ଚିଟଫଣ୍ଡ କ୍ଷତ ଶୁଖିନି, ସାମ୍ନାକୁ ଆସିଲା ସାହାରା ଠକେଇର ସାଂଘାତିକ ଅଭିଯୋଗ । ମାଚ୍ୟୁରିଟି ପରେ ବି ଫେରାଉନି ଜମା ଟଙ୍କା, କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ସମବାୟ ସମିତି ନିବନ୍ଧକ

1,329

କନକ ବ୍ୟୁରୋ : ଚିଟଫଣ୍ଡ ଠକାମୀର କ୍ଷତ ଶୁଖିନଥିବା ବେଳେ ଏବେ ସାମନାକୁ ଆସିଛି ସାହାରାର ଠକେଇ ଅଭିଯୋଗ । ସାହାରା ଗ୍ରୁପ ଅନୁବନ୍ଧିତ ୩ଟି ସଂସ୍ଥା ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଜମା ନେଇଛି, ହେଲେ ଟଙ୍କା ଫେରାଇବା ନାଁ ନେଉନାହିଁ । ଜମାରାଶିର ମାଚ୍ୟୁରିଟି ପରେ ଟଙ୍କା ଫେରାଇବାକୁ ରାଜି ହେଉନାହିଁ । ପୁଣି ଥରେ ଜମା ରଖିବାକୁ ଲୋକଙ୍କୁ ବାଧ୍ୟ କରୁଛନ୍ତି ଅଧିକାରୀ । ଅଧିକ ସୁଧ ଲୋଭରେ ହଜାର ହଜାର ଲୋକ ସାହାରାରେ ଟଙ୍କା ରଖିଥିବା ବେଳେ ଜମାକାରୀ ଏବେ ସମବାୟ ପ୍ରବନ୍ଧକଙ୍କ ନିକଟରେ ପିଟିସନ ଦାଖଲ କରିଛନ୍ତି । ଫଳରେ ତନାଘନା ଆରମ୍ଭ ହୋଇଛି ।

ଚିଟ୍ଫଣ୍ଡ ଠକାମୀର କ୍ଷତ ଶୁଖିନଥିବା ବେଳେ ଏହିପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ସାହାରା ପାଇଁ କାମ କରୁଥିବା ଏଜେଂଟମାନେ । ଅଭିଯୋଗ ଆସିଛି, ସାହାରା ଗ୍ରୁପ ଅନୁବନ୍ଧିତ ତିନିଟି କୋପରେଟିଭ୍ ସୋସାଇଟି ବିରୋଧରେ । ସାହାରା କୋପରେଟିଭ ସୋସାଇଟି ଲିମିଟେଡ୍ । ହମାରା ଇଣ୍ଡିଆ କ୍ରେଡିଟ୍ କୋପରେଟିଭ ସୋସାଇଟି । ସାହାରାୟଣ ଇ-ମଲ୍ଟିପରପୋଜ୍ କୋପରେଟିଭ ସୋସାଇଟି । ଲକ୍ଷ୍ନୌ, କୋଲକାତା ଓ ଭୋପାଳରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଏହି ତିନିଟି ସଂସ୍ଥା, ଓଡ଼ିଶାର କୋଣ ଅନୁକୋଣରେ ଶାଖା କରି ଲୋକଙ୍କ ଠାରୁ ବିପୁଳ ପରିମାଣର ଜମା ରଖିଛନ୍ତି । ହେଲେ ଜମାରାଶିର ମାଚ୍ୟୁରିଟି ପରେ ଟଙ୍କା ଫେରାଇବାକୁ ରାଜି ହେଉନାହାନ୍ତି । ପୁଣି ଥରେ ଜମା ରଖିବାକୁ ଲୋକଙ୍କୁ ବାଧ୍ୟ କରୁଛନ୍ତି ଅଧିକାରୀ ।

ଅଧିକ ଲାଭର ଲୋଭ ଦେଖାଇ ବିଭିନ୍ନ ସ୍କିମରେ ହଜାର ହଜାର ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଛନ୍ତି ସାହାରା ଗ୍ରୁପର କୋପରେଟିଭ୍ ସଂସ୍ଥା । ଲୋକଙ୍କ ଠାରୁ ଟଙ୍କା ନେଇ ଏହି ସଂସ୍ଥାଗୁଡ଼ିକ ସାହାରା ଇଣ୍ଡିଆରେ ନିବେଶ କରିଥାନ୍ତି । ଜମା ଅବଧି ପୂର୍ଣ୍ଣ ହେବା ପରେ ଜମାକାରୀଙ୍କୁ ଟଙ୍କା ଫେରାଇବା ବଦଳରେ ପୁଣି ଥରେ ଜମା ରଖିବାକୁ ବାଧ୍ୟ କରାଯାଉଛିି । ଏ ନେଇ ସମବାୟ ସମିତି ନିବନ୍ଧକଙ୍କ ନିକଟରେ ପିଟିସନ ଦାଖଲ କରିଛନ୍ତି ୮୫ ଜଣ ଜମାକାରୀ । ଏ ନେଇ ତନାଘନା ଆରମ୍ଭ କରିଛି ଓଡ଼ିଶା ସମବାୟ ସମିତି ସମୂହ । ପ୍ରାଥମିକ ଅନୁସଂଧାନରୁ ଯାହା ମିଳିଛି, ସେଥିରେ ବଡ଼ ଷଡଯନ୍ତ୍ରର ପ୍ରମାଣ ମିଳିଛି । କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଏସବୁ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି ସମବାୟ ସମିତି ନିବନ୍ଧକ ।

ମଲ୍ଟି-ଷ୍ଟେଟ୍ କୋପରେଟିଭ୍ ସୋସାଇଟି ଆକ୍ଟ-୨୦୦୨ ଅନୁସାରେ ଗଠିତ ଏହି ତିନିଟି ସୋସାଇଟି ଲୋକଙ୍କ ଠାରୁ ଜମା ଉଠାଉଛନ୍ତି । ଜମାକାରୀଙ୍କ ଅଜାଣତରେ ୨୦ ଟଙ୍କାର ସେୟାର ଦେଇ ସେମାନଙ୍କୁ ସୋସାଇଟିର ସଦସ୍ୟ କରାଯାଇଛି । ସବୁଠୁ ବଡ଼ କଥା ହେଲା, ସମବାୟ ସମିତି ନିବନ୍ଧକଙ୍କ ଯାଂଚ ପ୍ରକ୍ରିୟାରେ ମଧ୍ୟ ସହଯୋଗ କରୁନାହାନ୍ତି ଏହି ସଂସ୍ଥା । ଏବେ ପ୍ରଶ୍ନ ଉଠୁଛି, ସାହାରା ଠାରୁ କିପରି ଫେରିପାଇବେ ଟଙ୍କା । ନା’ ଚିଟ୍ଫଣ୍ଡ ଭଳି ପୁଣି ଠକାମୀର ଶିକାର ହେବେ ହଜାର ହଜାର ଜମାକାରୀ ।