ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଅଣ୍ଟୋସୋର ଗ୍ରାମବାସୀଙ୍କ ଦୁଃଖ । ପାଣି ପାଇଁ ଗରା ବାଲଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା

83

କନକ ବ୍ୟୁରୋ: ବର୍ଷା ଦିନେ ମିଳୁନି ପିଇବା ପାଣି । ପାଣି ପାଇଁ ଗରା ବାଲଟି ଧରି ରାସ୍ତକୁ ଓହ୍ଲାଇଲେ ମହିଳା । ପିଇବା ପାଣି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ପରେ ବି ସମାଧାନ ହେଉନାହିଁ । ତେଣୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଅଂଟାସୋର ଗ୍ରାମବାସୀ । ଗାଁରେ ଥିବା ପାଣି ଟାଙ୍କି ବହୁଦିନ ହେଲା ଅଚଳ ହୋଇଛି । ମାସେ ହେଲା ଜଳଯୋଗାଣ ବନ୍ଦ ରହିଛି । ଗାଁରେ ଗୋଟିଏ ମାତ୍ର ନଳକୂପ ଅଛି । ୪୦ରୁ ଉର୍ଦ୍ଧ ପରିବାର ସେହି ନଳକୂପ ଉପରେ ନିର୍ଭରଶୀଳ । ହେଲେ ସେଥିରୁ ବାହାରୁଛି ଗୋଳିଆ ପାଣି । ଯାହା ପିଇବା ଯୋଗ୍ୟ ନୁହେଁ । ହେଲେ ପାନୀୟ ଜଳର ଅନ୍ୟ ଉତ୍ସ ନଥିବାରୁ ସେହି ନଳକୂପରୁ ପାଣି ନେବା ପାଇଁ ମହିଳାଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ହେଉଛି ।

ପାଣି ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ହେଲେ କେହି ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ନାହିଁ । ତେଣୁ ପିଇବା ପାଣି ପାଇଁ ଗରା, ହାଣ୍ଡି ଧରି ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ମହିଳା ଓ ପୁରୁଷମାନେ ରାସ୍ତା ଉପରେ ପ୍ରତିବାଦ କରିଛନ୍ତି । ଲୋକମାନେ ଦୀର୍ଘ ସମୟ ଧରି ଆନ୍ଦୋଳନ କରିବା ପରେ ବିଭାଗୀୟ ଅଧିକାରୀ ପହଞ୍ଚି ବୁଝାସୁଝା କରିଛନ୍ତି । ପିଇବା ପାଣି ନେଇ ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଛନ୍ତିା ହେଲେ ପ୍ରତିଶ୍ରୁତି ଅନୁସାରେ ସମସ୍ୟାର ସମାଧାନ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି କହିଛନ୍ତି ଗ୍ରାମବାସୀ ।