ଧିକ୍ ଆମ ସ୍ୱାସ୍ଥ୍ୟସେବାକୁ ! ଆଠଗଡରୁ ଆସିଲା ଅବହେଳାର ହୃଦୟ ବିଦାରକ ଚିତ୍ର । ହସ୍ପିଟାଲ ବାହାରେ ଗଛ ତଳେ ନବଜାତକୁ ଜନ୍ମ ଦେଲେ ମା’ । ଆଖି ବୁଜିଦେଲା ନବଜାତ ।

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନଚିତ୍ର

355

କନକ ବ୍ୟୁରୋ : ଆମେ ଏକ ଏମିତି କାହାଣୀ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କ ଛାତି ଫାଟିଯିବ । ହସ୍ପିଟାଲରେ ଡାକ୍ତରଙ୍କ ଦେଖା ନ ମିଳିବାରୁ ଗଛ ମୂଳରେ ନବଜାତଙ୍କୁ ଅତି ଦୟନୀୟ ଅବସ୍ଥାରେ ଜନ୍ମ ଦେଇଛି ମା’ । ହେଲେ ଆଉ ଏକ ଡାକ୍ତରଖାନାରେ ପହଁଚିବା ପୂର୍ବରୁ ସବୁ ଦିନ ପାଇଁ ଆଖିବୁଜି ଦେଲା କୁନି ଶିଶୁ । କଟକ ଆଠଗଡ଼ ଗୁରୁଡ଼ିଝାଟିଆ ଡାକ୍ତରଖାନାରୁ ଆସିଛି ଏହି ଖବର ।

ଏହା ଏକ ଏମିତି ଚିତ୍ର ଯାହା ଆପଣଙ୍କୁ ଦେଖାଇବା ସମ୍ଭବ ନୁହେଁ । ଉନବିଂଶ ଶତାବ୍ଦୀରେ ଏହି ହୃଦୟ ବିଦାରକ ଘଟଣା ପୁଣିଥରେ ସ୍ୱାସ୍ଥ୍ୟ ସେବାକୁ ନେଇ ପ୍ରଶ୍ମବାଚୀ ସୃଷ୍ଟି କରିଛି । ଏହି ଘଟଣା ବୟାନ କରୁଛି କିପରି ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସରକାରଙ୍କ ପୁଳା ପୁଳା ଯୋଜନା ଉପହାସ ବନିଯାଇଛି ।

ଅଧାପ୍ରସବ କରି ଜଣେ ମହିଳା ଯେତେବେଳେ ଆଠଗଡ ଗୁରୁଡିଝାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିଥିଲେ ସେତେବେଳକୁ ତାଲା ପଡିଥିଲା ସ୍ୱାସ୍ଥ୍ୟକେନ୍ଦ୍ରରେ । ଡାକ୍ତରଙ୍କ ସମେତ ସମସ୍ତ ୧୧ଜଣ ଷ୍ଟାଫ ଅନୁପସ୍ଥିତ ରହିଥିଲେ । ଯାହାର ପରିଣାମ ଭୋଗିିବାକୁ ପଡିଲା ପ୍ରସବ ବେଦନାରେ ଛଟପଟ ହେଉଥିବା ଏହି ମହିଳା କୁନି ମହାରଣାଙ୍କୁ ।

ଏହିପରି ଅବସ୍ଥାରେ ମହିଳା ଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତର ସେଠାରେ ନବଜନ୍ମିତ ଶିଶୁଟିକୁ ବଂଚାଇ ପାରିନଥିଲେ । ହୁଏତ ଯଦି ଶୀଘ୍ର ଅଣାଯାଇଥାନ୍ତା, ଶିଶୁଟିକୁ ବଂଚାଯାଇପାରିଥାନ୍ତା ।

ପ୍ରସବ ବେଦନା ସହିନପାରି କୁନି ମହାରଣା ନାମକ ଏହି ମହିଳା ଗତକାଲି ଆସିଥିଲେ ଗୁରୁଡି ଝାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ହେଲେ ଏବେ ସମୟ ହୋଇନି, ୪ଦିନ ପରେ ଆସ ବୋଲି କହି ଡାକ୍ତର ଫେରାଇ ଦେଇଥିଲେ । ଆଜି ପ୍ରସବ ବେଦନା ସହିନପାରି ମହିଳା ଜଣଙ୍କ ପୁଣି ଥରେ ଆସିବାରୁ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ସ୍ୱାସ୍ଥ୍ୟକେନ୍ଦ୍ରରେ । ଯାହାକି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ନଗ୍ନଚିତ୍ର ସାମନାକୁ ଆଣିଛି ।