ମୋଦି ଗଲେ ଶାହା ଆସିବେ ! ନବୀନଙ୍କୁ ପୁଣିଥରେ ଟାର୍ଗେଟ କରିବେ କି ବିଜେପି ମୁଖିଆ,ସରଗରମ ହେଲା ଓଡିଶା ରାଜନୀତି

52

କନକ ବ୍ୟୁରୋ : ମୋଦି ଗଲେ ଶାହା ଆସିବେ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ ପାଇଁ ଦିନିକିଆ ଗସ୍ତରେ ଓଡିଶା ଆସିଥିଲେ । ସେପଟେ ଆସନ୍ତାକାଲି ମହିଳା ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରୀଣୀରେ ସାମିଲ ହେବାକୁ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସରିଲା, ହେଲେ ଜୋର ଧରିଲା ରାଜନୀତି । ଦୁର୍ନୀତି ଓ ପିସି କାରବାର ନେଇ ରାଜ୍ୟ ସରକାରଙ୍କୁ ମୋଦି, କାଠଗଡାରେ ଠିଆ କରିବା ପରେ ଆଜି ବିଜେପି କହିଛି, ସତ କହିଛନ୍ତି ପ୍ରଧାନମନ୍ତ୍ରୀ । ସେପଟେ ବିଜେଡି କହିଛି, ଏହା ବିଜେପିର ପଲିଟିକାଲ୍ ଜୁମଲା । ପ୍ରଧାନମନ୍ତ୍ରୀ ଏଭଳି କହି ଅତି ନିମ୍ନସ୍ତରକୁ ଚାଲିଯାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନବୀନ, ମନେ ପକାଇଦେଇଛନ୍ତି ଉଜ୍ଜ୍ୱଳା ଓ ସ୍କିଲ୍ ଇଣ୍ଡିଆ ଯୋଜନାର ଦୁର୍ନୀତି କଥା । ବିଜେଡି କହିଛି, ଉଜ୍ଜ୍ଳା ଯୋଜନାରେ ରାଜ୍ୟରେ ଗତ ଦୁଇ ବର୍ଷରେ ୩୦ ଲକ୍ଷ ୪୮ ହଜାର ଘରେ ଏଲପିଜି ସଂଯୋଗ କରାଯାଇଥିବା କେନ୍ଦ୍ରମନ୍ତ୍ରୀ କହୁଛନ୍ତି । ହେଲେ ବାସ୍ତବରେ ୨୦୧୬-୧୭ରେ ମାତ୍ର ୮ ଲକ୍ଷ ୧୮ ହଜାର ଲୋକ ସିଲିଣ୍ଡର ରିଫିଲିଂ କରିଛନ୍ତି । ଏବଂ ୨୦୧୭-୧୮ରେ ତାହା ୬ ଲକ୍ଷ ୪୫ ହଜାରକୁ ଖସିଆସିଛି । ସେହିପରି ସ୍କାମ ଇଣ୍ଡିଆରେ ପରିବର୍ତନ ହୋଇଛି ମୋଦି ସରକାରଙ୍କ ସ୍କିଲ୍ ଇଣ୍ଡିଆ ପ୍ରୋଗ୍ରାମ । ତିନି ବର୍ଷ ତଳେ ଆରମ୍ଭ ହୋଇଥିବା ସ୍କିଲ୍ ଇଣ୍ଡିଆ ପ୍ର୍ରୋଗ୍ରାମରେ ୨୦୨୨ ସୁଦ୍ଧା ୪୦ କୋଟି ଲୋକଙ୍କୁ ତାଲିମ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଏହି ଯୋଜନାରେ ତାଲିମପ୍ରାପ୍ତ ଦର୍ଶାଯାଇଥିବା ଅଧିକାଂଶ ହିତାଧିକାରୀ, କେବଳ କାଗଜକଲମରେ ସୀମିତ ।

ବିଜେଡି-ବିଜେପି ତୁତୁ ମେଁ ମେଁ ଭିତରେ ଆସନ୍ତାକାଲି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ପୁରୀରେ ବିଜେପିର ମହିଳା ସମାବେଶରେ ସେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଅମିତ ଶାହା କଣ କହିବେ, ତାଉପରେ ରହିଛି ସମସ୍ତଙ୍କ ନଜର ରହିଛି ।