ଦୁଇ ପୁଅ ମାନସିକ ବିକୃତ, ସ୍ୱାମୀ ଦୃଷ୍ଟିହୀନ । ବୁଢି ମାଆ କାନ୍ଧରେ ପରିବାର ବୋଝ । କାନ୍ଦି କାନ୍ଦି କଟୁଛି ଦିନ

109

ଦିନେ କି ଦୁଇ ଦିନ ନୁହଁ, ଦୀର୍ଘ ୧୨ ବର୍ଷ ହେବ ଦୁଇ ଭାଇ ମାନସିକ ବିକୃତ । ଜଣେ ଭାଇଙ୍କର ହାତରେ କଡ଼ି, ଗୋଡ଼ରେ ବେଡ଼ି । ଅନ୍ଧକାର କକ୍ଷରେ ବିତୁଛି ଜୀବନ । ବାପା ପୁଣି ଦୃଷ୍ଟିହୀନ, ବୃଦ୍ଧା ମା’ଙ୍କ ଉପରେ ନିର୍ଭରଶୀଳ ପରିବାର । ଏପରି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ସୁନାରୀ ସିକୁଆଁ ଗାଁର ରତ୍ନାକର ନିଆଲଙ୍କ ପରିବାରେ ।

ରତ୍ନାକର ନିଆଲଙ୍କ ୨ ପୁଅ ନୀଳକଣ୍ଠ ନିଆଲ(୨୭) ଓ ଶୁକାନନ୍ଦ ନିଆଲ(୨୫) । ଆଉ ଜଣେ ପୁଅ ଏମାନଙ୍କୁ ଛାଡ଼ି ଅନ୍ୟତ୍ର ରହୁଛି । ଘରେ ବୃଦ୍ଧା ମା’ ଭରୁଆ ନିଆଲ । ଦିନ ଥିଲା ରତ୍ନାକରଙ୍କ ଦୁଇ ଭେଣ୍ତିଆ ପୁଅ ନୀଳକଣ୍ଠ ଓ ଶୁକାନନ୍ଦ ବିଭିନ୍ନ ହାଟ ବଜାରକୁ ଯାଇ ଜଳଖିଆ ବିକୁଥିଲେ । ଦୁଇ ଭାଇଙ୍କ ଅକ୍ଳାନ୍ତ ପରିଶ୍ରମରେ ବେଶ ଭଲ ରୋଜଗାର ହେଉଥିଲା । ପରିବାର ଆରାମରେ ଚଳି ଯାଉଥିଲା ।
କିନ୍ତୁ ୨୦୦୮ ମସିହାରେ ସାନ ପୁଅ ଶୁକାନନ୍ଦ ହଠାତ୍ ମାନସିକ ରୋଗଗ୍ରସ୍ତ ହେଲେ । କିଛି ବର୍ଷ ପରେ ବଡ଼ ପୁଅ ନୀଳକଣ୍ଠ ମଧ୍ୟ ମାନସିକ ରୋଗଗ୍ରସ୍ତ ହେଲେ । ହେଲେ ଶୁକାନନ୍ଦଙ୍କର ପାଗଳାମି ଦିନକୁ ଦିନ ବଢିବାରୁ ମା’ ଭରୁଆ ଲୋକଙ୍କ କଥା ମାନି ହାତରେ କଡ଼ି ଓ ଗୋଡ଼ରେ ବେଡ଼ି ପକାଇ ଘର ଭିତରେ ବନ୍ଦି କରି ରଖିଲେ । ପୁଅ ଭଲ ହେବ ବୋଲି ଖଡ଼ିଆଳର ଏକ ଘରୋଇ ଡାକ୍ତରଖାନାକୁ ନେଲେ । କିନ୍ତୁ ପୁଅ ଭଲ ହେଲା ନାହିଁ । ଅର୍ଥାଭାବରୁ ପୁଅର ଉପଯୁକ୍ତ ଚିକିତ୍ସା କରାଯାଇ ପାରିଲା ନାହିଁ । ଘରେ ବାପା ଦୃଷ୍ଟିହୀନ, କାମ ଧନ୍ଦା କିଛି କରି ପାରନ୍ତି ନାହିଁ । ଏଣେ ବୟସର ଅପରାହ୍ନରେ ବୃଦ୍ଧା ମା’ ଭରୁଆ ୩ ଜଣଙ୍କ ଯତ୍ନ ନିଅନ୍ତି ।

ରତ୍ନାକରଙ୍କ ପରିବାରର ସମସ୍ୟା ସଂପର୍କରେ ଆମେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାଳି ପ୍ରସାଦ ବେହେରାଙ୍କୁ ଜଣାଇଥିଲୁ । ଏକ ମେଡିକାଲ ଟିମ୍ ତାଙ୍କ ପାଖକୁ ପଠାଇବା ସହ ଚିକିତ୍ସା ପାଇଁ ସହାୟତା କରିବେ ବୋଲି ସେ କହିଛନ୍ତି ।