କନକ ବ୍ୟୁରୋ : ବୀରବାଦ୍ୟ ଓ ନାଗାଠାଣିରେ ଦୁଲୁକୁଛି ଦାଣ୍ଡ । ଚନ୍ଦନ ଓ ମଲ୍ଲୀଫୁଲିଆ ଅତରରେ ମହକୁଛି ସାହି । ସମରକଳା, ଲୋକକଳା, ଲୋକନୃତ୍ୟ, ଲୋକବାଦ୍ୟ ଓ ଲୋକଗୀତର ଏହି ସର୍ବବୃହତ ମୁକ୍ତାକାଶ ଯାତ୍ରାରେ ବିଭୋର ହୋଇଛନ୍ତି ସାହିବାସିନ୍ଦା ।

Advertisment

ସାହିଯାତରେ ଦୁଲୁକୁଛି ପୁରୀ । ସାହିଯାତର ଆଦ୍ୟପର୍ବ ରାମଲୀଳା ପ୍ରଦର୍ଶିତ ହୋଇଛି । ରାମଜନ୍ମରୁ ରାବଣବଧ ଯାଏଁ ଏହି ସାହିଯାତ ଚାଲିବ । ପୁରୀ ସାହିଯାତ ବହୁ ପୁରୁଣା । ଗୁରବାର ପ୍ରଭୁ ରାମଙ୍କ ସହ ଅନ୍ୟ ୩ ଭାଇ ବାହାରି ଶ୍ରୀମନ୍ଦିରକୁ ଯାଇଥିଲେ । ପରେ ରଥରେ ବସି ସାହି ପରିକ୍ରମା କରିଥିଲେ ।

ଶ୍ରୀମନ୍ଦିରରେ ମହାଜନ ସେବକଙ୍କ ପକ୍ଷରୁ ଦୁଇଜଣ ଦଶରଥ ଓ କୌଶଲ୍ୟା ଭୂମିକାରେ ଅଭିନୟ କରିଥିଲେ । ଚାରିପଟେ ଖଣ୍ଡୁଆପାଟ ଘୋଡାଯାଇ ଜନ୍ମବିଧି କରାଯାଇଥିଲା । ଆଉ ଏହାପରେ ଆରମ୍ଭ ହୋଇଥିଲା ସାହିଯାତର ରାମ ଜନ୍ମଲୀଳା । ପରେ ଗଣ୍ଡମାଳା ଜାଗାରୁ ଯାତ ପଟୁଆର ବାହାରିଥିଲା । ନୃସିଂହ, କାଳୀ ମେଢ ସମେତ ସମରକଳା ପରିବେଷଣ ଦେଖିବାକୁ ମିଳିଥିଲା ।

ମେଢ ସହ ତରବାରୀ ଚାଳନା, କାଠି ଚାଳନା, ନିଆଁ ବନାଟି ଓ ଫୁଲ ମେଢ ଯାତର ଆକର୍ଷଣ ବଢାଇଥିଲା । ଶିବଶଙ୍କର ରାଣା ଓ ତାଙ୍କ ଦଳ ସମରକଳା ପ୍ରଦର୍ଶନ କରିଥିଲେ । ବିଳମ୍ବିତ ରାତି ଯାଏଁ ପୁରୀରେ ଚାଲିଥାଏ ସାହିଯାତ । ପ୍ରଶାସନ ପକ୍ଷରୁ ମଧ୍ୟ ସବୁପ୍ରକାରର ବ୍ୟବସ୍ଥା ହୋଇଛି । ଏହି ସାହିଯାତ ପୁରୀରେ ଏବେ ୭ଦିନ ଯାଏଁ ଚାଲିବ । ୭ ସାହି ପରିକ୍ରମା କରିବ ସାହିଯାତ । ସାହିଯାତରେ ରାମଜନ୍ମଠାରୁ ରାବଣ ବଧ ଯାଏ ପ୍ରଦର୍ଶିତ ହେବ ।