ମାଥିଲିରେ କାହିଁକି ସ୍ୱାମୀଙ୍କ ମୁହଁରେ ମୁଖାଗ୍ନୀ ଦେଇଥିଲେ ସ୍ତ୍ରୀ । କନକ ନ୍ୟୁଜରେ ବଖାଣିଲେ ପୁରା କାହାଣୀ…କହିଲେ, ମହାମାରୀ ସଂକ୍ରମଣ ଭୟରେ ପାଖ ମାଡିଲେ ନାହିଁ ସଂପର୍କୀୟ, ବାଧ୍ୟବାଧକତାରେ ଆଦିବାସୀ ପରମ୍ପରାରେ ଦେଲେ ମୁଖାଗ୍ନୀ ।

305

କନକ ବ୍ୟୁରୋ: ସେ ଶବ କାନେ୍ଧଇଲେ, ନିଜେ ମୁଖାଗ୍ନି ଦେଲେ । ଏହି ବୟାନ କୌଣସି ସାଧାରଣ ମହିଳା ଦେବା ହୁଏତ ବିରଳ । କାରଣ, ଏଥିପାଇଁ ସାହସ ଦରକାର, ସମାଜର ପରମ୍ପରାକୁ ଆହ୍ୱାନ ଦେବାର ସମର୍ଥ୍ୟ ଥିବା ଦରକାର । ଚିନ୍ତା କରିବାକୁ ବାଧ୍ୟ କରିବ ମହାମାରୀବେଳେ ମାଥିଲିର କରୁଣ କାହାଣୀ । ସ୍ୱାମୀ ଚାଲିଗଲେ ଜଣେ ମହିଳା ହାତରୁ ଚୁଡ଼ି କାଢ଼ି, ମଥାରୁ ସିନ୍ଦୁର ପୋଛି ଘର କୋଣରେ କୋଣଠେସା ହୋଇଯିବା ଆପଣ ଦେଖିଥିବେ । ମହିଳାଙ୍କୁ ଶ୍ୱଶାନ ଯିବା ମଧ୍ୟ ଆମ ପରମ୍ପରାରେ ଖୁବ୍ କମ୍ । ଆଉ ଏଭଳି ଏକ ସ୍ଥିତିରେ ଜଣେ ମହିଳା, ସ୍ୱାମୀର ଶବକୁ କାନେ୍ଧଇ, ଶେଷ ସଂସ୍କାର କରିଛନ୍ତି ।

ସ୍ୱାମୀର ଚିକିତ୍ସା ପାଇଁ ଜୟପୁରରୁ କୋରାପୁଟ ଏବଂ କୋରାପୁଟରୁ ବିଶାଖାପାଟଣା ଧାଇଁ ଯାଇଥିଲେ । ହେଲେ ସବୁ କିଛି ଓଲଟ-ପାଲଟ ହୋଇଗଲା, ଯେତେବେଳେ ହସ୍ପିଟାଲରେ ପହଂଚିବା ପରେ ସ୍ୱାମୀଙ୍କ ଜୀବନ ଚାଲିଗଲା । ସେହି ଆମ୍ବୁଲାନ୍ସରେ ସ୍ୱାମୀଙ୍କ ଶବ ନେଇ ଆସିଲେ । ଆଉ ସେଇଠୁ ହିଁ ଆରମ୍ଭ ହେଲା କରୁଣ କାହାଣୀ । କୋଭିଡ୍ କାରଣରୁ ସମ୍ପକୀୟ ଓ ଗାଁ ଲୋକ ଦୂରେଇ ଗଲେ । ଏମିତି କି ଶବକୁ କାନ୍ଧ ଦେବାକୁ ୪ଜଣ ବି ମିଳିଲେ ନାହିଁ । ୨ ଭାଇ, ଦିଅରଙ୍କ ସହ କାନ୍ଧ ମିଳାଇଥିଲେ ପୁଷ୍ପା ।

ଏପଟେ କୋଭିଡ୍ ପରୀକ୍ଷାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ମୃତ କୃଷ୍ଣଚନ୍ଦ୍ର ନାୟକଙ୍କ ପତ୍ନୀ ପୁଷ୍ପା ନାୟକ । କୋରାପୁଟ୍ରେ କୋଭିଡ୍ ଟେଷ୍ଟରେ ରିପୋର୍ଟ ନେଗେଟିଭ୍ ଥିବା ବେଳେ ମାତ୍ର ୪ ଘଂଟାରେ କିଭଳି ରିପୋର୍ଟ ପଜିଟିଭ୍ ଆସିଲା ବୋଲି ପ୍ରଶ୍ନ କରିଛନ୍ତି ମୃତ କୃଷ୍ଣଚନ୍ଦ୍ର ନାୟକଙ୍କ ପତ୍ନୀ ।

ଏସବୁ ଭିତରେ ପୁଷ୍ପାଙ୍କ କାହାଣୀ ଆମ ସମାଜ ପାଇଁ ଏଭଳି ଏକ ଉଦହାରଣ ରହିଛି, ଯାହା ବର୍ଷ ବର୍ଷର ପୁରୁଣାକାଳିଆ ପରମ୍ପରାକୁ ଆହ୍ୱାନ ଦେଇଛି । ଜଣେ ମହିଳା ଚାହିଁଲେ ସବୁ କିଛି କରିପାରିବେ, ଆଉ କୌଣସି ରକ୍ଷଣଶୀଳ ପରମ୍ପରା ତାଙ୍କୁ ଅଟକାଇ ପାରିବ ନାହିଁ । ଏଥିରେ କଥାକଥିତ ସମାଜ ସହଯୋଗ କରୁ ବା ନକରୁ ।