ରୀତାଙ୍କ ଦୁଃଖ ଶୁଣ ସରକାର । ସ୍ୱାମୀ କରିଦେଲା ପର, ଭଙ୍ଗା କୁଡିଆରେ ତିନି ଝିଅଙ୍କ ସହ ବନ୍ଧା ପଡିଛି ରୀତାଙ୍କ ଜୀବନ ।

347

କନକ ବ୍ୟୁରୋ : ସମସ୍ତଙ୍କ ପରି ତାଙ୍କ ଆଖିରେ ବି ରହିଥିଲା ଆଖିଏ ସ୍ୱପ୍ନ । ଝିଅମାନଙ୍କୁ ଭଲ ପାଠ ପଢାଇଥାନ୍ତେ, ସୁଖର ସଂସାର ଭିତରେ ଜୀବନ ଜିଇଥାନ୍ତେ । କିନ୍ତୁ ସବୁକିଛି ଏବେ ସ୍ୱପ୍ନରେ ହିଁ ରହିଯାଇଛି । ଦିନ ରାତି ଆଖିରୁ ଲୁହ ଶୁଖୁନଥିବା ବେଳେ ଭାଗ୍ୟକୁ ଆଦରି ଦୀର୍ଘ ୬ ବର୍ଷ ହେଲା ଏକ ଭଙ୍ଗା ଘରେ ପଡିରହିଛନ୍ତି ପଦ୍ମପୁରର ରୀତା ସାନବର୍ଷା ।

ଜୀବନର ସାଥୀ କରି ଯାହାଙ୍କ ହାତ ଧରିଥିଲେ, ସେହି ସ୍ୱାମୀଙ୍କ ନିର୍ଯ୍ୟାତନା ସହି ନପାରି, ଜୀବନ ରକ୍ଷା ପାଇଁ କୁନି କୁନି ତିନି ଝିଅଙ୍କୁ ନେଇ ଘର ଛାଡି ଚାଲିଆସିଥିଲେ ରିତା । ଘର ସିନା ଛାଡିଦେଲେ, କିନ୍ତୁ ତିନି ଝିଅଙ୍କୁ ପାଳିବା ସମ୍ଭବ ହେଲା ନାହିଁ । ଇଟାକୁ ମାଟି ସାହାଯ୍ୟରେ ଯୋଡି ତା ଉପରେ ଏକ ପଲିଥିନ୍ ଘୋଡାଇ, କୁନି ଝିଅଙ୍କୁ ନେଇ ଏହି ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ରୀତା ।

ପର ଘରେ ବାସନ ମାଜି ଯେଉଁ ଟଙ୍କା ମିଳେ, ସେଥିରେ ଘର ଚଳାଇବା ସହ, ପିଲାଙ୍କୁ ପାଠ ପଢାଇବା ସମ୍ଭବ ନହେବାରୁ ଦୁଇ ଝିଅଙ୍କୁ କସ୍ତୁରବା ଗାନ୍ଧୀ ମାତୃ ନିକେତନର ଛାଡିଛନ୍ତି ରୀତା । ସେପଟେ ବଡ ଝିଅର ପାଠପଢାରେ ଡୋରି ପଡିଥିବା ବେଳେ, ଘର ଚଳାଇବା ପାଇଁ ସେ ମଧ୍ୟ ପର ଘରେ ପାଇଟି କରେ ।

ତେବେ ଗରିବ ଭୂମିହୀନଙ୍କ ପାଇଁ ସରକାର ପୁଳା ପୁଳା ଯୋଜନା କରିଥିବା ବେଳେ, ରୀତାଙ୍କ ପାଇଁ ସବୁ ଯୋଜନା ସାତସପନ ପାଲଟିଛି । ଜମି ପଟ୍ଟା ପ୍ରଦାନ ଯୋଜନାରେ ରୀତା ଅନେକ ଥର ଆବେଦନ କରିଥିଲେ ମଧ୍ୟ, ତାଙ୍କ ଦୁଃଖ କାହାରି କାନରେ ପଡୁନି । ଅଭାବ ଅନଟନର ଅନ୍ଧାର ଭିତରେ ଦୁଃଖ ଦାରିଦ୍ର୍ୟରେ ଦିନ କାଟୁଥିବା ରୀତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଅନେକ ଦାବି କରିଛନ୍ତି । ତେବେ ରୀତାଙ୍କ ଗୁହାରି ସରକାର କେବେ ଶୁଣୁଛନ୍ତି, ଆଉ କେବେ ତାଙ୍କୁ ସରକାରୀ ସହାୟତା ମିଳୁଛି ଏବେ ତାକୁ ହିଁ ଅପେକ୍ଷା ।