କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ । ସହିଦନଗର ଥାନା ଏଏସଆଇ ମମତା ବସ୍ତିଆ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ୧୫ହଜାର ଟଙ୍କା ମହିଳା ଏଏସଆଇ ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି । ପୁରୁଣା ମାମଲାରୁ ନାଁ କାଟିବା ପାଇଁ ଲାଞ୍ଚ ନେଉଥିବା ସୂଚନା ମିଳିଛି ।

Advertisment

ସୂଚନା ମୁତାବକ, ଜଣେ ଭଡ଼ାଟିଆ ସହିଦନଗର ଅଞ୍ଚଳର ଶୁଭଶ୍ରୀ ମିଶ୍ର ନାମକ ଜଣେ ବରିଷ୍ଠ ନାଗରିକଙ୍କ ଘରେ ରହୁଥିଲେ। କିନ୍ତୁ ନିୟମିତ ଭଡ଼‌ା ଟଙ୍କା ଦେଉନଥିଲେ। ପାଲଟା ତାଙ୍କ ଘରକୁ ବଳପୂର୍ବକ ନିଜ କବ୍‌ଜାରେ ରଖିଥିଲେ। ଘର ଭଡ଼ା ମାଗିଲେ ନାଲିଆଖି ଦେଖାଇ ଶୁଭଶ୍ରୀଙ୍କୁ ଫେରାଇ ଦେଉଥିଲେ। ଏନେଇ ଅସହାୟ ଶୁଭଶ୍ରୀ ସହିଦନଗର ଥାନାରେ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳିନଥିଲା। ନା ଭଡ଼ାଟିଆ ଘର ଭଡ଼ା ଦେଲା, ନା ଘର ଛାଡ଼ିଲା ।

ପାଲଟା ଚଞ୍ଚକତା କରି ଶୁଭଶ୍ରୀଙ୍କ ବିରୋଧରେ କୋର୍ଟରେ ମାମଲା ରୁଜୁକରିଥିଲା। କୋର୍ଟରୁ ମାମଲା ଥାନାକୁ ଆସିବା ପରେ ଏଏସ୍ଆଇ ମମତା ତଦନ୍ତ ଭାର ନେଇଥିଲେ। ଶୁଭଶ୍ରୀଙ୍କୁ ମାମଲା ବିଷୟରେ ଜଣାଇବା ରଫାଦଫା ପାଇଁ ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେଣୁ ଶୁଭଶ୍ରୀ ଘଟଣା ସମ୍ପର୍କରେ ଭିଜିଲାନ୍ସରେ ଜଣାଇଥିଲେ। ଆଉ ଯୋଜନା ମୁତାବକ ଆଜି ଅର୍ଥାତ ଗୁରୁବାର ଦିନ ମମତା ଟଙ୍କା ପାଇଁ ଶୁଭଶ୍ରୀଙ୍କ ଘର ନିକଟକୁ ଯାଇ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା।