କନ୍ଦେଇ ଦେଉଛି କରୋନାର ଚିତ୍ର । କରଞ୍ଜିଆରେ ଆକ୍ରାନ୍ତଙ୍କ ଶବଦାହକୁ ସ୍ଥାନୀୟ ଲୋକଙ୍କ ବିରୋଧ, ବ୍ରହ୍ମପୁରରେ ବୃଦ୍ଧାଙ୍କ ଦେଲେନି କାନ୍ଧ । ବୁଗୁଡା ବ୍ଲକରେ ଆଖିବୁଜିଲେ ସ୍ୱାମୀ ଓ ସ୍ତ୍ରୀ, ଅନୁଗୁଳ ଡାକ୍ତରଖାନାରୁ କୋଭିଡ ଆକ୍ରାନ୍ତ ଫେରାର ।

416

କନକ ବ୍ୟୁରୋ : କରୋନା କରୁଛି କଲବଲ । ଆଉ ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି କରୋନାର କରୁଣ ଚିତ୍ର । କେଉଁଠି ନିଜ ଲୋକଙ୍କୁ ଛୁଇଁନାହାନ୍ତି ପରିବାର ଓ ପଡୋଶୀ । ଫଳରେ ଡାକ୍ତର ଓ ସରପଂଚ ଦେବଦୂତ ସାଜି କରିଛନ୍ତି ଅନ୍ତିମ ସଂସ୍କାର । କରଞ୍ଜିଆରେ କୋଭିଡ ଆକ୍ରାନ୍ତଙ୍କ ମୃତଦେହକୁ ନେଇ ଉତେଜନା ଦେଖାଦେବାରୁ ପ୍ରଶାସନକୁ ହସ୍ତକ୍ଷେପ କରିବାକୁ ପଡିଛି । ଅନୁଗୁଳରୁ ଜଣେ କୋଭିଡ ଆକ୍ରାନ୍ତ ନିଖୋଜ ହେବା ପରେ ଏନେଇ ପୁଅ ଥାନାରେ ଦେଇଛନ୍ତି ଏତଲା ।

ମୃତ ବୃଦ୍ଧଙ୍କୁ ଛୁଇଁଲେନି ପରିବାର । ମାନବିକତା ଦେଖାଇଲେ ସରପଞ୍ଚଙ୍କ ପ୍ରତିନିଧି । ଗଞ୍ଜାମ ଜିଲ୍ଲାରେ ଆସ୍କା ବାବନପୁର କୋଭିଡ ସେଂଟରରେ ପିତଳ ତହର ଗାଁର ଜଣେ ବୃଦ୍ଧ କୋଭିଡରେ ପ୍ରାଣ ହରାଇଥିଲେ । କିନ୍ତୁ ପରିବାର ଲୋକେ ମୃତଦେହ ନେବାକୁ ମନାକରିଦେଲେ । ଶେଷରେ ବାବନପୁର ସରପଞ୍ଚଙ୍କ ପ୍ରତିନିଧି ଓ ଚାରିଜଣ ସ୍ୱେଚ୍ଛାସେବୀ ମିଶି ବୃଦ୍ଧଙ୍କ ଅନ୍ତିମ ସଂସ୍କାର କରିଥିଲେ ।

କରୋନାରେ ଆଖିବୁଜିଲେ ସ୍ୱାମୀ-ସ୍ତ୍ରୀ । ଡାକ୍ତର ଓ ସରପଂଚ ଦେଖାଇଲେ ବଡହୃଦୟ । କରୋନାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଚିରିକିପଡା ଗାଁରେ କିଛି ସମୟର ବ୍ୟବଧାନରେ ଆଖି ବୁଜିଥିଲେ ପଂଚୁ ପ୍ରଧାନ ଓ ତାଙ୍କ ସ୍ତ୍ରୀ ସବିତା । ପଂଚୁଙ୍କର ପୋଲସରା ମେଡିକାଲରେ ମୃତ୍ୟୁ ହୋଇଥିବାବେଳେ ଘରେ ସ୍ତ୍ରୀଙ୍କ ପ୍ରାଣବାୟୁ ଉଡି ଯାଇଥିଲା । କରୋନା ଭୟରେ ପରିବାର ସଦସ୍ୟ, ସାହିପଡିଶା କେହି ପାଖ ମାଡିନଥିଲେ । ଫଳରେ ବୁଗୁଡା ବିଡିଓ, ଡାକ୍ତର, ସ୍ଥାନୀୟ ସରପଂଚ ମିଶି ମୃତଦେହକୁ ସତ୍କାର କରିଛନ୍ତି ।

ବୃ୍ଦ୍ଧାଙ୍କୁ ମିଳିଲାନି କାନ୍ଧ । ମାନବିକତାର ପରିଚୟ ଦେଲେ ସରପଂଚ । କରୋନା କରୁଣ ଚିତ୍ରର ଆଉ ଏକ ଦୃଶ୍ୟ ଆସିଛି ବ୍ରହ୍ମପୁର କୁୁକୁଡାଖଣ୍ଡିରୁ । ମାନବିକତାକୁ ଭୁଲିଯାଇଛନ୍ତି ଲୋକେ । ସାଧାରଣ ରୋଗରେ ମୃତ୍ୟୁ ହୋଇଥିଲେ ବି ସଂକ୍ରମଣ ଭୟରେ କେହି ଆସିନଥିଲେ । ଶେଷରେ ସ୍ଥାନୀୟ ସଂରପଚ ବଡହୃଦୟ ଦେଖି ବୃଦ୍ଧାଙ୍କ ଅନ୍ତିମ ସଂସ୍କାର କରିଛନ୍ତି ।

କରୋନା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାରକୁ ନେଇ ଉତେଜନା । ତହସିଲଦାର ଓ ଏନଏସି ଅଧିକାରୀ କଲେ ହସ୍ତକ୍ଷେପ । କରୋନାର ଆଉ କରୁଣ କାହାଣୀ ଆସିଛି କରଞ୍ଜିଆରୁ । କୋଭିଡ ଆକ୍ାନ୍ତଙ୍କ ଶବ ଦାହକୁ ନେଇ ଦେଖାଦେଇଛି ଉତେଜନା । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବାକୁ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ଲୋକେ କୋଭିଡ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ଥାନ କରିବାକୁ ଦାବି କରିଥିଲେ । ପରେ ତହସିଲଦାର, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ରହି ମୃତଦେହର ଅନ୍ତିମ ସଂସ୍କାର କରିଛନ୍ତି । ସେପଟେ କୋଭିଡ କେୟାର କେନ୍ଦ୍ରରୁ ଗାଏବ ହୋଇଯାଇଛନ୍ତି ରୋଗୀ । ଅନୁଗୁଳରୁ ଆସିଛି ଏଭଳି ଘଟଣା । ଅନୁଗୁଳ ସରକାରୀ ଡାକ୍ତରଖାନାରୁ ଗୋବିନ୍ଦ ପ୍ରଧାନ କେଉଁଆଡେ ଚାଲିଯାଇଛନ୍ତି । ଏ ନେଇ ତାଙ୍କ ପୁଅ ଥାନାରେ ଏତଲା ଦେଇଛନ୍ତି ।