କନକ ବ୍ୟୁରୋ : ସାହାରା ଗ୍ରୁପରେ ଟଙ୍କା ନିବେଶ କରିଥିବା ଜମାକାରୀଙ୍କ ପାଇଁ ଖୁସି ଖବର । ଦୀର୍ଘଦିନ ଧରି ସାହାରା ଗ୍ରୁପରେ ଫଶି ରହିଥିବା ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଦିଲ୍ଲୀ ଠାରେ ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ଟଙ୍କା ଫେରସ୍ତ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଏହି କ୍ରମରେ ଆଜି ୧୧୨ ଜଣ ଜମାକାରୀଙ୍କୁ ବ୍ୟାଙ୍କ ଖାତାକୁ ୧୦ ହଜାର ଟଙ୍କା ଲେଖାଏଁ ଟଙ୍କା ଫେରାଇଛନ୍ତି । ଏନେଇ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି, ଏପର୍ଯ୍ୟନ୍ତ ୧୮ ଲକ୍ଷ ଜମାକାରୀ ଏହି ପୋର୍ଟାଲ ମାଧ୍ୟମରେ ପଞ୍ଜିକରଣ କରିସାରିଛନ୍ତି ।

Advertisment

ସୂଚନା ଥାଉକି ଜୁଲାଇ ୧୮ ତାରିଖରେ ସାହାରା ଇଣ୍ଡିଆ ଟଙ୍କା ଫେରସ୍ତ ନେଇ କେନ୍ଦ୍ର ଗୃହମନ୍ତ୍ରୀ ସାହାରା ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରିଥିଲେ । ଏବେ ସେହି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଉଛି ଯେଉଁମାନଙ୍କର ମାଚ୍ୟୁରିଟି ଅବଧୀ ସମାପ୍ତ ହୋଇସାରିଛି । ଏହି ପୋର୍ଟାଲରେ ଏବେ ସାହାରା ଇଣ୍ଡିଆ ଜମାକାରୀଙ୍କର ସମସ୍ତ ତଥ୍ୟ ରହିଛି ।

କହିରଖୁ କି ସାହାରା ଇଣ୍ଡିଆ କୋ-ଅପରେଟିଭ ସୋସାଇଟିରେ ଜମାକାରୀଙ୍କର ୧୦ ହଜାର କୋଟି ଟଙ୍କା ଫଶି ରହିଛି । ଏହା ମଧ୍ୟରୁ ବିହାର, ଝାଡଖଣ୍ଡ, ଉତ୍ତର ପ୍ରଦେଶ ଭଳି ରାଜ୍ୟରେ ଜମାକାରୀଙ୍କ ସଂଖ୍ୟା ସର୍ବାଧିକ । ଟଙ୍କା ଫେରସ୍ତ କରିବାରେ ସାହାରା ବିଫଳ ହେବା ପରେ ଜମାକାରୀମାନେ ଏହି ମାମଲାରେ ସରକାରଙ୍କ ହସ୍ତକ୍ଷେପ ପାଇଁ ଦାବି କରିଥିଲେ ।

ସାହାରା ଇଣ୍ଡିଆ କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟ ଲିମିଟେଡ, ସହାରାୟନ ୟୁନିଭର୍ସଲ ମଲ୍ଟିପ୍ରପୋଜ ସୋସାଇଟି ଲମିଟେଡ, ହମାରା ଇଣ୍ଡିଆ କୋ-ଅପରେଟିଭ ସୋସାଇଟି ଲିମିଟେଡ ଓ ଷ୍ଟାର୍ସ ମଲ୍ଟିପ୍ରପୋଜ କୋ-ଅପରେଟିଭ ସୋସାଇଟି ଲିମିଟେଡର ନିବେଶକମାନେ ଏହି ପୋର୍ଟାଲ ମାଧ୍ୟମରେ ଟଙ୍କା ଫେରିପାଇବା ପାଇଁ ଆବେଦନ କରିପାରିବେ ।