ରାଜଧାନୀକୁ ସଫା ରଖୁଥିବା ସଫେଇ କର୍ମଚାରୀଙ୍କ ଦୁଃଖ: ନିୟମିତ ଦରମା ଦେଉନି ଠିକା ସଂସ୍ଥା; ରାଜଭବନ ନିକଟରେ ଧାରଣା

କରୋନା ସମୟରେ ମାସ୍କ କିମ୍ବା ଗ୍ଲୋବସ୍ ଦେଇନଥିବା ଅଭିଯୋଗ

150

କନକ ବ୍ୟୁରୋ: ରାଜଧାନୀରେ ଧାରଣାରେ ସଫେଇ କର୍ମଚାରୀ । ରାଜଭବନ ନିକଟରେ ସମସ୍ତେ ବସିଛନ୍ତି ଧାରଣାରେ । ଗୋଟିଏ ଦାବି ଆମକୁ ମିଳୁ ଦରମା ଆଉ କରୋନାରୁ ସୁରକ୍ଷା ପାଇଁ ସୁରକ୍ଷା କିଟ୍ । ଧାରଣାରେ ବସିଛନ୍ତି ପ୍ରାୟ ୬୦ରୁ ଅଧିକ ମହିଳା ଓ ପୁରୁଷ ସଫେଇ କର୍ମଚାରୀ । ବିଏମସିର ସଫେଇ କାମକୁ ଠିକାରେ ନେଇଥିବା ଠିକାସଂସ୍ଥା, ଏହି ସଫେଇ କର୍ମଚାରୀଙ୍କୁ କରୋନା କାଳରେ ଦରମା ଦେଉନଥିବା ସେମାନେ ଅଭିଯୋଗ ଆଣିଛନ୍ତି । ଦିନରାତି ଏକ୍ କରି ରାଜଧାନୀକୁ ସଫା ରଖୁଥିବା ଦିନ ମଜୁରିଆଙ୍କୁ ଠିକାସଂସ୍ଥାର ଏପରି ବ୍ୟବହାର ସେମାନଙ୍କ ପାଇଁ କଷ୍ଟଦାୟକ ବୋଲି ସେମାନେ କହିଛନ୍ତି ।

ଭୁବନେଶ୍ୱର ବିଏମସି ଅନ୍ତର୍ଗତ ୪୬ ନଂବର ୱାର୍ଡର ୬୦ରୁ ଅଧିକ ସଫେଇ କର୍ମଚାରୀଙ୍କୁ ଦରମା ମିଳିନଥିବା ଅଭିଯୋଗ ହୋଇଛି । କରୋନା ସମୟରେ ମାସ୍କ କିଂବା ଗ୍ଲୋବସ ମଧ୍ୟ ଠିକା ସଂସ୍ଥା ଦେଉନି । ଏପରି ଅବ୍ୟବସ୍ଥା ନେଇ ସେମାନେ ବିଏମସି ଠାରୁ ଠିକା ନେଇଥିବା ଠିକା ସଂସ୍ଥା , ଜାଗୃତିକୁ ଜଣାଇଛନ୍ତି । ହେଲେ କିଛି ଫଳ ହୋଇନଥିବା ଅଭିଯୋଗ କରିଛନ୍ତି । ପ୍ରତିବାଦରେ ଆଜି ସେମାନେ ରାଜଭବନ ନିକଟରେ ଧାରଣାରେ ବସିଛନ୍ତି ।