କନକ ବ୍ୟୁରୋ: ହିଜାବକୁ ନେଇ ବିବାଦ ତୁଟୁନଥିବାବେଳେ ଏହାକୁ ନେଇ ନେତା ମନ୍ତ୍ରୀ ମନ୍ତବ୍ୟ ପରେ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ଏପରି ଏକ ସମ୍ବେଦନଶୀଳ ମନ୍ତବ୍ୟ ଦେଇଛନ୍ତି ବିଜେପି ନେତ୍ରୀ ତଥା ସାଂସଦ ପ୍ରଜ୍ଞା ସିଂ ଠାକୁର । ଯେଉଁମାନେ ନିଜ ଘରେ ଅସୁରକ୍ଷିତ ସେମାନେ ସେଠାରେ ହିଜାବ ପିନ୍ଧିବା ଉଚିତ୍, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଆବଶ୍ୟକ ନୁହେଁ ବୋଲି ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ କହିଛନ୍ତି ସାଧ୍ୱୀ ପ୍ରଜ୍ଞା ।
ବିଜେପି ସାଂସଦ ପ୍ରଜ୍ଞା ସିଂ ଠାକୁର ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ପିନ୍ଦୁଥିବା ହିଜାବକୁ ନେଇ ଆପତ୍ତି ଉଠାଇଛନ୍ତି । ବୁଧବାର ଭୋପାଳରେ ଏକ କାର୍ୟ୍ୟକ୍ରମରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି, "ଭାରତରେ ହିଜାବ ପିନ୍ଧିବାର ଆବଶ୍ୟକତା ନାହିଁ। ତୁମେ ତୁମ ଘରେ ହିଜାବ ପିନ୍ଧିବା ଉଚିତ୍। " ହିଜାବ ବିବାଦ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସାଧ୍ୱୀ ପ୍ରଜ୍ଞା କହିଛନ୍ତି, ଯେତେବେଳେ ଛାତ୍ରମାନେ ବିଦ୍ୟାଳୟକୁ ଯାଆନ୍ତି, ସେମାନେ ବିଦ୍ୟାଳୟ ୟୁନିଫର୍ମ ପିନ୍ଧନ୍ତି ଏବଂ ଶିକ୍ଷାନୁଷ୍ଠାନର ଅନୁଶାସନ ଅନୁସରଣ କରିବା ଉଚିତ । ହିନ୍ଦୁ ଧର୍ମ ଶ୍ରେଷ୍ଠ ଧର୍ମର୍ । ଏହି ଧର୍ମରେ ମହିଳାଙ୍କୁ ପୂଜା କରାଯାଏ । ଏହି ଧର୍ମ ଏତେ ଉଚ୍ଚ ଓ ସଂସ୍କାରୀ ବିଚାର ଧାରାର ଯେ ହିନ୍ଦୁ ମହିଳାଙ୍କୁ ହିଜାବ ପିନ୍ଧିବାର କିଛି ଆବଶ୍ୟକତା ହିଁ ନାହିଁ । ବରଂ ହିଜାବ ସେହିମାନଙ୍କୁ ପିନ୍ଧିବା କଥା ଯେଉଁମାନଙ୍କର ଘରେ ହିଁ ବିପଦ ଅଛି । ଯେଉଁମାନଙ୍କ ଘରେ ହିଁ ସେମାନେ ଅସୁରକ୍ଷିତ ସେହିମାନେ ହିଜାବ ପିନ୍ଧନ୍ତୁ । କିନ୍ତୁ ବାହାରେ ଯେଉଁଠି ହିନ୍ଦୁମାନେ ଚଳପ୍ରଚଳ ହେଉଛନ୍ତି, ସେଠାରେ ସେମାନଙ୍କୁ ହିଜାବ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ । ଜ୍ଞାନର ମନ୍ଦିର ଶିକ୍ଷାନଷ୍ଠାନରେ ତ ହିଜାବର କିଛି ବି ଆବଶ୍ୟକତା ନାହିଁ’ ବୋଲି ପ୍ରଜ୍ଞା କହିଛନ୍ତି ।
କର୍ଣ୍ଣାଟକର କିଛି ଅଂଶରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଝିଅମାନେ ହିଜାବ ପିନ୍ଧିଥିବା ନେଇ ଉତ୍ତେଜନା ପୂର୍ଣ୍ଣ ବିବାଦ ମଧ୍ୟରେ ପ୍ରଜ୍ଞା ସିଂ ଠାକୁରଙ୍କ ମନ୍ତବ୍ୟ ଆସିଛି। ଗତ ମାସରୁ ଏହି ପ୍ରସଙ୍ଗରେ ସାରା ରାଜ୍ୟରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
Follow Us