କନକ ବ୍ୟୁରୋ: ଗେରୁଆ ପତାକାକୁ ନେଇ ବିବାଦ । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତରେ ଗେରୁଆ ପତାକା ଉଡିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଉଠାଇଛି । ୩ ଦିନିଆ ୟୁରୋପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ସୋମବାର ଜର୍ମାନୀରେ ପହଞ୍ଚିବା ପରେ ତାଙ୍କର ଜୋରଦାର ସ୍ୱାଗତ କରାଯାଇଥିଲା । ସେଠାରେ ଥିବା ପ୍ରବାସୀ ପ୍ରଧାନମନ୍ତ୍ରୀଙ୍କର ସ୍ୱାଗତ କରିଥିଲେ । ତେବେ କିଛି ଜଣ ସ୍ୱାଗତ ବେଳେ ଗେରୁଆ ପତାକା ଉଡାଇଥିଲେ । ଏହାକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟରରେ ଏହି ଭିଡିଓ ସେୟାର କରାଯାଇଛି । ଭିଡିଓ ସେୟାର ହେବା ପରେ ବିରୋଧୀ ଦଳର ନେତା ଏହାକୁ ନେଇ ପ୍ରଶ୍ନ ଉଠାଉ ଥିବା ବେଳେ ବିଜେପି ନେତା ଏହାର ସପକ୍ଷରେ ମତ ଦେଇଛନ୍ତି । ଟ୍ୱିଟରରେ ଏହାକୁ ନେଇ ଲଢେଇ ଜୋରଦାର ଆରମ୍ଭ ହୋଇଯାଇଛି ।

Advertisment

ମୋଦୀଙ୍କ ସ୍ୱାଗତବେଳେ ପ୍ରବାସୀ ଭାରତୀୟ ଉତ୍ସାହିତ ନଜର ଆସିଥିଲେ । ଲୋକେ ବାଜା ବଜାଇ ତାଙ୍କର ସ୍ୱାଗତ କରିଥିଲେ । ତେବେ କିଛି ଜଣ ଗେରୁଆ ପତାକା ସହ ନାଚୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓକୁ ପିଏମଓ ପକ୍ଷରୁ ଟ୍ୱିଟ କରାଯାଇଥିଲା । କ୍ୟାପସନରେ ଲେଖାଯାଇଥିଲା ବ୍ରାଣ୍ଡେନବର୍ଗ ଗେଟରେ ଭାରତୀୟ ଫ୍ଲେଭର, ନଜର ପକାନ୍ତୁ । ତେବେ ବିରୋଧୀ ନେତା ଏହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ।

କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ଡ. ଶାମା ମହମ୍ମଦ ପିଏମଓର ଟ୍ୱିଟକୁ ରିଟ୍ୱିଟ୍ କରି ପଚାରିଛନ୍ତି – ଏହି ପତାକା କାହାର? ସେହିଭଳି ନାଗାଲାଣ୍ଡ କଂଗ୍ରେସର ମହାସଚିବ ଜେକେ ଝିମୋମି କହିଛନ୍ତି, ତ୍ରିରଙ୍ଗା କେଉଁଠି ଅଛି? ଏହିଭଳି ଅନେକ ଟ୍ୱିଟ ଗୋଟିଏ ପରେ ଗୋଟିଏ ଆସିବାରେ ଲାଗିଛି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଏହି ଟ୍ୱିଟକୁ ରିଟ୍ୱିଟ କରି ଲେଖିଛି ଭାରତୀୟ ସ୍ୱାଦ ଦୁନିଆର ସବୁଠାରେ ଦେଖିବାକୁ ମିଳୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ୟୁରୋପ ଗସ୍ତରେ ଅଛନ୍ତି । ପ୍ରଥମେ ସେ ଜର୍ମାନୀ ଏହା ପରେ ଡେନମାର୍କ, ଫ୍ରାନ୍ସ ଗସ୍ତ କରିବେ । ୨୦୨୨ରେ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ବିଦେଶ ଗସ୍ତ । ଗତବର୍ଷ ୨୯ ଅକ୍ଟୋବରରୁ ନଭେମ୍ବର ୨ ଯାଏ ଇଟାଲୀ ଏବଂ ୟୁକେ ଗସ୍ତରେ ଯାଇଥିଲେ ।