ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଶିରିଡି ବନାମ ପାଥରୀ ବିବାଦ: ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ମଝି ରାତିରେ ଶିରିଡିରୁ ବନ୍ଦ ପାଳନ ପ୍ରତ୍ୟାହୃତ; ଆଜି ଖୋଲିବ ଦୋକାନ ବଜାର

ସମାଧାନ ପାଇଁ ଦିନ ୨ଟାର ସବୁପକ୍ଷଙ୍କ ସହ ବୈଠକ କରିବେ ଉଦ୍ଧବ ଠାକରେ

150

କନକ ବ୍ୟୁରୋ: ପାଥରୀ ବନାମ ଶିରିଡି । ସାଇବାବାଙ୍କ ଜନ୍ମସ୍ଥାନ ବିବାଦକୁ ନେଇ ଶିରିଡି ବନ୍ଦ ପାଳନ ରବିବାର ମଧ୍ୟରାତ୍ରରେ ପ୍ରତ୍ୟାହୃତ ହୋଇଛି । ଆଜି ଶିରିଡିରେ ବନ୍ଦ ପାଳନ ହେବ ନାହିଁ ।  ଶିରିଡିର ଲୋକେ ବନ୍ଦ ପ୍ରତ୍ୟାହାର ନିଷ୍ପତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅପିଲ ପରେ ନେଇଥିବା ସୂଚନା ମିଳିଛି । ରବିବାର ଶିରିଡି ଗ୍ରାମସଭାରେ ନିଷ୍ପତି ହୋଇଛି, ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ କୌଣସି ସମାଧାନ ବାହାନପାରିଲେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ପୁଣି ଶିରିଡି ବନ୍ଦ କରାଯିବ ।

ସେପଟେ ବିବାଦର ସମାଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ସବୁ ପକ୍ଷଙ୍କୁ ନେଇ ସଚିବାଳୟରେ ଏକ ବୈଠକ ଡାକିଛନ୍ତି । ବୈଠକରେ ପାଥରୀ ଓ ଶିରିଡିର ପ୍ରତିନିଧି, ସାଂସଦ ଶଦାଶିବ ଲୋଖାଣ୍ଡେ, ଶିରିଡର ବିଧାୟକ ରାଧାକୃଷ୍ଣ ବିଖେ ପାଟିଲ, ଲୋଖଣ୍ଡେ ଓ ଶିରିଡି ମନ୍ଦିର ନ୍ୟାସର ସିଇଓ ସାମିଲ ହେବେ ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଏକ ସଭାରେ ସାଇବାବାଙ୍କ ଜନ୍ମସ୍ଥାନ ପାଥରୀ ବୋଲି ବୟାନ ଦେବା ପରେ ବିବାଦ ବଢିଥିଲା ।

ଏଥିସହ ପାଥରୀର ବିକାଶ ପାଇଁ ଶହେ କୋଟିର ଅନୁଦାନ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ପାଥରୀ ବନାମ ଶିରିଡି ବିବାଦ ତେଜିଥିଲା । ଆଉ ପ୍ରତିବାଦରେ ଶିରିଡିର ଦୋକାନ ବଜାର ବନ୍ଦ କରାଯାଇଥିଲା । ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ବୟାନ ଫେରାଇ ନେବା ଦାବିରେ ବିରୋଧ କରିଥିଲେ ସାଇଭକ୍ତ । ଶନିବାର ରାତିରେ ଆରମ୍ଭ ହୋଇଥିବା ଶିରିଡି ବନ୍ଦ ପାଳନ ରବିବାର ରାତି ୧୨ଟାରେ ପ୍ରତ୍ୟାହାର ହୋଇଛି ।