କନକ ବ୍ୟୁରୋ : କଅଁଳ କାନ୍ଧରେ ପୁରା ପରିବାରର ବୋଝ । ଯେଉଁ ବୟସରେ ସାଙ୍ଗମାନଙ୍କ ସହ ଖେଳିବା କଥା ବିଧୀର ବିଧାନ ଦେଖନ୍ତୁ ଆଜି ଉଠାଇବାକୁ ପଡୁଛି ପରିବାରର ଦାୟିତ୍ୱ । ବାପା, ମାଆ ଏବଂ ଦିବ୍ୟାଙ୍ଗ ବଡଭାଈର ସେବାରେ ବିତୁଛି କୁନି ପୁଅର ଜୀବନ । ଦୁଇଓଳି ଦୁଇମୁଠା ଦାନା ଯୋଗାଡ କରିବା ପାଇଁ ଅସମର୍ଥ ପରିବାର ବଂଚିଛି ମାତ୍ର ୯ ବର୍ଷର ପୁଅ ଭରସାରେ । ପୁରା ପରିବାରକୁ ଦେଖିଲେ, ଆଉ କୁନି ପୁଅର ସଂଘର୍ଷ ଦେଖିଲେ ଆପଣଙ୍କ ଆଖି ବି ଲୁହରେ ଭିଜି ଯିବ, ଛାତି କୋହରେ ଭରି ଯିବ ।

Advertisment

କଅଁଳ କାନ୍ଧରେ ପରିବାରର ବୋଝ । ଜୀବନକୁ ଭଲକରି ବୁଝିବା ଆଗରୁ ପୁରା ପରିବାରର ଜୀବନ ବଂଚାଇବା ପାଇଁ ସଂଘର୍ଷ କରୁଛି କୁନି ପୁଅ । ବାଡିକୁ ଆଶ୍ରା କରି ଚାଲୁଥିବା ମାଆକୁ ବାଟ କଢେଇ ନେଉଛି ପୁଅ । ବାପା-ମାଆଙ୍କ ହାତ ଧରି ଚାଲିବା ବୟସରେ ବାପା-ମାଆଙ୍କ ହାତ ଧରି ଚଲେଇବା ପାଇଁ ଚେଷ୍ଟା କରୁଛି ୯ ବର୍ଷର ପୁଅ ।

କେନ୍ଦ୍ରାପଡା ମାର୍ଶାଘାଈ ବ୍ଲକ ଆଠବାଟିଆ ଗାଁର ପବିତ୍ର ବେହେରା । ଦିନେ ଜଳଖିଆ ଦୋକାନ କରି ସ୍ତ୍ରୀ ଓ ଦୁଇ ପୁଅଙ୍କ ମୁହଁରେ ଆହାର ଦେଉଥିଲେ । ହେଲେ ସେ ରୋଗାକ୍ରାନ୍ତ ହୋଇ ବିଛଣାରେ ପଡିଯିବା ପରେ କୁନି ପୁଅ ପ୍ରଥମେଶ ବେହେରାଙ୍କ ଉପରେ ନିର୍ଭର କରୁଛି ପୁରା ପରିବାର ।

ଚାଳ ଛପର ଛାତକୁ ଝାଟିମାଟିର କାନ୍ଥ । ଏହି ଦଦରା ଘରେ ରୁହନ୍ତି ପ୍ରଥମେଶଙ୍କ ପରିବାର । ସକାଳୁ ଉଠି ଘରର ବାସି ପାଇଟି ସାରିବା ପରେ ବାପାଙ୍କ ଝାଡା-ପରିଶ୍ରା କରାଇବା ସହ ଦିବ୍ୟାଙ୍ଗ ଭାଈର ସେବା କରୁଛି ତୃତୀୟ ଶ୍ରେଣୀର ଛାତ୍ର । ପରିବାରର ଏଭଳି ସ୍ଥିତିରେ ମାଆ-ବାପାଙ୍କୁ ସୁସ୍ଥ କରିବା ପାଇଁ ଅଂଟା ଭିଡିଛି କୁନି ପୁଅ । ଔଷଧ ଖର୍ଚ୍ଚ ପାଇଁ ସାହି-ପଡିଶା ଓ ସ୍ଥାନୀୟ ବଜାରରେ ଲୋକଙ୍କୁ ଭିକ ମାଗି ଟଙ୍କା ଯୋଗାଡ କରୁଛି ପ୍ରଥମେଶ ।

ପବିତ୍ରଙ୍କୁ ସରକାରୀ ସାହାଯ୍ୟ ମିଳୁଛି, ଯାହା ସମୁଦ୍ରକୁ ସଂଖେ । ଖାଦ୍ୟ ସୁରକ୍ଷା ଯୋଜନାରେ ୨୦ କେଜି ଚାଉଳ ଏବଂ ଦିବ୍ୟାଙ୍ଗ ପୁଅକୁ ୭୦୦ ଟଙ୍କାର ଭିନ୍ନକ୍ଷମ ଭତା ମିଳୁଛି । ହେଲେ ସେଥିରେ ପେଟ ପୁରୁନି, ଓଳିଏ ଖାଇଲେ ଓଳିଏ ଉପାସରେ ରହିବାକୁ ପଡୁଛି । ଏଭଳି ସ୍ଥିତିରେ ବାପା-ମାଆଙ୍କୁ ସୁସ୍ଥ କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସହାୟତା ପାଇଁ ନିବେଦନ କରିଛି ପ୍ରଥମେଶ । ଜିଲ୍ଲା ପ୍ରସାଶନ ପବିତ୍ରଙ୍କୁ ଚିକିତ୍ସା ଯୋଗାଇ ଦେବା ସହ ଅସହାୟ ପରିବାରକୁ ସହାୟତାର ହାତ ବଢାଇବା ପାଇଁ ସ୍ଥାନୀୟ ଅଂଚଳରେ ଲୋକେ ଦାବି କରିଛନ୍ତି ।