ମମତା ଭୁଲିଲା, ମାଆକୁ ମାରିଲା । ବିଧା ଗୋଇଠା ମାରି ବୁଢୀମାଆକୁ ଘରୁ ତଡିଦେଲେ ପୂଅବୋହୂ । ବୋଝ ଭାବି ମାଆକୁ ଦିଅନ୍ତି ବାସି ଭାତ, ନିଜେ ଖାଆନ୍ତି ମାଛ-ମାଂସ ।

ମାଆକୁ ଗୋଇଠାମାରି ପୁଅ-ବୋହୂ ଘରୁ ବାହାର କରିଦେଲେ

2,048
କନକ ବ୍ୟୁରୋ : ଯେଉଁ ମାଆ ପାଇଁ ପୁଅ ଦୁନିଆକୁ ଆସିଲା, ଯେଉଁ ମାଆର ପଣତ ଛାଇରେ ରହି ପୁଅ ଦୁନିଆ ଚିହ୍ନିଲା… ସେହି ମାଆ ଆଜି ପୁଅ ପାଇଁ ବୋଝ ପାଲଟିଛି  । ଅଦରକାରୀ ହୋଇଯାଇଛି । ଆଉ ସେଥିପାଇଁତ ଏହି ୭୫ ବର୍ଷିୟ ବିଧବା ମାଆକୁ ଗୋଇଠାମାରି ପୁଅ-ବୋହୂ ଘରୁ ବାହାର କରିଦେଇଛନ୍ତି ।
 କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଓଉଖଣ୍ଡ ଗାଁର ସାରୀ ବେହେରା । ବୟସ ୭୫ ବର୍ଷ, ପରିବାର କହିଲେ ତାଙ୍କର ୪ ଝିଅ, ଗୋଟିଏ ପୁଅ । ଝିଅମାନେ ବାହା ହୋଇଯିବା ପରେ ପୁଅ ପାଖରେ ରହୁଥିଲେ ସାରୀ ବେହେରା  । ସ୍ୱାମୀଙ୍କୁ ହରାଇବା ପରେ ପୁଅକୁ ଆଶ୍ରା କରି ବାକି ଜୀବନ ଭଲରେ କାଟିବେ ବୋଲି ଭାବିଥିଲେ । ମଲା ପରେ ପୁଅ ମୁହଁରେ ନିଆଁ ଦେବ ବୋଲି ଆଶା ରଖିିଥିଲେ । କିନ୍ତୁ ପୁଅର ବାହାଘର ପରେ ସବୁ ବଦଳିଗଲା । ସ୍ତ୍ରୀ ଆସିବା ପରେ ପୁଅ ମାଆ କଥା ଭୁଲିଗଲା । ସ୍ତ୍ରୀ କଥାରେ ପଡି ଆରମ୍ଭ କରିଦେଲା ନିର୍ଯ୍ୟାତନା । ପୁଅ ବୋହୂ ମାଛ ମାଂସ ଖାଉଥିବା ବେଳେ ମାଆକୁ ଖଟା ପଖାଳ ମୁଠେ ବି ଖାଇବାକୁ ଦେଉନଥିଲେ  । ଓଳିଏ ଖାଇଲେ, ଦି’ଓଳି ଉପାସ ରୁହନ୍ତି ସାରୀ । ଦୀର୍ଘଦିନ ହେଲା ପୁଅ, ବୋହୂ ବୁଢି ମାଆଙ୍କୁ ଏଭଳି ନିର୍ଯ୍ୟାତନା ଦେଇ ଆସୁଥିଲେ  । କିନ୍ତୁ କାଲି ଯେଉଁ ଘଟଣା ଘଟିଲା ତାହା ମାଆ-ପୁଅଙ୍କ ସମ୍ପର୍କକୁ ମଳିନ କରିଦେଇଛି ।
ଗତକାଲି ପୁଅ, ବୋହୂ ବୁଢି ମାଆକୁ ଖାଇବାକୁ ନଦେଇ ମାରିବାକୁ ଗୋଡାଇ ଥିଲେ । ନିର୍ଯ୍ୟାତନା ଅସହ୍ୟ ହେବାରୁ ନିଜର ଲୁଗା ଦୁଇଖଣ୍ଡକୁ ପୁଟୁଳିରେ ବାନ୍ଧି ବୁଢି ମାଆ ଘର ଛାଡି ୭୦ କିଲୋମିଟର ଦୂର ରାଜନଗର ବ୍ଲକ ହାତିନା ଗାଁରେ ପହଞ୍ଚିଥିଲେ । ରାତ୍ରିର ଅନ୍ଧକାରରେ ବର୍ଷାରେ ଓଦା ଜୁଡୁବୁଡୁ ହୋଇ ଗାଁର ଗୋଟିଏ ଦୋକାନ ପିଣ୍ଡାରେ ଆଶ୍ରୟ ନେଇଥିଲେ । ଆଉ ସେହି ଗାଁର ଜଣେ ହୃଦୟାବନ ବ୍ୟକ୍ତି ଜାମିନି କାନ୍ତ ଦାସ ତାଙ୍କୁ ନିଜ ଘରକୁ ନେଇ ଆଶ୍ରୟ ଦେଇଛନ୍ତି । ଆଗକୁ ଆଇନର ସହାୟତା ନେଇ ବୁଢି ମାଆକୁ ତାଙ୍କ ଘରକୁ ଫେରାଇନେବେ ବୋଲି କହିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି, କାହା ପାଇଁ ମାଆ ଦଶମାସ ଦଶ ଦିନ କଷ୍ଟ ସହିଥିଲା? ସ୍ୱାମୀ ଚାଲିଗଲା ପରେ ପରଘରେ କାମ କରି, ନିଜେ ଭୋକଉପାସରେ ରହି ପୁଅ ପେଟରେ ଦାନା କଣ ପାଇଁ ଦେଉଥିଲା? କଣ ପାଇଁ ପୁଅକୁ ଏଡୁଟେରୁ ଏଡଟେ କଲା? ହାତ ଧରି ଚାଲିବା ଶିଖେଇଲା, ଦୁନିଆ ଦେଖାଇଲା? କଣ ପୁଅ ହାତରୁ ମାଡ ଖାଇବା ପାଇଁ ତାକୁ ଜନ୍ମ ଦେଇଥିଲା? କେନ୍ଦ୍ରାପଡାର ଏ ଲଜ୍ଜା ଜନକ ଚିତ୍ର, ସମାଜର ସବୁ ପୁଅଙ୍କୁ ପ୍ରଶ୍ନ କରୁଛି