ସାହାରାର ନିବେଶକଙ୍କ ମନରେ ଉଠିଥିବା ପ୍ରଶ୍ନ ହେଉଛି ବର୍ତ୍ତମାନ ସେମାନଙ୍କ ଟଙ୍କା ବୁଡିଯିବ କି ?

Kanak News is now on WhatsApp
Join and get latest news updates delivered to you via WhatsApp
ଯଦି ନୁହେଁ, ଅଟକି ରହିଥିବା ଟଙ୍କା କିପରି ଫେରି ପାଇବେ ? ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଲୋକମାନେ ଟଙ୍କା ପାଇବାକୁ ଆଶା ରଖିଥିଲେ।
ସାହାରା ଗ୍ରୁପ୍ ମୁଖ୍ୟ ସୁବ୍ରତ ରୟଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ପରେ ସାହାରାର କୋଟି କୋଟି ନିବେଶକଙ୍କ ମଧ୍ୟରେ ଚିନ୍ତାର ଲହରୀ ଖେଳିଯାଇଛି । ନିବେଶକଙ୍କ ମନରେ ଉଠିଥିବା ପ୍ରଶ୍ନ ହେଉଛି ସେମାନଙ୍କର ଟଙ୍କା ବର୍ତ୍ତମାନ ବୁଡିଯିବ କି ? ଯଦି ନୁହେଁ, ଅଟକି ରହିଥିବା ଟଙ୍କା କିପରି ଫେରି ପାଇବେ ? ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଲୋକମାନେ ଟଙ୍କା ପାଇବାକୁ ଆଶା ରଖିଥିଲେ । ଅନେକ ଲୋକ ସାହାରା ରିଫଣ୍ଡ ପୋର୍ଟାଲରେ ଟଙ୍କା ଫେରସ୍ତ ପାଇଁ ମଧ୍ୟ ଆବେଦନ କରିଥିଲେ। କିନ୍ତୁ ଗତକାଲି ରାତିରେ ‘ସାହାରା ଶ୍ରୀ’ଙ୍କ ଦେହାନ୍ତ ପରେ ସେମାନେ ନିରାଶ ହୋଇଛନ୍ତି।
ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ନିବେଶକଙ୍କ ଟଙ୍କା ଫେରସ୍ତର ପ୍ରକ୍ରିୟାରେ ବର୍ତ୍ତମାନ କଣ ହେବ …
ନିବେଶକମାନେ ପ୍ରଶ୍ନ ପଚାରୁଛନ୍ତି ଏହିପରି ଜଣେ ନିବେଶକ ହେଉଛନ୍ତି ୟୁପିର ଅରାୟା ଜିଲ୍ଲାରେ ରହୁଥିବା ଜିତେନ୍ଦ୍ର କୁମାର ରାଜପୁତ। ତାଙ୍କର ୩ ଲକ୍ଷ ୫୦ ହଜାର ଟଙ୍କା ସାହାରାରେ ଅଟକି ରହିଛି । ବର୍ଷ ବର୍ଷ ଧରି ସେ ଏହାକୁ ଫେରି ପାଇବା ପାଇଁ ଏଠିକି ସେଠିକି ଦଉଡି ଦଉଡି ହତାଶ ହେଇଗଲେଣି । ସେ କହିଛନ୍ତି ଯେ କୋର୍ଟଙ୍କ ନିଷ୍ପତ୍ତି ପରେ କିଛି ଆଶା ଥିଲା କିନ୍ତୁ ଏବେ ସୁବ୍ରତ ରୟଙ୍କ ମୃତ୍ୟୁ ପରେ କ’ଣ ହେବ, ଆମେ ଜାଣିନାହୁଁ ।
