗତ, ଟେବୁଲ ଟେନିସରେ ମନୀକା ବାତ୍ରା ଓ ବକ୍ସିଂରେ ବିକାଶ କ୍ରୀଷ୍ଣନ ହାତେଇଥିଲେ ସ୍ୱର୍ଣ୍ଣ ପଦକ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପଛକୁ ପଦକ ତାଲିକାରେ ତୃତୀୟ ସ୍ଥାନ ବଜାୟ ରଖିଛି ଭାରତ । ଭାରତ ୨୬ ସୁନପଦକ ସହ ୧୭ଟି ରୌପ୍ୟ ଓ ୧୯ଟି କାଂସ୍ୟ ପାଇଛି । ମୋଟ୍ ୬୨ ପଦକ ସହ ଭାରତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପଛକୁ ପଦକ ତାଲିକାର ତୃତୀୟ ସ୍ଥାନରେ ରହିଛି ।

ଏବେ ନଜର ପକାନ୍ତୁ ପଦକ ତାଲିକାରେ ଉପରେ

ରାଜ୍ୟଗୋଷ୍ଠୀ କୀଡ଼ାର ମେଡାଲ ତାଲିକାରେ ଅଷ୍ଟ୍ରେଲିଆ ଏକ ନମ୍ବର ସ୍ଥାନ ବଜାୟ ରଖିଛି । ଅଷ୍ଟ୍ରେଲିଆ ୭୮ଟି ସ୍ୱର୍ଣ୍ଣ, ୫୭ଟି ରୌପ୍ୟ, ୫୯ଟି କାଂସ୍ୟ ସହ ମୋଟ୍ ୧୯୪ଟି ପଦକ ପାଇଛି । ସେହିପରି ୪୩ଟି ସ୍ୱର୍ଣ୍ଣ, ୪୩ଟି ରୌପ୍ୟ, ୪୩ଟି କାଂସ୍ୟ ସହ ପଦକ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଇଂଲଣ୍ଡ । ଭାରତ ଏପର୍ଯ୍ୟନ୍ତ ୨୬ଟି ସୁନା, ୧୭ଟି ରୌପ୍ୟ ଓ ୧୯ଟି କାଂସ୍ୟ ପଦକ ସହ ପଦକ ତାଲିକାର ତୃତୀୟ ସ୍ଥାନରେ ରହିଛି । ଚତୁର୍ଥ ସ୍ଥାନରେ ଥିବା କାନାଡ଼ାକୁ ଏପର୍ଯ୍ୟନ୍ତ ୧୫ଟି ସ୍ୱର୍ଣ୍ଣପଦକ ମିଳିଛି । ତେଣୁ ଭାରତ ନିଜର ତୃତୀୟସ୍ଥାନ ବଜାୟ ରଖିବାର ବେଶ୍ ସମ୍ଭାବନା ରହିଛି ।