ଅବହେଳିତ ସ୍ୱାଧିନତା ସଂଗ୍ରାମୀଙ୍କ ଗାଁ ! ପରିଚୟ ଖୋଜୁଛି ସହିଦ୍ ଲକ୍ଷ୍ମଣ ନାୟକଙ୍କ ଜନ୍ମ ମାଟି ।

69

କନକ ବ୍ୟୁରୋ : ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କ ଗାଁ ଖୋଜୁଛନ୍ତି ପରିଚୟ  । ସହିଦ ଲକ୍ଷ୍ମଣ ନାୟକଙ୍କୁ ଝୁରୁଛି ଗାଁ ମାଟି  । ସହିଦ ଲକ୍ଷ୍ମଣ ନାୟକଙ୍କ ନାଁରେ କୋରାପୁଟ ମେଡିକାଲ କଲେଜ କରାଯାଇଛି । ହେଲେ ଆଜି ବି ଏହି ସହିଦ୍ ଜନ୍ମମାଟି  ବୈପାରିଗୁଡ଼ା ବ୍ଳକରେ ଥିବା ତେନ୍ତୁଳିଗୁମା ଗାଁରେ ପହଂଚି ପାରିନି ଗାଁ ସରକାରଙ୍କ ବିକାଶର ଗାଡି । 

ପ୍ରତି ବର୍ଷ ଜୟନ୍ତୀରେ ମନେ ପଡ଼ନ୍ତି ସହିଦ ଲକ୍ଷ୍ମଣ ନାୟକ । ଫୁଲ ମାଳ ଓ ପୁଳା ପୁଳା ପ୍ରତିଶୃତି ଦେଇ କାମ ସାରି ଦିଅନ୍ତି ନେତା ଓ ପ୍ରସାଶନ । ତାଙ୍କ ସ୍ମୃତିଚାରଣ ପାଇଁ ଅନେକ ସ୍ଥାନରେ ସଭା ସମିତି ଆୟୋଜନ କରାଯାଏ । ହେଲେ ଆଜି ବି ପରିଚୟ ଖୋଜୁଛି ସହିଦଙ୍କ ଗାଁ ତେନ୍ତୁଳିଗୁମା । 

ଗାଁ କୋରାପୁଟରେ, ରାସ୍ତା ମାଲକାନଗିରିରେ । ଦେଶ ପାଇଁ ବଳିଦାନ ଦେଇଥିବା ଲକ୍ଷ୍ମଣ ନାଏକଙ୍କ ଗାଁରେ ନା ଅଛି ଭଲ ରାସ୍ତା ନା ଶିକ୍ଷା ବ୍ୟବସ୍ଥା । ବିଜୁଳି  ଦିନକୁ ମାତ୍ର ୪ ଘଂଟା ମିଳେ । କୋରାପୁଟ ବୈପାରିଗୁଡ଼ା ବ୍ଳକରେ ଥିବା ତେନ୍ତୁଳିଗୁମା ଗାଁକୁ ରାସ୍ତା ନଥିବାରୁ ମାଲକାନଗିରି ଗୋବିନ୍ଦପାଲ୍ଳୀ ଦେଇ ଯିବାକୁ ପଡେ । ରାସ୍ତା ନିର୍ମାଣରେ ସାବେରୀ ନଦୀ ବାଧକ ସାଜିଥିବା ବେଳେ ସ୍ୱାଧିନତାର ୭୦ ବର୍ଷ ପରେ ବି ଏହି ନଦୀ ଉପରେ ପୋଲଟିଏ ନିର୍ମାଣ ହୋଇ ପାରିନାହିଁ । ତେନ୍ତୁଳିଗୁମା ଗାଁରେ କେବଳ ସହିଦଙ୍କ ପ୍ରତିମୂର୍ତି ଓ ସମାଧିକୁ ଛାଡ଼ି ଦେଲେ ଆଉ କିଛି ନାହିଁ । ପ୍ରତି ବର୍ଷ ପରି ଚଳିତ ବର୍ଷ ବି ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀରେ ସହିଦଙ୍କ ଗାଁରେ ପହଂଚିଥିଲେ କୋରାପୁଟ ଜିଲ୍ଳାପାଳ । ଆଉ ଗାଁର ସମସ୍ୟା ଦେଖି ସମାଧନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।