ଗରିବ ପରିବାରରେ କରୁଣ କାହାଣୀ । ରୋଗଶଯ୍ୟାରେ ରୋଜଗାରିଆ ପୁଅ, ସହାୟତା ପାଇଁ ସ୍ତ୍ରୀ ଓ ବିଧବା ମାଆର ଆକୁଳ ନିବେଦନ ।

157

କନକ ବ୍ୟୁରୋ : ଯେତେବେଳେ ଘରେ ରୋଜଗାରିଆ ପୁଅ ଶଯ୍ୟାଶାୟୀ ହୋଇପଡ଼େ ସେତେବେଳେ ପୁରା ପରିବାର ଭାଙ୍ଗି ପଡେ । ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡେ । ଯାହା ଘଟିଛି ଦେବଗଡ ପୌରାଞ୍ଚଳ ଖପରସାହିର ସୁଦାମ ଜେନାଙ୍କ କ୍ଷେତ୍ରରେ । ଘରେ ହାତ ଧୋଇବା ବେଳେ ତଳେ ପଡିଯିବାରୁ ଅସୁସ୍ଥ ହୋଇପଡ଼ିଛନ୍ତି ସୁଦାମ । ଅର୍ଥ ଅଭାବରୁ ଅଧାରେ ଅଟକିଯାଇଛି ତାଙ୍କ ଚିକିତ୍ସା ।

ଘରେ ଶଯ୍ୟାଶୟୀ ରୋଜଗାରିଆ ପୁଅ, ଅର୍ଥ ଅଭାବରୁ ଅସହାୟ ମାଆ ଓ ସ୍ତ୍ରୀ । ୨୦ ବର୍ଷ ତଳେ ସ୍ୱାମୀଙ୍କ ଦେହାନ୍ତ ପରେ ପୁଅର ମୁହଁକୁ ଚାହିଁ ବଞ୍ଚିଛନ୍ତି ଦେବଗଡ ଖପରସାହି ସୁଦାମ ଜେନାଙ୍କ ମା’ ବିଚିତ୍ରା ଜେନା । ଏବେ ତାଙ୍କ ବଞ୍ଚିବାର ରାହା ରୋଗ ଶଯ୍ୟାରେ । ଘରେ ହାତ ଧୋଇବା ବେଳେ ତଳେ ପଡିଯିବାରୁ ସୁଦାମଙ୍କ ଅଣ୍ଟାରୁ ଗୋଡ ପର୍ଯ୍ୟନ୍ତ ଅଚଳ ହୋଇଯାଇଛି । ବୁର୍ଲାରେ ୧୫ ଦିନ ଧରି ଚିକିତ୍ସା କରିବା ପରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଡ଼ାକ୍ତର ପରାମର୍ଶ ଦେଇଛନ୍ତି । କିନ୍ତୁ ଅର୍ଥ ଅଭାବରୁ ସୁଦାମଙ୍କ ଚିକିତ୍ସା ଅଧାରେ ଅଟକି ରହିଛି । ମା’ ଓ ସ୍ତ୍ରୀଙ୍କ ଆଖିରୁ ଅହରହ ଲୁହ ଝରୁଛି ।

ସ୍ୱାମୀଙ୍କ ମୃତ୍ୟୁ ପରେ ବିଚିତ୍ରା ଦୁଃଖ କଷ୍ଟରେ ସୁଦାମଙ୍କୁ ମଣିଷ କରିଛନ୍ତି । ପୁଅ ରୋଜଗାରକ୍ଷମ ହେବା ପରେ ତାଙ୍କ ବିବାହ ମଧ୍ୟ କରାଇଛନ୍ତି । ପୁଅ, ବୋହୁ ଓ ନାତିକୁ ନେଇ ବେଶ ହସ ଖୁସିରେ ଥିଲା ବିଚିତ୍ରାଙ୍କ ସଂସାର । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ଦିନେ ଖାଇ ସାରି ହାତ ଧୋଇବା ବେଳେ ଗୋଡ ଖସି ତଳେ ପଡିଗଲେ ସୁଦାମ । ଆଉ ସେହି ଦୁର୍ଘଟଣା ତାଙ୍କୁ ବିଛଣାରେ ପକାଇ ଦେଇଛି, ତାଙ୍କ ଉପରେ ନିର୍ଭର କରୁଥିବା ପରିବାର ଅସହାୟ ହୋଇପଡିଛି । ଦୁର୍ଦ୍ଦିନରେ ଥିବା ଏହି ପରିବାର ପ୍ରତି ସରକାର, ଜିଲ୍ଲା ପ୍ରଶାସନ କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହଯୋଗ କଲେ, ସୁଦାମ ସୁସ୍ଥ ହୋଇ ତାଙ୍କ ସଂସାର ଡଙ୍ଗାକୁ ଆଗକୁ ନେଇ ପାରନ୍ତେ ।