କନକ ବ୍ୟୁରୋ : ସେଫ୍ଟି ଷ୍ଟିକ୍ ବା ସକ୍ ଲାଠି । ଏହା ଏମିତି ଏକ ଷ୍ଟିକ୍ ଯାହା ଆପଣଙ୍କୁ ଅସାମାଜିକ ଲୋକଙ୍କଠାରୁ ସୁରକ୍ଷା ଦେବ । ଯଦି କେହି ଆପଣଙ୍କୁ ଆକ୍ରମଣ କରିବାକୁ ଆସେ, ତେବେ ଏହି ଷ୍ଟିକରେ ଥିବା ସୁଇଜ ଟିପିଲେ ଉକ୍ତ ବ୍ୟକ୍ତିକୁ କରେଂଟର ଏକ ଶକ୍ତ ଝଟକା ଲାଗିବ । ଏଥିରୁ ଏକ ସାଉଣ୍ଡ ବାହାରିବା ସହ ଆଗରେ ଲାଗିଥିବା ଏକ ଷ୍ଟିଲ ପ୍ଲେଟରେ ଆସିବ କରେଂଟ ।

Advertisment

ସମାଜରେ ଅସାମାଜିକ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ଷ୍ଟିକଟି ବରିଷ୍ଠ ନାଗରିକ ଓ ଝିଅମାନଙ୍କୁ ଆତ୍ମସୁରକ୍ଷା ଦେବାରେ ସହାୟକ ହେବ । ଏଭଳି କିଛି ନିଆରା ଜିନିଷ ତିଆରି କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି କଟକର ସୌରଭ ରାଉତ । ସହରରେ ବଢୁଥିବା ଅପରାଧ ଆଉ ଏଥିରେ ବରିଷ୍ଠ ନାଗରିକ ଏବଂ ନାରୀମାନେ ଶିକାର ହେଉଥିବାରୁ, ସେମାନେ କିଭଳି ଆତ୍ମରକ୍ଷା କରିପାରିବେ, ତାକୁ ନଜରରେ ରଖି ସେ ପ୍ରସ୍ତୁତ କରିଛନ୍ତି ସକ୍ ଲାଠି ।

ସୌରଭଙ୍କ କହିବା ଅନୁଯାୟୀ, ସବୁକିଛି ସ୍ମାର୍ଟ ହେଉଥିବା ବେଳେ ପୋଲିସର ଏହି ଅସ୍ତ୍ର ମଧ୍ୟ ସ୍ମାର୍ଟ ହେବା ଦରକାର । ଲକଡାଉନ୍ ସମୟରେ ପୋଲିସର ରୋଲ ବାଡିକୁ ଏକ ଆଧୁନିକ ଢାଂଚାରେ ତିଆରି କରିବା ପାଇଁ ପ୍ରୟାସ କରି ସଫଳ ହୋଇଛନ୍ତି ସୌରଭ ।

ସବୁଠାରୁ ବଡ କଥା ହେଉଛି, ଅଦରକାରୀ ଜିନିଷରୁ ଏହି ଷ୍ଟିକଟି ତିଆରି କରାଯାଇଛି । ଏହି ଷ୍ଟିକରେ ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ଲାଗିଥିବା ବେଳେ ଦୁଇଟି ବ୍ୟାଟେରୀ ରହିଛି । ବ୍ୟାଟେରୀ ଚାର୍ଜ ସରିଗଲେ ଏହାକୁ ଇଲେକ୍ଟ୍ରିରେ ଚାର୍ଜ କରିବାର ପଏଂଟ ମଧ୍ୟ ରହିଛି । ଏହା ଦେଖିବାକୁ ଅବିକଳ ପୋଲିସ ଲାଠି ଭଳି । ଦେଢଫୁଟ୍ ଲମ୍ବର ଏହି ଷ୍ଟିକରେ ହାଇଭୋଲଟେଜ୍ ଟର୍ଚ୍ଚଲାଇଟ୍ ମଧ୍ୟ ରହିଛି । ଯାହା ଆପଣଙ୍କୁ ଅନ୍ଧାରରେ ବାଟ ଦେଖାଇବା ସହ ସୁରକ୍ଷାର ଅସ୍ତ୍ର ହେବ । ଏହାକୁ ୨ ଘଂଟା ଚାର୍ଜରେ ବସାଇଲେ ୮ରୁ ୧୦ ଘଣ୍ଟା ବ୍ୟବହାର କରାଯାଇପାରିବ । ତେବେ ଏହି ଷ୍ଟିକକୁ ବ୍ୟବହାର କରି ଆପଣ ଅସାମାଜିକ ଲୋକଙ୍କ ଠାରୁ ନିଜକୁ ସୁରକ୍ଷିତ ରଖିପାରିବେ ।