ନୂଆ ଜୀବନରେ ପାଦ ଦେଉ ଦେଉ ଭୂତାଣୁ ଭାଙ୍ଗିଦେଲା ହାତର ଶଙ୍ଖା, ପୋଛିଦେଲା ମଥାର ସିନ୍ଦୁର । ବାହାଘରର ଦୁଇ ନପୁରୁଣୁ ସ୍ୱାମୀକୁ ଛଡାଇନେଲା କରୋନା

349

କରୋନା ତୁ ଆଉ କେତେ ଜୀବନ ନେବୁ… କେତେ ସୁଖର ସଂସାରକୁ ଆଉ ଛାରଖାର କରିବୁ… କେତେ କୁନି କୁନି ପିଲାଙ୍କୁ ବାପା-ମାଆ ଛେଉଣ୍ଡ କରିବୁ? କେତେ ସଦବାହାଙ୍କ ମୁଣ୍ଡରୁ ସିନ୍ଦୁର ପୋଛିବୁ? ଆଜି ମଣିଷ ସମାଜ କରୋନାକୁ ଏହି ପ୍ରଶ୍ନ ପଚାରୁଛି । ଯେତେବେଳେ ୨ଦିନ ହେବ ବିବାହ କରିଥିବା ଝିଅଠାରୁ ତା ସ୍ୱାମୀକୁ ଛଡାଇନେଇଛି କରୋନା
କାନ୍ଥରେ ଲେଖା ହୋଇଥିଲା ଅର୍ଜୁନ ୱେଡସ୍ ବବଲି । ବାହାଘର ପାଇଁ ଚାଲିଥିଲା ଜୋରଦାର ପ୍ରସ୍ତୁତି… ସବୁକିଛି ଠିକ ଚାଲିଥାଏ, ଗତ ୨୫ତାରିଖରେ ଝିଅ ଘରକୁ ବରଯାତ୍ରୀ ଆସିଲା… ହାତଗଣ୍ଠି ପଡିଲା ଧୁମଧାମରେ ବାହାଘର ହେଲା । ପ୍ରାୟ ସନ୍ଧ୍ୟା ୭ଟାବେଳକୁ ଝିଅ ବିଦା ହୋଇ ପୁଅ ଘରକୁ ଆସିଲା । ନବ ବଧୂକୁ ବି ଶାଶୁ ଘରେ ବେଶ୍ ଧୁମଧାମରେ ସ୍ୱାଗତ କଲେ । ମଝିରେ ଗୋଟେ ଦିନ ସବୁକିଛି ଠିକଠାକ୍ ଥିଲା କିନ୍ତୁ ୨୭ ତାରିଖ ବେଳକୁ ଅର୍ଜୁନଙ୍କୁ ହଠାତ୍ ଜ୍ୱର ହେଲା । ଜ୍ୱର ବଢିବାରୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଗଲା । ସେଠାରେ ଟେଷ୍ଟ କରିବା ପରେ ଜଣାପଡିଲା ଅର୍ଜୁ କରୋନା ସଂକ୍ରମିତ ହୋଇଛନ୍ତି । କୋଭିଡ୍ ଟେଷ୍ଟ ପଜିଟିଭ୍ ଆସିବା ପରେ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଲା । ନିଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କଲେ କିନ୍ତୁ ଅକ୍ସିଜେନ୍ ମିଳିଲା ନାହିଁ । ଅକ୍ସିଜେନ୍ ଅଭାବରୁ ୨୯ ତାରିଖରେ ତାଙ୍କର ମୃତ୍ୟୁ ହୋଇଗଲା । ମାତ୍ର ୨ଦିନ ହେବ ବାହା ହୋଇ ଆସିଥିବା ବବଲିଙ୍କ ମଥାରୁ ସବୁଦିନ ପାଇଁ ସିନ୍ଦୁର ଲିଭିଗଲା । ବେଦୀରେ ବସି ହୋମ ନିଆଁକୁ ସାକ୍ଷୀ ରଖି ବବଲି ଅର୍ଜୁନଙ୍କୁ ନେଇ ଦେଖିଥିବା ସ୍ୱପ୍ନ ସବୁ କାଚଘର ଭାଙ୍ଗିଲା ଭଳି ଚୁନା ହୋଇଗଲା ।
ଆଉ ୟୁପିରୁ ଆସିଥିବା ଏହି ହୃଦୟଥରା ଘଟଣା ସମସ୍ତଙ୍କୁ ସ୍ତବ୍ଦ କରିଦେଇଛି । କରୋନା ପରିବା ମୁହଁରୁ ହସ ଛଡାଇନେଇଛି । ପୁଅକୁ ହରାଇ ମାଆ ଘରର ଗୋଟିଏ କଣରେ ବସିରହିଛି । ବାପା ତ ଯେମିତି ପଥର ପଲଟିଯାଇଛନ୍ତି ।