ଅନ୍ୟ ଜଣେ ନିବେଶକ ସଞ୍ଜୟ ଗୁପ୍ତା କୁହନ୍ତି ଯେ ମୁଁ ପ୍ରାୟ ୧୦ ବର୍ଷ ପୂର୍ବେ ସାହାରାରେ ୧ ଲକ୍ଷ ୭୫ ହଜାର ଟଙ୍କା ବିନିଯୋଗ କରିଥିଲି। ସୁବ୍ରତ ଜୀଙ୍କର ବିୟୋଗରେ ମୁଁ ଦୁଃଖିତ ଏବଂ ତ ସହ ମୋର ପଇସା ବୁଡିଯିବାର ମଧ୍ୟ ଭୟ ରହିଛି ।
ନିବେଶକମାନେ କହିଛନ୍ତି ଯେ ସରକାର ସେମାନଙ୍କ ଟଙ୍କା ଫେରସ୍ତ କରିବା ଉଚିତ୍। ଆମେ ଅନେକ ବର୍ଷ ଧରି ନ୍ୟାୟ ପାଇଁ ଅପେକ୍ଷା କରିଛୁ । ପ୍ରାୟ ୩ କୋଟି ନିବେଶକ ସେମାନଙ୍କର କଷ୍ଟ ଉପାର୍ଜିତ ଟଙ୍କା ନିବେଶ କରିଛନ୍ତି । ପ୍ରାୟ ତିନି କୋଟି ନିବେଶକ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ସାହାରା ଗ୍ରୁପର ଚାରୋଟି ସମବାୟ ସମିତିରେ ଜମା କରିଥିଲେ । ଅଧିକାଂଶ ନିବେଶକ ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ଅଟନ୍ତି । କିନ୍ତୁ ନିବେଶର ଅବଧି ସମାପ୍ତ ହେବା ପରେ ମଧ୍ୟ ଲୋକମାନେ ଟଙ୍କା ଫେରସ୍ତ ପାଇନଥିଲେ । ବର୍ଷ ବର୍ଷ ଧରି ଏହି ଲୋକମାନେ ଟଙ୍କା ଫେରସ୍ତ ପାଇଁ ଚେଷ୍ଟା କରି ଆସୁଛନ୍ତି । ଏହା ସହ କୋର୍ଟରେ ଏ ସଂକ୍ରାନ୍ତରେ ମାମଲା ମଧ୍ୟ ଚାଲିଥିଲା । ଏହି ସମୟରେ, ୨୦୧୨ ମସିହାରେ ସୁପ୍ରିମକୋର୍ଟ ସାହାରାକୁ ନିବେଶକମାନଙ୍କୁ ସୁଧ ସହିତ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅବଶ୍ୟ ଏହା ପରେ ମଧ୍ୟ ନିବେଶକମାନଙ୍କୁ ତାଙ୍କ ନିଜ ଟଙ୍କା ଫେରସ୍ତ ପାଇବାକୁ ବହୁତ ସମୟ ଲାଗିଗଲା ।
ଅଗଷ୍ଟ ୨୦୨୩ ରେ, ସାହାରା ଇଣ୍ଡିଆର ୪ ଟି ସମବାୟ ସମିତିରେ ଫସି ରହିଥିବା କୋଟି କୋଟି ନିବେଶକଙ୍କ ପାଇଁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଘରୁ ବସି ଟଙ୍କା ଫେରସ୍ତ ପାଇଁ ଆବେଦନ କରିବାର ସୁବିଧା କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସାହାରା ରିଫଣ୍ଡ ପୋର୍ଟାଲ (CRCS) ମାଧ୍ୟମରେ ପ୍ରଦାନ କରାଯାଇଥିଲା । ୫୦୦୦ କୋଟି ଟଙ୍କା ଫେରସ୍ତ କରାଯିବ ବୋଲି ମଧ୍ୟ କୁହାଯାଇଥିଲା ।
