ମହାମାରୀ ପାଇଁ ୩ ମନ୍ତ୍ର: କରୋନା ଯୁଦ୍ଧ ଜିତିବାକୁ ୩ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ । କହିଲେ ତ୍ୟାଗ, ସଂଯମ ଓ ଶୃଙ୍ଖଳା ଦ୍ୱାରା ଆମେ ସଂକ୍ରମଣଠୁ ଜିତି ପାରିବା । ମହାପ୍ରଭୁ ବଡଦାଣ୍ଡକୁ ଆସି ଦେଖାଇଗଲେ ଯୁଦ୍ଧ ଜିତିବାର ବାଟ

1,440

କନକ ବ୍ୟୁରୋ: ମହାମାରୀ ଜିତିବାକୁ ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ । କେମିତି ଜିତିବା କରୋନା ଯୁଦ୍ଧ ? ଓଡିଶାବାସୀଙ୍କୁ ୩ଟି ଅସ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ । ତ୍ୟାଗ, ସଂଯମ ଓ ଶୃଙ୍ଖଳା ଦ୍ୱାରା ଆମେ ଭୂତାଣୁକୁ ଭଗେଇ ପାରିବା ଆଉ ସୁସ୍ଥ ଜୀବନ ଜିଇଁପାରିବା ବୋଲି ଭିଡିଓ ଜରିଆରେ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ନବୀନ ।

ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ମହାପ୍ରଭୁଙ୍କ ରଥଯାତ୍ରା ଇତିହାସ ସୃଷ୍ଟି କରିଛି । ବିନାଭକ୍ତରେ ଭଲରେ ଭଲରେ ମହାପ୍ରଭୁଙ୍କ ରଥଯାତ୍ରା ହୋଇଥିବାରୁ ସେବାୟତ, ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ, ପୋଲିସ ଏବଂ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଭୁଙ୍କ ରଥଯାତ୍ରା ଉପରେ ସାରା ବିଶ୍ୱର ନଜର ଥିଲା । ରଥଯାତ୍ରା ପୂର୍ବଦିନ କହିଥିଲି ସାରା ବିଶ୍ୱର ନଜର ଆମ ଉପରେ ରହିଛି । କୋଭିଡ ନିୟମ ମାନି ରଥଯାତ୍ରା କରୁଥିବାରୁ ସାରା ବିଶ୍ୱ ନଜର ରଖିଥିଲା । ମହାପ୍ରଭୁଙ୍କ ଆଶିର୍ବାଦ ପାଇଁ ଆମେ ସଫଳ ହୋଇଛୁ । ଶୃଙ୍ଖଳାର ସହ କାମ କରି ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରି ପାରିଛୁ ।

ତେବେ ରଥଯାତ୍ରା ସମୟରେ ପୁରୀବାସୀଙ୍କ ତ୍ୟାଗ ହିଁ ଶ୍ରେଷ୍ଠ ଭକ୍ତି ବୋଲି ନବୀନ କହିଛନ୍ତି । ମହାପ୍ରଭୁ ୪ ଦିନ ବଡଦାଣ୍ଡରେ ରହିଲେ କିନ୍ତୁ ପୁରୀର ଜନସାଧାରଣ କେହି ବି ରାସ୍ତାକୁ ଆସିନଥିଲେ । ସମସ୍ତେ ଘରେ ବସି ରଥଯାତ୍ରା ଦେଖିଲେ । ପୁରୀବାସୀଙ୍କ ଏହି ତ୍ୟାଗ ଓ ସଂଯମତାର ତୁଳନା ନାହିଁ । ତେବେ ମହାମାରୀ ବେଳେ ମହାପ୍ରଭୁ ଯୁଦ୍ଧ ଜିତିବାର ବାଟ ଦେଖାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପୁରୀ ଆଜି ସାରା ଦୁନିଆକୁ ବାଟ ଦେଖାଇଛି । କୋଭିଡ୍ ନିୟମ ମାନି କେମିତି କାମ କରିବାକୁ ହେବ ସେଥିପାଇଁ ପୁରୀ ପ୍ରେରଣା ଦେଇଛି । ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ । ଯେମିତି ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗର ବାର୍ତ୍ତା ଦେଲୋ ସେମିତି କରୋନା ଯୁଦ୍ଧ ଜିତିବାକୁ ହେଲେ ଆମକୁ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଗ୍ରହଣ କରିବାକୁ ହେବ । ଏହି ୩ ଅସ୍ତ୍ର ଆମକୁ କରୋନାରୁ ନିଶ୍ଚୟ ଜିତାଇବ ବୋଲି ନବୀନ ଦୃଢତାର ସହ କହିଛନ୍ତି ।