ହରିଦ୍ୱାର କୁମ୍ଭମେଳା ହୋଇପାରେ କରୋନା ସୁପରସ୍ପ୍ରେଡର । ଗତ ୫ ଦିନରେ ଚିହ୍ନଟ ହେଲେଣି ପ୍ରାୟ ୨ ହଜାର ପଜିଟିଭ୍ ।

193

କନକ ବ୍ୟୁରୋ: କୁମ୍ଭମେଳାକୁ ଡରେଇଲାଣି କରୋନା ଭୂତାଣୁ । ଗତ ୫ ଦିନରେ ୧୭ ଶହରୁ ଅଧିକ ଶ୍ରଦ୍ଧାଳୁ ଓ ସାଧୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ , ଭୟ ଖେଳିଗଲାଣି ଆଖଡାଗୁଡିକରେ । ବିଶେଷ କରି କୁମ୍ଭମେଳାରେ କରୋନା ସଂକ୍ରମଣ ବଢିବା ପରେ , ମେଳାରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁଙ୍କୁ ଫେରିଯିବାକୁ ନିବେଦନ କରିଛି ନିରଂଜନ ଆଖଡା ।

  • କୁମ୍ଭମେଳା ହେବ କି ସୁପରସ୍ପ୍ରେଡର?
  • ୫ ଦିନରେ ୨୦୦୦ରୁ ଅଧିକ ଶ୍ରଦ୍ଧାଳୁ-ସାଧୁ ପଜିଟିଭ୍

କୁମ୍ଭମେଳା ଆୟୋଜନ ସମୟରେ ହୁଏତ ଉତରାଖଣ୍ଡ ସରକାର ଏ ଦିଗ ପ୍ରତି କେବେ ଧ୍ୟାନ ଦେଇନଥିବେ କି, ସାହି ସ୍ନାନ ସମୟରେ ଲକ୍ଷାଧିକ ଲୋକଙ୍କ ଭିଡ ହେବ । ଏହି କାରଣରୁ ବଢିବ କରୋନା ସଂକ୍ରମଣ । କୁମ୍ଭମେଳାରେ ଗତ ୫ ଦିନରେ ୨ ଲକ୍ଷ ୩୬ ହଜାର ୭୫୧ ଜଣଙ୍କ କରୋନା ପରୀକ୍ଷା ହୋଇଛି । ଏହା ମଧ୍ୟରୁ ୧୭୦୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଆଉ କିଛି ରିପୋର୍ଟ ଆସିବା ବାକି ରହିଛି । ଏହା ଆସିଗଲେ , କୁମ୍ଭମେଳାରେ ସଂକ୍ରମିତଙ୍କ ତାଲିକା ୨ ହଜାର ଟପିବ । ଏପ୍ରିଲ ୧୦ରୁ ଏପ୍ରିଲ ୧୪ ତାରିଖ ମଧ୍ୟରେ ଏହି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏପରି ସଂକ୍ରମଣ ବଢିବା ପରେ , ସାଧୁଙ୍କ ମଧ୍ୟରେ ଖେଳିଗଲାଣି ଭୟ । ଏପରି ସମୟରେ କୁମ୍ଭମେଳାରୁ ସାଧୁ ଓ ଶ୍ରଦ୍ଧାଳୁଙ୍କୁ ଫେରି ଯିବାକୁ ଅନୁରୋଧ କରିଛି ନିରଂଜନ ଆଖଡା ।

ଉତ୍ତରାଖଣ୍ଡର ଏହି ହରିଦ୍ୱାରରେ ୧୨ ବର୍ଷରେ ଥରେ ଆସିଥାଏ କୁମ୍ଭମେଳା । ଏହି ଅବସରରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ । ତେବେ ଏଥର କରୋନା ଦ୍ୱିତୀୟ ଲହର କାରଣରୁ ଦେଶ ଯେତେବେଳେ ସଂକଟରେ ଥିଲା, କୁମ୍ଭମେଳାକୁ କେମିତି ଅନୁମତି ଦେଲେ ସରକାର, ତାହା ସୃଷ୍ଟି କରିଛି ପ୍ରଶ୍ନବାଚୀ । ଉତ୍ତରାଖଣ୍ଡ ସରକାର କୁମ୍ଭମେଳା ସ୍ଥଳରେ ଟେଷ୍ଟିଂ, ସାନିଟାଇଜେସନ ଠାରୁ ଅସ୍ଥାୟୀ ଡାକ୍ତରଖାନା ବ୍ୟବସ୍ଥା କରିଥିଲେ । ତେବେ ଏବେ ହଜାର ହଜାର ଲୋକଙ୍କ ଗହଳିରେ ସଂକ୍ରମିତ ଚିହ୍ନଟ ହେଉଥିବାରୁ , ଏହି କୁମ୍ଭମେଳା କରୋନା ସଂକ୍ରମଣର ସୁପରସ୍ପ୍ରେଡର ବନିବ ବୋଲି ଆଶଙ୍କା ଉପୁଜିଲାଣି ।

ହରିଦ୍ୱାର, ତେହରି , ରିଶିକେଶ ଏବଂ ଡେରାଡୁନ୍ ଜିଲ୍ଲାର ଅଂଶକୁ ନେଇ ୬୭୦ ହେକ୍ଟର ଅଂଚଳ କୁମ୍ଭମେଳାର ପରିସର । ୧୩ ଟି ଆଖଡାର ସାଧୁ ଓ ତାଙ୍କର ଅନୁଗାମୀ ଏଠାରେ ସ୍ନାନ କରିଥାନ୍ତି । ଗଙ୍ଗା ସ୍ନାନକୁ ଦେଖନ୍ତୁ, ସଂଧ୍ୟାରେ ଗଙ୍ଗା ଆଳତୀର ଦୃଶ୍ୟକୁ ବି ଦେଖନ୍ତୁ । ଏହାରି ଭିତରେ କେବଳ ଆପଣଙ୍କ ୁଧର୍ମ ଓ ପରମ୍ପରା ନାଁରେ କରୋନା ନିୟମର ଖୋଲା ଉଲଂଘନ ହିଁ ନଜର ଆସିବ । ଉତରାଖଣ୍ଡର ଏହି କୁମ୍ଭମେଳା, ଆଗକୁ କରୋନା ସଂକ୍ରମଣର ମେଳାରେ ପରିଣତ ହେବ, ଏ ଆଶଙ୍କା ସୃଷ୍ଟି ହେଲାଣି ।