ରୋଗ କରିଦେଉଛି ସର୍ବସ୍ୱାନ୍ତ । ମେଡିକାଲ ବିଲ୍ ଭରଣା କରି ଗରିବ ହେଉଛନ୍ତି କୋଟି କୋଟି ଭାରତୀୟ, ଆଖି ଭିଜାଇଦେବ ଦୁଇ ପରିବାରଙ୍କ କରୁଣ କାହାଣୀ । 

215

କନକ ବ୍ୟୁରୋ : କୋଟି କୋଟି ଭାରତୀୟଙ୍କୁ ଗରିବୀ ମଧ୍ୟକୁ ଠେଲି ଦେଇଛି ମେଡିକାଲ ଖର୍ଚ୍ଚ । ପରିବାରର କୌଣସି ସଦସ୍ୟଙ୍କ ଦେହ ଖରାପ ହେଲେ, ପକେଟରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ଭାରତୀୟ । ଏଥିପାଇଁ ସେମାନେ ସେମାନଙ୍କର ସମସ୍ତ ପୁଞ୍ଜିକୁ ଲଗାଇ ଦେଇଥାନ୍ତି । ତଥାପି କିଏ ସୁସ୍ଥ ହୋଇ ଘରକୁ ଫେରେ ତ ଆଉ କାହାର ଚିକିତ୍ସା ପାଇଁ ଅର୍ଥ ସାଜେ ବାଧକ ।

ବାଲିପାଟଣାର ଜନରଞ୍ଜନ ମିଶ୍ର । ଝିଅ ଆୟୁଷି କର୍କଟ ରୋଗରେ ପୀଡିତ । ଝିଅର ଚିକିିତ୍ସା ପାଇଁ ଜମିବାଡି ବିକ୍ରି କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି । କିନ୍ତୁ, ଝିଅର ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନାହିଁ । ଗତବର୍ଷ ମାଟ୍ରିକରେ ୮୩ ପ୍ରତିଶତ ମାର୍କ ରଖିଥିଲେ ଆୟୁଷି । ପାସ କରିବା ପରେ ବିଜେବି କଲେଜରେ ଯୁକ୍ତ ଦୁଇ କଳାରେ ଆଡମିସନ ବି କରିଛନ୍ତି । ହେଲେ, ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ଯାହାକି ଯୋଗାଡ କରିବା ପରିବାର ପକ୍ଷେ କଷ୍ଟକର ହୋଇପଡିଛି ।

ବାଲେଶ୍ୱରର ଖଇରା ବ୍ଲକର ଦେବେନ୍ଦ୍ର ଜେନାଙ୍କ ଅବସ୍ଥା ଆହୁରି ଖରାପ । ପାଣିସିଆଳି ଗାଁର ଦେବେନ୍ଦ୍ର ଦିନ ମଜୁରିଆ ଭାବେ କାମ କଲେ ପେଟ ପୂରେ । ତଥାପି ବେଶ୍ ହସଖୁସିରେ ଚାଲିଥିଲା ଦେବେନ୍ଦ୍ରଙ୍କ ଛୋଟ ପରିବାର । ହେଲେ, ଦାଉ ସାଧିଲା ଦଇବ । ଦେବେନ୍ଦ୍ରଙ୍କ ଦଶମାସର ପୁଅ ଆୟୋସ କୁନି ଓଠରେ ବାପା ମା’ ଡାକିବା ଆଗରୁ ଅଜଣା ରୋଗରେ ଆକ୍ରାନ୍ତ । ପୁଅକୁ ଭଲ କରିବା ପାଇଁ ସର୍ବସ୍ୱାନ୍ତ ହୋଇ ସାରିଲେଣି ଦେବେନ୍ଦ୍ର । ବିକି, ଭାଙ୍ଗି ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ ତିନି ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି । ପୁଅର ଅଧିକ ଚିକିତ୍ସା ପାଇଁ ପାଖରେ ଆଉ ସମ୍ବଳ ନାହିଁ ।

କେବଳ ଏହି ଦୁଇ ଜଣ ନୁହଁନ୍ତି ଭାରତର ବହୁ ସଂଖ୍ୟାରେ ଲୋକ ଚିକିତ୍ସା ପାଇଁ ଏମିତି ସର୍ବସ୍ୱାନ୍ତ ହୋଇଥାନ୍ତି । ଏକ ତଥ୍ୟ ଅନୁସାରେ, ଭାରତରେ ପ୍ରାୟ ୫କୋଟି ୫୦ ଲକ୍ଷ ଲୋକ ନିଜ ପକେଟରୁ ଚିକିତ୍ସା ପାଇଁ ଖର୍ଚ୍ଚ କରି ଗରିବୀ ଭିତରକୁ ଠେଲି ହୋଇଯାଇଛନ୍ତି । ଭାରତରେ ୬୩ ପ୍ରତିଶତ ପରିବାର ସେମାନଙ୍କ ଚିକିିତ୍ସା ଖର୍ଚ୍ଚ ବହନ କରିଥାନ୍ତି । କୋଭିଡ୍ ଦ୍ୱିତୀୟ ଲହର ଆସିବା ପରେ ସ୍ଥିତି ଆହୁରି ସାଂଘାତିକ ହୋଇଛି ।