ବାହୁଡ଼ିଗଲେ ବ୍ୟଙ୍ଗାତ୍ମକ କାର୍ଟୁନର ବାଦଶାହା । ଏମିତି ଚଲାଉଥିଲେ କଲମର ତରବାରୀ, ଆଉ କେହି ହେବେନି ‘କଟାକ୍ଷ କିଶୋର’ଙ୍କ ପରି…

94

କନକ ବ୍ୟୁରୋ: ଆଉ ଚାଲିବନି କିଶୋରଙ୍କ କଲମ । କଟାକ୍ଷରେ ଦିଶିବନି ନିଆରା କାର୍ଟୁନ । ନିଜ ଯାଦୁଗରୀ ଶବ୍ଦ ଓ କାର୍ଟୁନରେ ଓଡିଆ ପାଠକଙ୍କୁ ବାନ୍ଧିଥିବା କିଶୋର ରଥ ସବୁଦିନ ପାଇଁ ବୁଜିଦେଇଛନ୍ତି ଆଖି । କିନ୍ତୁ ମୃତ୍ୟୁ ପୂର୍ବରୁ ବି ସେ ଭୂଲିନାହାନ୍ତି ନିଜ କର୍ତ୍ତବ୍ୟକୁ । ମୃତ୍ୟୁର କେଇ ଘଂଟା ପୂର୍ବରୁ ଲେଖିଯାଇଛନ୍ତି କଟାକ୍ଷ ।

ସ୍ୱାସ୍ଥ୍ୟ ବିଗିଡିବାର କେଇ ମିନିଟ ପୂର୍ବରୁ ସମ୍ବାଦ କାର୍ଯ୍ୟାଳୟକୁ ଶେଷ ଲେଖା ପଠାଇଥିଲେ କାର୍ଟୁନିଷ୍ଟ କିଶୋର ରଥ । ଡେଡ ଲାଇନ ପୂର୍ବରୁ ନିଜ କର୍ତ୍ତବ୍ୟ ସାରିଦେଇଥିଲେ କିଶୋର । ବାସ୍ ଏହା ପରେ ବିଗିଡିଗଲା ସ୍ୱାସ୍ଥ୍ୟ । ଡାକ୍ତରଖାନାରେ ଚିିକିତ୍ସା ଚାଲିଲା । କିନ୍ତୁ ହଠାତ କେଇ ଘଂଟା ପରେ ହୃଦଘାତରେ ସବୁଦିନ ପାଇଁ ଆଖିବୁଜିଦେଲେ କିଶୋର ।

ଦୈନିକ ସମ୍ବାଦ ପତ୍ର ସମ୍ବାଦକୁ ଲୋକପ୍ରିୟ କରାଇବାରେ ବଡ଼ ଭୂମିକା ଥିଲା କିଶୋରଙ୍କର । କାରଣ ସକାଳୁ ଉଠିଲେ ସରକାରର ଦୋଷ ତୃଟିକୁ ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ପେପରକୁ ଉତାରି ଦେଉଥିଲେ କିଶୋର , ଯାହା ପାଠକ ପାଠିକାଙ୍କ ମନକୁ ଆମୋଦିତ କରିବା ସହ ଶାସନ କଳକୁ ସତର୍କ କରାଇଦେଉଥିଲା । ସାମ୍ବାଦିକତାର ଧର୍ମକୁ କିଶୋର ଏଭଳି ନିଭାଇଥିଲେ ଯାହା ସାଂପ୍ରତିକ ସ୍ଥିତିରେ ପ୍ରାୟତଃ ଦେଖାଯାଏନି । ସେଥିପାଇଁ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି ଏଭଳି ଜଣେ ଲେଖକ ଆଗରୁ କେବେ ନଥିଲେ । କିଶୋରଙ୍କୁ ସେ ବିଶିଷ୍ଟ କାର୍ଟୁନିଷ୍ଟ ଆର କେ ଲକ୍ଷ୍ମମଣ ସହ ତୁଳନା କରିଥିଲେ ।

କିଶୋରଙ୍କ ଦେହାନ୍ତ ଖବର ସାରା ରାଜ୍ୟରେ ଜଙ୍ଗଲର ନିଆଁ ଭଳି ବ୍ୟାପିଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି କହିଥିଲେ ଯେ, ସମାଜର ବିଭିନ୍ନ ପ୍ରସଙ୍ଗକୁ ବ୍ୟଙ୍ଗ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିବାର ସ୍ୱତନ୍ତ୍ର ଶୈଳୀ ପାଇଁ ସେ ଚିର ସ୍ମରଣୀୟ ରହିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଥିଲେ ଯେ, ରାଜ୍ୟର ସାଂପ୍ରତିକ ଘଟଣାବଳୀକୁ ବ୍ୟଙ୍ଗାତ୍ମକ ଚିତ୍ର ଭାବେ ପରିବେଷଣ କରି ସେ ଘରେ ଘରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ପିସିସି ସଭାପତି ନିରଂଜନ ପଟ୍ଟନାୟକ ମଧ୍ୟ ତାଙ୍କର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଥିଲେ । ତାଙ୍କ ସହ ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି , ରଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜ୍ୟନ୍ତ ପଣ୍ଡା ଓ ବିଭିନ୍ନ ବର୍ଗର ଲୋକେ ଟ୍ୱିଟ କରି ଶ୍ରଦ୍ଧାଂଜଳୀ ଜଣାଇଛନ୍ତି । କିଶୋରଙ୍କ ଆଉ ଏକ ପରିଚୟ ହେଉଛି , ପାରମ୍ପାରିକ ଢୁମ୍ପା ଗୀତକୁ ବଂଚାଇ ରଖିବାରେ ସେ ପ୍ରମୁଖ ଭୁମିକା ନେଇଥିଲେ । ଯେଉଁଥିପାଇଁ ଓଡିଶାର ଗାଁ ଗାଁରେ ଏବେବି ଢୁମ୍ପା ବଂଚିରହିଛି ।