ଦୁଃଖ ଦେଖି ପାରିଲେନି ଆଇଆଇସି: ମାଆ ଭଳି ସ୍ନେହ କଲେ, ଭୋକିଲା ପିଲାଙ୍କୁ ପେଟପୂରା ଖୁଆଇଲେ ସ୍ମୃତିପ୍ରଭା

ଖାଦ୍ୟ ଖାଇବା ବେଳେ କୁନିକୁନି ପିଲାମାନେ ଆଇଆଇସିଙ୍କ ମୁହଁକୁ ବାବୁବାଲୁ କରି ଚାହୁଁଥିଲେ ଆଉ ତାଙ୍କ ଭିତରେ ସେମାନେ ସେମାନଙ୍କ ମାଆକୁ ଦେଖୁଥିଲେ

1,288

କନକ ବ୍ୟୁରୋ: ଖାକି ବର୍ଦ୍ଦି ଖାଲି ଦଣ୍ଡ ଦିଏନି ବରଂ ଦୟା ବି ଦେଖାଏ । ଖାକି ପିନ୍ଧିଥିବା ପୋଲିସ ଉପରୁ ଯେତିକି ଶକ୍ତ ଦେଖାଯାଆନ୍ତି ଭିତରେ ସେତିକି ଦରଦି ଥାଆନ୍ତି । ପୋଲିସ ଅପରାଧୀକୁ ସିନା ଦଣ୍ଡ ଦିଏ ହେଲେ ଅସହାୟଙ୍କୁ ଆପଣେଇନିଏ । ତେବେ ସେମିତି ଏକ ଦରଦୀ କାହାଣୀର ନାୟିକା ହେଉଛନ୍ତି କେଉଁଝର ସଦର ଥାନା ଆଇଆଇସି ସ୍ମୃତିପ୍ରଭା ପ୍ରଧାନ ।

ବରଦାପାଳ ପଞ୍ଚାୟତ କୁସୁମିତା ଗାଁରୁ ଏକ ଖବର ଆସିଲା । ଘରେ କିଛି ଖାଇବାକୁ ନଥିବାରୁ ଚାରି ଚାରିଟି କୁନି ପିଲା ଭୋକ ଉପାସରେ ଆଉଟୁ ପାଉଟୁ ହେଉଛନ୍ତି । ଆଉ ଏହି ଖବର ପାଇଲା ପରେ ରହି ପାରିନଥିଲେ ସ୍ମୃତିପ୍ରଭା । ସଙ୍ଗେସଙ୍ଗେ କିଛି ଖାଇବା ନେଇ ସେମାନଙ୍କ ପାଖରେ ପହଞ୍ଚି ଯାଇଥିଲେ । ଆଉ ପିଲାଙ୍କ ଭୋକିଲା ପେଟରେ ଦାନା ଗଣ୍ଡେ ଦେଇ ସେମାନଙ୍କ ପେଟ ପୂରାଇଥିଲେ ।

ଖାଦ୍ୟ ଖାଇବା ବେଳେ କୁନିକୁନି ପିଲାମାନେ ସ୍ମୃତିପ୍ରଭାଙ୍କ ମୁହଁକୁ ବାବୁବାଲୁ କରି ଚାହୁଁଥିଲେ ଆଉ ତାଙ୍କ ଭିତରେ ସେମାନେ ସେମାନଙ୍କ ମାଆକୁ ଦେଖୁଥିଲେ । ଆଉ ଆଇଆଇସି ସ୍ମୃତିପ୍ରଭା ବି ସେଇ କିଛି ମୁହୂର୍ତ୍ତ ପାଇଁ ମାଆ ଭଲି ସେମାନଙ୍କ ପେଟକଥା ବୁଝି ପେଟେ ଖୁଆଇଥିଲେ ।

ତେବେ କୁନି ପିଲାଙ୍କ ବାପା ଶ୍ରୀଧର ମୁଣ୍ଡା ଗତ କିଛି ମାସ ହେବ ସୁରଟକୁ ଦାଦନ ଖଟିବାକୁ ଯାଇଛନ୍ତି । ଆଉ ଏପଟେ ବାପାର ଅନୁପସ୍ଥିତିରେ ମାଆ ଆଉ କାହା ସହ ମାସେ ହେଲା ଫେରାର ହୋଇଯାଇଛି । ମାଆ ଗଲାପରେ ଏବେ ୪ ଛୁଆଙ୍କ ଦାୟିତ୍ୱ ଜେଜଙ୍କ ମୁଣ୍ଡରେ ଥିବାରୁ ପରଘରେ ଛେଳି ଚରାଇ ପାଞ୍ଚ ପ୍ରାଣୀଙ୍କ ପେଟ ପୋଷୁଛନ୍ତି ଜେଜେ । ଆଉ ଯେଉଁଦିନ ରୋଜଗାର ନଥିବ ସେଦିନ ଉପାସରେ ଶୋଉଛନ୍ତି ସମସ୍ତେ । ତେବେ ପିଲାଙ୍କ ଦୁଃଖରେ ଦୁଃଖି ହୋଇ ନିଜର ବଡପଣ ଦେଖାଇଛନ୍ତି ଆଇଆଇସି ସ୍ମୃତିପ୍ରଭା ।