ବୀର ଯବାନ ଅନିରୁଦ୍ଧଙ୍କୁ ଝୁରୁଛି ଗାଁ ମାଟି । କାରଗିଲ ଯୁଦ୍ଧରେ ଶତୃକୁ ଦେଇଥିଲେ ମାତ୍ । ନାଗାଲାଣ୍ଡ ଦୀମାପୁରରେ ଦେଶ ପାଇଁ ଦେଇଥିଲେ ପ୍ରାଣବଳି ।

260

କନକ ବ୍ୟୁରୋ : କାର୍ଗିଲ ଯୁଦ୍ଧରେ ଲଢେଇ କରି ବୀରତ୍ୱ ଦେଖାଇଥିଲେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକର ସିଂହପୁର ଗାଁର ବୀର ଯବାନ ଅନିରୁଦ୍ଧ ବରାଳ । କାର୍ଗିଲରେ ବାହ୍ୟ ଶତ୍ରୁଙ୍କ ଆଗରେ ଦମ୍ ଦେଖାଇଥିଲେ । ହେଲେ ନାଗାଲାଣ୍ଡରେ ଗୃହଶତ୍ରୁଙ୍କ ସହ ଲଢେଇ ବେଳେ, ଦେଶପାଇଁ ଦେଲେ ପ୍ରାଣବଳୀ । ନାଗାଲାଣ୍ଡରେ ଆତଙ୍କବାଦୀଙ୍କ ସହ ଲଢେଇରେ ଯାଜପୁର ଜିଲ୍ଲାର ଲଢୁଆ ପୁଅ ଅନିରୁଦ୍ଧ ବରାଳ ସହିଦ ହୋଇଯାଇଥିଲେ । ହେଲେ ନାଗାଲାଣ୍ଡରେ ଯେଉଁ ବୀରତ୍ୱ ଦେଖାଇଥିଲେ, ଆଜି ବି ସାରା ଅଞ୍ଚଳ ତାକୁ ନେଇ ଗର୍ବ କରୁଛି ।

ସହିଦ ଯବାନ ଅନିରୁଦ୍ଧ ବରାଳ ମାର୍ଗ । ଏହି ରାସ୍ତା ଦେଇ ଯିବା ବେଳେ ମନେ ପଡିଯାଏ ସହିଦ ଯବାନ ଅନିରୁଦ୍ଧ ବରାଳଙ୍କ ବଳିଦାନର ଗାଥା । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ଗାଁରେ ସହିଦ ଯବାନ ଅନିରୁଦ୍ଧ ବରାଳଙ୍କ ଘର । ୧୮ ବର୍ଷ ସେନାରେ ଜଣେ ଡ୍ରାଇଭର ଭାବେ ଯୋଗ ଦେଇଥିଲେ । ନିଜର କର୍ତବ୍ୟନିଷ୍ଠା ବଳରେ ଅନିରୁଦ୍ଧ ଚାକିରୀରେ ପ୍ରମୋସନ ପାଇ ସାମିଲ ହୋଇଥିଲେ ନାଗା ଲିବରେସନ ଫ୍ରଂଟରେ ଇଣ୍ଟେଲିଜେନ୍ସ ବିଭାଗରେ ।

୧୯୯୮ରୁ ୨୦୦୧ ଲେହ ସେକ୍ଟର । କାରଗିଲ ଯୁଦ୍ଧରେ ଶତୃକୁ ଦେଇଥିଲେ ମାତ୍ । ୨୦୦୫ ଅକ୍ଟୋବର ୮ ତାରିଖ । ନାଗାଲାଣ୍ଡ ଦୀମାପୁରରେ ଦେଲେ ପ୍ରାଣବଳି । ଅନିରୁଦ୍ଧଙ୍କ ବଳିଦାନକୁ ପୁରିଲାଣି ୧୬ ବର୍ଷ । ଆଜି ବି ତାଙ୍କର ସ୍ମୃତିକୁ ଝୁରି ହେଉଛନ୍ତି ପରିବାର ଓ ଗ୍ରାମବାସୀ । ଅନିରୁଦ୍ଧଙ୍କ ପରି ସାହସୀ ଯୋଦ୍ଧାଙ୍କୁ ପରିବାର ସଦସ୍ୟ ଭାବେ ପାଇଥିବାରୁ ଗର୍ବ କରୁଛନ୍ତି ସଭିଏଁ । ଆଜି ତାଙ୍କର ସ୍ମୃତି ରକ୍ଷା ପାଇଁ ଗାଁରେ ତିଆରି ହୋଇଛି ସ୍ମାରକ, ପ୍ରତିମୂର୍ତି, ତାଙ୍କ ନାଁରେ ନାମିତ ହୋଇଛି ରାସ୍ତା ।

ଦେଶମାତୃକା ପାଇଁ ଲଢି ସହିଦ ହୋଇଗଲେ ଅନିରୁଦ୍ଧ । କାର୍ଗିଲରେ ଦେଖାଇଥିଲେ ବୀରତ୍ୱ । ନାଗାଲାଣ୍ଡରେ ଆତଙ୍କବାଦ ବିରୋଧୀ ଲଢେଇରେ ଦେଲେ ପ୍ରାଣବଳୀ । ସହିଦ ଯବାନଙ୍କ ଏହି ବୀରତ୍ୱର ଗାଥାକୁ ଆଜି ବି ଝୁରି ହେଉଛି ପୂରା ଜିଲ୍ଲା ।