୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ପୋଲିସ ଅଫିସର କାରକେରଙ୍କ ସର୍ବନାଶ ଚାହୁଁଥିଲେ ବିଜେପି ସାଂସଦ ପ୍ରାର୍ଥୀ । ନିର୍ବାଚନ ସଭାରେ ବିବାଦୀୟ ବୟାନ ଦେଲେ ସ୍ୱାଧୀ ପ୍ରଜ୍ଞା

174

କନକ ବ୍ୟୁରୋ : ବିଜେପିର ଭୋପାଳ ଲୋକସଭା ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞା ଠାକୁର ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ୨୬/୧୧ ମୁମ୍ବାଇ ଆକ୍ରମଣରେ ସହିଦ ହୋଇଥିବା ପୋଲିସ ଅଫିସର ହେମନ୍ତ କାରକେରଙ୍କୁ ଅପମାନିତ କରିବାକୁ ଯାଇ ବିବାଦୀୟ ବୟାନ ଦେଇଛନ୍ତି ସ୍ୱାଧୀ । ହେମନ୍ତ କାରେକର ନିଜର କର୍ମ ପାଇଁ ମୃତ୍ୟୁବରଣ କରିଥିଲେ । ହେମନ୍ତ କାରକେର ମୋତେ ବିନା କାରଣରେ ଫଶାଇବାକୁ ଚାହୁଁଥିଲେ । ଯେଉଁଥିପାଇଁ ତାଙ୍କର ସର୍ବନାଶ ହେଉ ବୋଲି କହିଥିଲେ । ଆଉ ମୋ କହିବାର ଠିକ୍ ଦେଢ ମାସ ପରେ ହେମନ୍ତ କାରକେରଙ୍କ ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁ ହୋଇଥିଲା ବୋଲି କହିଛନ୍ତି ସ୍ୱାଧୀ ।

ଆତଙ୍କବାଦୀଙ୍କ ସହ ଲଢି ସହିଦ ହୋଇଥିବା ହେମନ୍ତ କାରକେରଙ୍କୁ ମରଣୋତ୍ତର ଅଶୋକ ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ ସ୍ୱାଧୀ ତାଙ୍କୁ ଦେଶଦ୍ରୋହୀ କହିବାକୁ ମଧ୍ୟ ପଛାଇନାହାନ୍ତି । ଆଉ ସ୍ୱାଧୀଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇଛି ବିବାଦ । କାରଣ ଯେଉଁ ହେମନ୍ତଙ୍କୁ ନେଇ ସ୍ୱାଧୀ ବିବାଦୀୟ ବୟାନ ଦେଇଛନ୍ତି, ସେ ଦେଶବାସୀଙ୍କ ସୁରକ୍ଷା ପାଇଁ ଆତଙ୍କବାଦୀଙ୍କ ଗୁଳିକୁ ମଧ୍ୟ ଖାତିର କରିନଥିଲେ । ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ହେମନ୍ତଙ୍କୁ ଦେଶର ହିରୋ ବୋଲି କୁହାଯାଉଥିଲା ।


ତେବେ ହେମନ୍ତ କାରକେରଙ୍କୁ ନେଇ ସ୍ୱାଧୀ ଏଭଳି ବୟାନ ଦେବା ପଛରେ ମାଲେଗାଓଁ ବିସ୍ଫୋରଣ ଲିଙ୍କ୍ ରହିଥିଲା । ୨୦୦୬ରେ ମାଲେଗାଓଁରେ ହୋଇଥିବା ବିସ୍ଫୋରଣରେ ୩୭ ଜଣ ଲୋକଙ୍କ ଜୀବନ ଯାଇଥିଲା । ଆଉ ଏହାର ତଦନ୍ତ ଭାର ସେତେବେଳେ ଏଟିଏସର ମୁଖ୍ୟ ଥିବା ହେମନ୍ତ କାରକେରଙ୍କୁ ଦିଆଯାଇଥିଲା । କାରକେର ତଦନ୍ତ ଆରମ୍ଭ କରିବା ସହ ବିସ୍ଫୋରଣରେ ବ୍ୟବହୃତ ହୋଇଥିବା ମୋଟରସାଇକେଲକୁ ଜବତ କରିଥିଲେ । ଯାହା ସ୍ୱାଧୀ ପ୍ରଜ୍ଞାଙ୍କ ନାଁରେ ରହିଥିଲା । ପରେ ଏହି ମାମଲାରେ ସ୍ୱାଧୀ ଠାକୁର ଓ ଲେଫ୍ଟନାଣ୍ଟ ଏସକେ ପୁରୋହିତଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା । ଏମାନଙ୍କୁ ଗିରଫ କରିବା ସହ ଚାର୍ଜସିଟ ମଧ୍ୟ ଦାଖଲ କରିଥିଲେ କାରକେର । ୪୫୦୦ ଚାର୍ଜସିଟରେ ବିସ୍ଫୋରଣର ପୂରା ତଥ୍ୟ ଦେଇଥିଲେ କାରକେର ।

ସେତେବେଳେ ଏହି ଚାର୍ଜସିଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତଦନ୍ତ ସମୟରେ ଅଭିଯୁକ୍ତଙ୍କୁ ପ୍ରପୀଡିତ କରୁଥିବାର ଆରୋପ କାରକେରଙ୍କ ଉପରେ ଲାଗିଥିଲା । ଏପରିକି ସ୍ୱାଧୀ ପ୍ରଜ୍ଞାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ କାରକେର ଫଶାଇ ଦେଇଥିବା ଅଭିଯୋଗ ହୋଇଥିଲା । ପରେ ଏହି ମାମଲାର ଯାଞ୍ଚ ଏନଆଇକୁ ଦିଆଯାଇଥିଲା । ୨୦୧୬ରେ ଯେତେବେଳେ ଏନଆଇଏ ପ୍ରଥମ ଚାର୍ଜସିଟ ଦାଖଲ କରିଥିଲା ସେତେବେଳେ ସ୍ୱାଧୀ ପ୍ରଜ୍ଞାକୁ କ୍ଲିନ୍ ଚିଟ୍ ଦେଇଥିଲା ଏନଆଇଏ ।