ଏବେ ବିବାହର ଋତୁ ଚାଲିଛି। ଡିସେମ୍ବରରେ ବଲିଉଡ୍ କଳାକାର ଦୀପ୍-ବୀର, ପ୍ରିୟଙ୍କା-ନିକ୍ ଏବଂ ସେଲିବ୍ରିଟି ବ୍ୟବସାୟୀ ଇଶା ଅମ୍ବାନି-ଆନନ୍ଦଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଭାରତର ମହିଳା ବ୍ୟାଡମିଣ୍ଟନ୍ ଷ୍ଟାର ସାଇନା ନେହେଓ୍ଵାଲ। ସେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପାରୁପଲ୍ଲୀ କାଶ୍ୟପଙ୍କୁ ଶୁକ୍ରବାର ମୁମ୍ବାଇଠାରେ ବିବାହ କରିଛନ୍ତି।
ସାଇନା ନିଜର ବିବାହ ଫଟୋକୁ ଟୁଇଟରରେ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ‘‘ଏହା ମୋ ଜୀବନର ସର୍ବଶ୍ରେଷ୍ଠ ମ୍ୟାଚ୍’’। ଦୁଇ ଖେଳାଳି କିଛିଦିନ ପୂର୍ବରୁ ଇନଷ୍ଟାଗ୍ରାମରେ ଫଟୋ ସେୟାର କରିଥିଲେ, ଯେଉଁଥିରେ ଦୁହିଁଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ କିଛି ବିଧିବିଧାନ ଚାଲିଥିବା ନଜର ଆସିଥିଲା।
ସୂଚନାଯୋଗ୍ୟ, ଦୁହେଁ ହାଇଦ୍ରାବାଦରେ ରହୁଥିବା ବେଳେ ୧୦ବର୍ଷ ହେଲାଣି ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ଏବେ ଦୁହେଁ ନିଜ ସଂପର୍କକୁ ଆଉ ଏକ ପାଦ ଆଗକୁ ନେଇଛନ୍ତି । ନେହେଓ୍ଵାଲ ନିକଟରେ ଜାକର୍ତାରେ ହୋଇଥିବା ଏସିଆନ୍ ଗେମସରେ ବ୍ରୋଞ୍ଜ ମେଡାଲ ହାସଲ କରିଥିଲେ। ସେହିପରି ଓ୍ଵାଲର୍ଡ ବ୍ୟାଡମିଣ୍ଟନ୍ ର୍ୟାଙ୍କିଂରେ ନବମସ୍ଥାନ ଅଧିକାର କରିଛନ୍ତି।
Follow Us