ବାତ୍ୟା ଫୋନି ପରେ ଓଡିଶାକୁ ରାଷ୍ଟ୍ରାୟାତ ଷ୍ଟିଲ୍ ସେଲର ସହାୟତା । କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଇବ ୧୫ ହଜାର ଲୁହା ବିଦ୍ୟୁତ ଖୁଣ୍ଟି ।

248

କନକ ବ୍ୟୁରୋ : ଗତ ଶୁକ୍ରବାରଦିନ ଅତି ଭୟଙ୍କର ମହାବାତ୍ୟା ଫନି ଉପକୂଳ ଓଡ଼ିଶାରେ ନାହିଁ ନଥିବା କ୍ଷୟକ୍ଷତି କରିଛି । ଇତିମଧ୍ୟରେ ୪ ଦିନ ବିତିଯାଇଥିଲେ ମଧ୍ୟ ଅଧିକାଂଶ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ହୋଇପାରିନାହିଁ । ଏହାର କାରଣ ହେଉଛି ଯେ ଏହି ବାତ୍ୟା ପ୍ରଭାବରେ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧା ସମେତ ଅନେକ ଅଞ୍ଚଳରେ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଭାଙ୍ଗିଯାଇଛି ।

କେବଳ ଭୁବନେଶ୍ୱରରେ ୧୦ ହଜାର ଖୁଣ୍ଟି ଭାଙ୍ଗିଛି । ସାରା ରାଜ୍ୟରେ ପ୍ରାୟ ୧ ଲକ୍ଷ ୬୦ ହଜାର ବିଦ୍ୟୁତ ଖୁଣ୍ଟି ଭାଙ୍ଗିପଡିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଷ୍ଟ୍ରାୟତ ଷ୍ଟିଲ କମ୍ପାନି ସେଲ ଓଡ଼ିଶାକୁ ପ୍ରାୟ ୧୫ ହଜାର ଲୁହା ବିଦ୍ୟୁତ ଖୁଣ୍ଟି ପଠାଇବାକୁ ନିଷ୍ପତ୍ତି ନେଇଛି । ଇତି ମଧ୍ୟରେ ପ୍ରାୟ ୫୦୦ଟି ଲୁହା ଖୁଣ୍ଟି ରାଜ୍ୟରେ ପହଞ୍ଚିସାରିଲାଣି । ଆଉ ପ୍ରାୟ ୫ ହଜାର ଖୁଣ୍ଟି ବାତ୍ୟା ଅଞ୍ଚଳକୁ ସିଧାସଳଖ ପଠାଯାଉଛି । ସେଲର ଦୂର୍ଗାପୁର ଷ୍ଟିଲ ପ୍ଲାଣ୍ଟରୁ ଏସବୁ ଲୁହା ଖୁଣ୍ଟି ଉତ୍ପାଦନ କରାଯାଇ ଓଡ଼ିଶାକୁ ପଠାଯାଉଛି ।