ଛାଡିଗଲା ହିରୋଗିରି, ପୋଲିସକୁ ମାଡ ମାରି ସିଲଟ୍ ଧରିଲେ ଆକ୍ରମଣକାରୀ । ଲାଗିଲା ସଙ୍ଗୀନ ଅଭିଯୋଗ 

8,688
କନକ ବ୍ୟୁରୋ : ଛାଡିଗଲା ହିରୋଗିରି । କ୍ୟାମେରା ଆଗରେ ଆକ୍ରମଣକାରୀ ଧରିଲେ ସିଲଟ । ସହିଦନଗର ଥାନାରେ ପଶି ପୋଲିସକୁ ମାଡ ମାରିବା ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ ପରେ ସିଲଟ ଧରାଇଛି । ପ୍ରଥମଥର ପାଇଁ କମିଶନରେଟ ପୋଲିସ ଅଭିଯୁକ୍ତଙ୍କୁ ସିଲଟ ଧରାଇ କ୍ୟାମେରା ସାମନାକୁ ଆଣିଛି । ସେମାନଙ୍କ ନାଁରେ ଲଗାଇଛି ହତ୍ୟା ଉଦ୍ୟମ, ଦଙ୍ଗା ଭିଆଇବା ଭଳି ସଙ୍ଗୀନ୍ ଦଫା  । ଘଟଣାରେ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।
କ୍ୟାମେରା ଆଗରେ ଅଭିଯୁକ୍ତ । ମହଙ୍ଗା ପଡିଲା ଥାନାରେ ପଶି ପୋଲିସକୁ ମାଡ ମାରିବା ଓ ଲଙ୍କାକାଣ୍ଡ ଘଟଣା । ମାମଲାରେ ଗିରଫ ପରେ ଏବେ ପୋଲିସ ଧରାଇଛି ସିଲଟ । ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ଅମିତ ଜେନା ଓ ଶିବାନନ୍ଦ । ୨ ଦିନ ତଳେ ସହିଦନଗର ଥାନାରେ ପଶି ଏମାନେ ଘଟାଇଥିଲେ ଲଙ୍କାକାଣ୍ଡ । ସଂଘବଦ୍ଧ ଭାବେ ପୋଲିସ କବଳରୁ ଅଭିଯୁକ୍ତକୁ ଛଡାଇ ନେବାକୁ ଉଦ୍ୟମ କରିବା ବେଳେ ପୋଲିସ ବାଧା ଦେଇଥିଲା । ହେଲେ ଏମାନେ ଥାନାରେ ପଶି ପୋଲିସକୁ ଗୋଡେଇ ଗୋଡେଇ ମାଡ ମାରି ଲହୁଲୁହାଣ କରିଥିଲେ । ଏଥିରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ ।
ତେବେ  ୨ ଦିନ ପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ଥାନାରେ ପଶି  ପୋଲିସଙ୍କୁ ମାରପିଟ୍ କରିବା ଅଭିଯୋଗରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ କୋର୍ଟ ଚାଲାଣ ହୋଇଛନ୍ତି ୨ ଅଭିଯୁକ୍ତ । ଏମାନଙ୍କ ନାଁରେ ଲାଗିଛି ସଙ୍ଗୀନ୍ ଦଫା । ହତ୍ୟା ଉଦ୍ୟମ, ଦଙ୍ଗା ଭିଆଇବା , ସରକାରୀ ସମ୍ପତି ନଷ୍ଟ କରିବା, କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ କାର୍ଯ୍ୟରେ ବାଧା ଦେବା, ଆକ୍ରମଣ, ଅପହରଣ ପରି ଦଫାରେ ମାମଲା ରୁଜ୍ଜୁ କରିଛି ପୋଲିସ । ଏହି ଘଟଣାରେ ସିସିଟିଭି ଫୁଟେଜ୍ ଆଧାରରେ ୧୦ରୁ ଅଧିକ ଅଭିଯୁକ୍ତଙ୍କୁ ଚହ୍ନଟ ସରିଥିବା ପୋଲିସ କହିଛି । ଖୁବଶୀଘ୍ର ସମସ୍ତଙ୍କୁ ଗିରଫ କରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।
୨ ଦିନରେ ଛାଡିଗଲା ହିରୋଗିରି । ଏବେ ଥାନାରେ ଧରିଛନ୍ତି ସିଲଟ । ତାହାପୁଣି ଗଣମାଧ୍ୟମ ଆଗରେ । ହାତରେ ସିଲଟ ଧରି ଅଭିଯୁକ୍ତଙ୍କ ଏମିତି ଫଟୋ ଜାରି କରାଯିବା କମିଶନରେଟ୍ ପୋଲିସ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି  ।