ରିଫଣ୍ଡ ପାଇଁ ଏହି ପୋର୍ଟାଲରେ ଆବେଦନ କରିପାରିବେ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ଚଳିତ ବର୍ଷ ସାହାରା ରିଫଣ୍ଡ ପୋର୍ଟାଲ https://mocrefund.crcs.gov.in/ ପ୍ରତିଷ୍ଠା କରିଛନ୍ତି । ନିବେଶକମାନେ ଏହି ପୋର୍ଟାଲକୁ ଯାଇ ସେମାନଙ୍କ ଟଙ୍କା ଫେରସ୍ତ ପାଇଁ ଆବେଦନ କରିପାରିବେ । ଏହି ପୋର୍ଟାଲ ମାଧ୍ୟମରେ ସାହାରା ଗ୍ରୁପ୍ ର ୪ ଟି ସମବାୟ ସମିତି – ସାହାରା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍, ସାହାରା ୟୁନିଭର୍ସାଲ୍ ମଲ୍ଟିପର୍ପୋଜ୍ ସୋସାଇଟି ଲିମିଟେଡ୍, ହୁମାରା ଇଣ୍ଡିଆ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ଏବଂ ଷ୍ଟାର୍ସ ମଲ୍ଟିପର୍ପୋଜ୍ କୋଅପରେଟିଭ୍ ସୋସାଇଟି ଲିମିଟେଡ୍ ର ନିବେଶକମାନେ ସେମାନଙ୍କ ଟଙ୍କା ଫେରସ୍ତ ପାଇବେ । ସୂଚନାଯୋଗ୍ୟ ଯେ କେବଳ ମାର୍ଚ୍ଚ ୨୨,୨୦୨୨ ପୂର୍ବରୁ ସାହାରାରେ ବିନିଯୋଗ କରିଥିବା ଲୋକମାନେ ଏହି ପୋର୍ଟାଲ ମାଧ୍ୟମରେ ଫେରସ୍ତ ପାଇପାରିବେ ।
୪୫ ଦିନ ମଧ୍ୟରେ ବିନିଯୋଗ କରିଥିବା ଅର୍ଥ ଫେରିପାଇବେ
ସାହାରା ରିଫଣ୍ଡ ପୋର୍ଟାଲରେ ଆବେଦନ କରିବାକୁ ନିବେଶକଙ୍କ ପାଖରେ ସଦସ୍ୟତା ନମ୍ବର, ଜମା ଖାତା ନମ୍ବର, ଆଧାର ସହିତ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର, ଜମା ପ୍ରମାଣପତ୍ର ଇତ୍ୟାଦି ରହିବା ଆବଶ୍ୟକ ଅଟେ । ସାହାରାରେ ଅଟକି ରହିଥିବା ଟଙ୍କା ଦାବି କରିବା ପାଇଁ ନିବେଶକଙ୍କ ଆଧାର ତାଙ୍କ ସକ୍ରିୟ ମୋବାଇଲ୍ ନମ୍ବର ସହିତ ସଂଯୁକ୍ତ ହେବା ଆବଶ୍ୟକ । ଆହୁରି ମଧ୍ୟ, ଆଧାର ସହିତ ବ୍ଯାଙ୍କ ଆକାଉଣ୍ଟ ଲିଙ୍କ୍ ହୋଇଥିବା ଅନିବାର୍ଜ୍ୟ ଅଟେ । ଏହା ବିନା କୌଣସି ବି ନିବେଶକ ଅର୍ଥ ଫେରସ୍ତ ପାଇଁ ଦାବିପତ୍ର ଦାଖଲ କରିବାକୁ ସକ୍ଷମ ହେବେ ନାହିଁ । ଆବେଦନ କରିବାକୁ କୌଣସି ଦେୟ ପଡ଼ିବ ନାହିଁ । କୌଣସି ବି ସମସ୍ୟା ପାଇଁ ଟୋଲ୍ ଫ୍ରି ନମ୍ବର (1800 103 6891 ଏବଂ 1800 103 6893) ପ୍ରଦାନ କରାଯାଇଛି । ନିବେଶକଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଏହି ଟଙ୍କା ୪୫ ଦିନ ମଧ୍ୟରେ ତାଙ୍କ ଆକାଉଣ୍ଟକୁ ଜମା ହେବ । ଏହି ପୋର୍ଟାଲ ମାଧ୍ୟମରେ ପ୍ରାୟ ୨.୫ କୋଟି ନୋବେଶକ ଉପକୃତ ହେବେ।