ରେଭେନ୍ସସାରେ ସମ୍ବାଦ ସାହିତ୍ୟଘରର ରାଜ୍ୟସ୍ତରୀୟ ସମାବେଶ । କବିତା ପାଠୋତ୍ସବ ସହ ହେଲା ପୁସ୍ତକ ପ୍ରଦର୍ଶନୀ, ପ୍ରଖ୍ୟାତ୍ କଥାକାର ମନୋଜ ଦାସ କହିଲେ, ସଂହତିର ବାର୍ତା ଦିଏ ସାହିତ୍ୟ

191

କନକ ବ୍ୟୁରୋ : ଜୀବନ ସହ ଯୋଡା ସାହିତ୍ୟ । ଅନୁଭୂତିରୁ ସୃଷ୍ଟି ହୁଏ ସାହିତ୍ୟ ଏବଂ ସାହିତ୍ୟ ଦିଏ ସଂହତିର ବାର୍ତା । ଏଭଳି ମନ୍ତବ୍ୟ ଦେଇଛନ୍ତି ସାହିତ୍ୟଘରର ଷଷ୍ଠ ରାଜ୍ୟସ୍ତରୀୟ ସମାବେଶରେ ସାମିଲ ହୋଇଥିବା ଅତିଥି । ରେଭେନ୍ସା ବିଶ୍ୱବିଦ୍ୟାଳୟର କନଭେନସନ୍ ସେଂଟରରେ ଆୟୋଜିତ ହୋଇଥିଲା ଏହି ଉତ୍ସବ । ରାଜ୍ୟର ସମସ୍ତ ସାହିତ୍ୟ ଘର ଶାଖାର ପ୍ରାୟ ୭ଶହ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ ।
ଜୀବନର ଅଂଶ ହେଉଛି ସାହିତ୍ୟ । ଆମ ଅନୁଭୂତିରୁ ହିଁ ସୃଷ୍ଟି ହୋଇଥାଏ ସାହିତ୍ୟ । ଏଭଳି ମତ ଦେଇଛନ୍ତି ସମ୍ବାଦ- ସାହିତ୍ୟ ଘରର ଷଷ୍ଠ ବାର୍ଷିକ ଉତ୍ସବ ଅବସରରେ ଉପସ୍ଥିତ ଅତିଥି । ନିର୍ବାଚନ ବର୍ଷରେ ସାରା ଦେଶରେ ରାଜନୀତିକୁ ନେଇ ଚର୍ଚା ଚାଲିଥିବା ବେଳେ ସାହିତ୍ୟରେ ମଧ୍ୟ ଏହା ପ୍ରତିଫଳିତ ହେବା ଜରୁରୀ ବୋଲି କହିଛନ୍ତି ବିଶିଷ୍ଟ କବି ଜୟନ୍ତ ମହାପାତ୍ର । ସାହିତ୍ୟ ସଂହତିର ବାର୍ତା ଦେଇଥାଏ । ଆଗାମୀ ଦିନରେ ସେହି ସ୍ରଷ୍ଟା ହିଁ ଆଗରେ ରହିବେ ବୋଲି ମତ ଦେଇଛନ୍ତି ବିଶିଷ୍ଟ କଥାକାର ମନୋଜ ଦାସ । ବାର୍ଷିକ ଅଧିବେଶନ ଅବସରରେ ରାଜନୀତି ଓ ସାହିତ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଛି ।

ସାହିତ୍ୟ ଓ ସଂସ୍କୃତିକୁ ନେଇ ଚର୍ଚା କରିବା ପାଇଁ ଆରମ୍ଭ ହୋଇଥିବା ସାହିତ୍ୟଘର ଏବେ ତାର କାୟା ବଢାଇ ଚାଲିଛି । ଏବେ କେବଳ ଓଡିଶା ନୁହେଁ ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ୟ ଏହାର ଶାଖା ମାନ ଖୋଲିଲାଣି । ମୋଟ ୩୪୦ଟି ଶାଖାରୁ ୨ ଜଣ ଲେଖାଏଁ ପ୍ରତିନିଧି ରାଜ୍ୟ ସ୍ତରୀୟ ଏହି ସମାବେଶରେ ସାମିଲ ହୋଇଛନ୍ତି । ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟର ପରିସରରେ ଜମିଥିଲା ସାହିତ୍ୟ ଓ ସଂସ୍କୃତି ଚର୍ଚା ।

ଏହି ସାରସ୍ୱତ ସମାରୋହରେ ଓଡିଆ ସାହିତ୍ୟ ଓ ଲୋକସଂସ୍କୃତିକୁ ନେଇ ଏକ ବୁଲେଟିନ ଉନ୍ମୋଚିତ ହୋଇଛି । ଏହା ସହିତ ଶାଖାଗୁଡିକରେ ବର୍ଷତମାମ କାର୍ଯ୍ୟକ୍ରମକୁ ନେଇ ଏକ ବୃତଚିତ୍ର ପ୍ରଦର୍ଶିତ ହୋଇଛି । ଏହାପରେ ସାହିତ୍ୟ ଓ ରାଜନୀତି ସମ୍ପର୍କୀତ ଆଲୋଚନାଚକ୍ରରେ ଆଲୋଚକ ଭାବେ ବହୁ ବିଶିଷ୍ଟ ସାହିତ୍ୟକ ଯୋଗଦେଇଥିଲେ ।