କନକ ବ୍ୟୁରୋ: ଅନର୍ଗଳ ଭାବେ ଇଂରାଜୀ କହୁଥିବା ଜଣେ ବୃଦ୍ଧ । ବେଶଭୁଶାରୁ ଦାରିଦ୍ର୍ୟତାର ଦଦରା କାନ୍ଥ ଭଳି ଦିଶୁଥିବା ଏହି ଅସହାୟ ବୃଦ୍ଧ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ । ଯେଉଁ ହାତ ଅନେକ ପିଲାଙ୍କ ସୁନ୍ଦର ଭବିଷ୍ୟତ ସଜାଡ଼ିଛି , ସେହି ହାତ ଆଜି ସମୟ ଆଗରେ ହତଭାଗା ସାଜିଛି । ଆଉ ହତାସାର ହାତପାତି ଭୋକ ପାଇଁ ଭିକ ମାଗୁଛି । ବୟସ ବଢୁଛି, ସମୟ ବଦଳିଛି ହେଲେ ଦୀର୍ଘ ୨୦ ବର୍ଷ ହେବ ଏମିତି ଗଣ୍ଡାଏ ଖାଇବାକୁ ମୁଣ୍ଡ ନୁଆଁଇ ଗୁହାରୀ କରୁଛନ୍ତି...
ନାଁ ପ୍ରଫୁଲ୍ଲ ମିଶ୍ର
ବୟସ ପାଖାପାଖି ୮୦
ଦୀର୍ଘ ୨୦ ବର୍ଷ ତଳେ ଖୋର୍ଦ୍ଧା ଜିଲ୍ଳା ବାଳକାଟି ୟୁଜିଏମଇ ସ୍କୁଲରେ ଶିକ୍ଷକତା କରୁଥିଲେ ପ୍ରଫୁଲ ସାର । ଶିକ୍ଷକତା କରି ଅବସର ଗ୍ରହଣକୁ ବିତିଲାଣି ୨୦ ବର୍ଷ । କିନ୍ତୁ ଏପର୍ଯ୍ୟନ୍ତ ନା ମିିଳିଛି ପେନସନ୍ ନା ସରକାର ଦେଉଛନ୍ତି ରାସନ୍ । ଏପରିକି ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ବି ନାହିଁ ବୋଲି ରାସ୍ତାକଡ଼ରେ ଥିବା ଏକ ଜରାଜୀର୍ଣ୍ଣ ଘରେ ତାଙ୍କ ଜୀନବ ବିତୁଛି । ନା ପିନ୍ଧିବାକୁ ଭଲ କନାଟିଏ ନା ଶୋଇବାକୁ ସେଜ, ଭାଙ୍ଗି ପଡ଼ିଥିବା ବ୍ୟବସ୍ଥାର ଭଙ୍ଗା କାନ୍ଥରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି ପ୍ରଫୁଲ୍ଲ ସାର୍ ।

Advertisment

ତେବେ ଏତିକିରେ ସରିନି ପ୍ରଫୁଲ୍ଲ ସାରଙ୍କ ସଂଘର୍ଷର କାହାଣୀ । ବିବାହର କିଛି ବର୍ଷ ପରେ ଦୁର୍ଘଟଣାରେ ପୁଅର ମୃତ୍ୟୁ ଘଟିଲା । ଏହାପରେ ବୋହୂ ନାତିକୁ ଧରି ବାପ ଘରକୁ ଚାଲିଗଲା । ଏପଟେ ବୃଦ୍ଧ ବୟସରେ ରୋଜଗାର କିମ୍ବା ପେନସନ ନଥିବାରୁ ପରିବାର ପାଇଁ ହୋଇଗଲେ ଅଲୋଡ଼ା । ଫଳରେ ଏକୁଟିଆ ହୋଇଯିବା ପରେ ପେଟ ଚାଖଣ୍ଡକ ପାଇଁ ହାତ ପାତି ଭିକ୍ଷା ବୃତ୍ତି କରୁଛନ୍ତି । ପେନସନ୍ ପାଇଁ ଏ ଅଫିସରୁ ସେ ଅଫିସ ଦଉଡି ଦଉଡି ନୟାନ୍ତ ହେଲେଣି ହେଲେ ଦୁଇ ଦଶନ୍ଧି ଧରି ତାଙ୍କ ସହ ବାରଦୂଆର ସୁଣ୍ଡିପିଣ୍ଡା ହେଉଛି ବ୍ୟବସ୍ଥା । ଦୁଃଖର ପାହାଡ଼ ଭରସା ଭାଙ୍ଗିଦେଇଥିବା ବେଳେ ବ୍ୟବସ୍ଥା ତାଙ୍କୁ ଭିକ୍ଷାବୃତ୍ତି ପାଇଁ ବାଧ୍ୟ କରିଛି ବୋଲି କୁହନ୍ତି ପ୍ରଫୁଲ୍ଲ ।

୨୦ ବର୍ଷ ହେବ ସରକାର କ୍ଷମତାରେ ଅଛନ୍ତି, ବଡ଼ ବାବୁ ମାନେ ବ୍ୟବସ୍ଥାର ତଦାରଖ କରୁଛନ୍ତି । ହେଲେ ଜଣେ ଶିକ୍ଷାଦାତାଙ୍କ ଅବସର ପରେ କ’ଣ ଏମିତି ଅଲୋଡ଼ା ହୋଇଯିବେ? ନା ଶ୍ରେଷ୍ଠ ପ୍ରଶାସନର ଦ୍ୱାହି ଦେଉଥିବା ସରକାର ଅସହାୟ ଶିକ୍ଷକଙ୍କ ସାମ୍ନାରେ ହାର ମାନିଛି? ବିଡ଼ମ୍ବନାର ବିଷୟ ହେଲା କି, ଜିଲ୍ଲାପାଳ ଓ ଏସପିଙ୍କ କାର୍ଯ୍ୟାଳୟଠୁ ମାତ୍ର କେଇ ଫୁଟ ଦୂରତାରେ ଜରାଜୀର୍ଣ୍ଣ ଅବସ୍ଥାପରେ ପଡ଼ି ରହିଥିବା ପ୍ରଫୁଲ୍ଲ ସାର୍ ପାଖରେ ପଡୁନି ପ୍ରଶାସନର ପାଦ ।