କନକ ବ୍ୟୁରୋ: କୁହାଯାଉଛି ଶିରିଡି ସାଇ ମନ୍ଦିର ବାବାଙ୍କ ସମାଧୀ ସ୍ଥଳ । ନିଜ ଶେଷ ସମୟରେ ଏହିଠାରେ ସମାଧୀ ନେଇଥିଲେ ସାଇ ବାବା । ୧୫ ଅକ୍ଟୋବର ୧୯୧୮ରେ ବାବା ଏଠାରେ ଦେହତ୍ୟାଗ କଲେ । ଯେଉଁଠାରେ ଏବେ ରହିଛି ସାଇ ବାବାଙ୍କ ମନ୍ଦିର । କେହି କେହି ତାଙ୍କୁ ହିନ୍ଦୁ ବୋଲି ବିଚାର କରନ୍ତି, ତ ଆଉ କେହି ତାଙ୍କୁ ମୁସଲମାନ ବୋଲି ଭାବନ୍ତି । ସେଥିପାଇଁ ମହାରାଷ୍ଟ୍ର ଅହମଦନଗରରେ ଥିବା ଏହି ମନ୍ଦିରରେ ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଲକ୍ଷ ଲକ୍ଷ ଭକ୍ତ ମୁଣ୍ଡ ନୁଆଁନ୍ତି । ମାନ୍ୟତା ରହିଛି ବାବା କହୁଥିଲେ- ସବକା ମାଲିକ ଏକ । ଅର୍ଥାତ ସମସ୍ତଙ୍କ ଭଗବାନ ଜଣେ । ସାଇ ବାବାଙ୍କ ଭକ୍ତିର ଜ୍ୟୋତି ଜଳାଇ ରଖିବା ପାଇଁ ସିରିଡିରେ ୧୯୨୨ରେ ତାଙ୍କର ଏକ ଭବ୍ୟ ମନ୍ଦିରର ନିର୍ମାଣ କାମ ଆରମ୍ଭ ହୋଇଥିଲା ।

Advertisment

କୁହାଯାଉଛି ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଦ୍ୱାରା ବାବା ଗ୍ରହଣୀୟ ହେବା ପଛରେ ରହିଛି ତାଙ୍କ ଫକିର ବେଶ । ମାତ୍ର ୧୬ବର୍ଷ ବୟସରେ ବାବା ସିରିଡିରେ ପହଂଚିଥିଲେ । ମାନବ କଲ୍ୟାଣ ପାଇଁ ସାରା ଜୀବନ ଏହିଠାରେ ରହିଗଲେ । ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନ ଓ ତାଙ୍କ ମାତା, ପିତାଙ୍କ ବାବଦରେ ବିଶେଷ କିଛି ଜଣାନାହିଁ । କିନ୍ତୁ ୨୮ ସେପ୍ଟେମ୍ବର ୧୮୩୮ରେ ବାବାଙ୍କ ଜନ୍ମ ବୋଲି ମାନ୍ୟତା ରହିଛି । ବାବା ସିରିଡିରେ ହିଁ ଶେଷ ସମୟ ପର୍ଯ୍ୟନ୍ତ ରହିଥିବାରୁ ଏହାକୁ ତାଙ୍କର ଜନ୍ମ ଓ କର୍ମସ୍ଥଳୀ ବୋଲି ଧରିନିଆଯାଇଛି । କାରଣ ୮୩ ବର୍ଷ ବୟସରେ ବାବା ଶିରିଡିରେ ହିଁ ଦେହତ୍ୟାଗ କଲେ ଓ ଏହିଠାରେ ରହିଛି ତାଙ୍କ ସମାଧୀ । ଯହାକୁ ଦେଖିବା ପାଇଁ ପ୍ରତିଦିନ ଦେଶ, ବିଦେଶରୁ ହଜାର ହଜାର ଭକ୍ତଙ୍କ ଭିଡ ଲାଗୁଛି । ବାବାଙ୍କ ବାଣୀ ସର୍ବବ୍ୟାପ୍ତ ହୋଇପାରିଛି । କେହିକେହି ତାଙ୍କୁ ଧର୍ମଗୁରୁ ଭାବରେ ଆରାଧନା କରୁଥିବାବେଳେ ଅନେକଙ୍କ ପାଇଁ ସେ ଈଶ୍ୱରଙ୍କ ସ୍ୱରୂପ ।

ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନେକ ପ୍ରଭାବଶାଳୀ ନେତା, ଅଫିସର ଓ ବ୍ୟକ୍ତିତ୍ୱ ସିରିଡି ସାଇ ବାବାଙ୍କ ମନ୍ଦିରେ ଦର୍ଶନ କରିବାକୁ ଆସିଥାନ୍ତି । ପରବର୍ତୀ ସମୟରେ ସାଇ ବାବାଙ୍କ ମନ୍ଦିର ଦେଶର ଅନ୍ୟାନ୍ୟ ସ୍ଥାନରେ ସ୍ଥାପନା ହୋଇଥିଲେ ବି ଶିରିଡିରେ ବାବାଙ୍କ ସମାଧୀ ପିଠ ଦର୍ଶନ ପାଇଁ ଭକ୍ତଙ୍କ ଭିତରେ ପ୍ରବଳ ଆକର୍ଷଣ ରହିଛି ।
ଶିରିଡିରେ ଥିବା ସାଇ ବାବାଙ୍କ ମନ୍ଦିର ପ୍ରତ୍ୟେକ ଦିନ ଭୋର ୪ଟାରୁ ଖୋଲିଥାଏ । ଆରତି, ଭଜନ, କୀର୍ତନ ଓ ଭୋଗ ପରେ ସକାଳ ୫ଟା ୪୦ରେ ସାଧାରଣ ଦର୍ଶନ ପାଇଁ ବାବାଙ୍କ ମନ୍ଦିରର ଦୁଆର ଫିଟାଇ ଦିଆଯାଏ । ଦିନ ତମାମ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ବିଭିନ୍ନ ପୂଜାନୀତି ଶେଷ ହେବା ପରେ ରାତି ୧୦ଟାରେ ଶେଷ ଆରତି ସହ ବାବାଙ୍କ ମନ୍ଦିରର ଦୁଆର ବନ୍ଦ ହୁଏ ।