ଆଜି ବି ପିଚ୍, ପଡିଆ ଆଉ ଫ୍ୟାନ୍ସ ଖୋଜୁଛନ୍ତି ସଚିନ । ୪୮ ବର୍ଷରେ ପାଦ ଦେଲେ ମାଷ୍ଟର ବ୍ଲାଷ୍ଟର ।

153

କନକ ବ୍ୟୁରୋ: ସଚିନ,ମାଷ୍ଟର ବ୍ଲାଷ୍ଟର,ଗଡ ଅଫ୍ କ୍ରିକେଟ୍ – ବୋଧହୁଏ ଏହି ନାଁ ହିଁ କାଫି ତାଙ୍କୁ ଚିହ୍ନିବା ପାଇଁ ଓ ତାଙ୍କୁ ଜାଣିବା ପାଇଁ । ବିଶ୍ୱ କ୍ରିକେଟରେ ଯେତେବେଳେ ବି ସଚିନଙ୍କ ନାଁ ଉଠେ, ଆଖି ଆଗକୁ ଚାଲିଆସେ ସେହି ୫ ଫୁଟ୍ ୫ ଇଂଚର ମଣିଷ ଟିଏ, ଯେ ଦୀର୍ଘ ୨୩ ବର୍ଷ ୧୧ ମାସ ଧରି କ୍ରିକେଟ ଜଗତରେ ରାଜୁତି କରିବା ସହ  କରିଥିଲେ ୩୦ ହଜାରରୁ ଅଧିକ ଅନ୍ତର୍ଜାତୀୟ ରନ୍ । ସଚିନ ଏମିତି ଜଣେ ଖେଳାଳି ଥିଲେ ଯାହାଙ୍କ ଅବସରରେ କେବଳ ଫ୍ୟାନ୍ସ ନୁହେଁ ପଡିଆ ଆଉ ପିଚ ବି କାନ୍ଧିଥିଲା । ଆଉ ସମଗ୍ର ବିଶ୍ୱ ତାଙ୍କ କ୍ରିକେଟ କ୍ୟାରିଅରକୁ ମନେ ପକାଇ ଜୋର ଜୋରରେ ଚିକ୍ରାର କରିଥିଲା ସଚିନ … ସଚିନ…ଆଉ ସଚିନ ।

କ୍ରିକେଟ ଜଗତରେ ଭଗବାନ ବୋଲାଉଥିବା ସଚିନ ଆଜି ୪୮ ବର୍ଷରେ ପାଦ ଦେଇଛନ୍ତି । ଆଜି ଗଡ ଅଫ୍ କ୍ରିକେଟଙ୍କ ବାର୍ଥ ଡେ । ସାରା କ୍ରିକେଟ୍ ଜଗତ ଆଜି ସଚିନଙ୍କୁ ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ଜଣାଉଥିବାବେଳେ,ଫ୍ୟାନ୍ସମାନେ ବି କହୁଛନ୍ତି ହାପି ବାର୍ଥ ଡେ ତେନ୍ଦୁଲକର ।

ସଚିନଙ୍କ ଜନ୍ମ ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ମୁମ୍ବାଇରେ ହୋଇଥିଲା । ତାଙ୍କ ବାପାଙ୍କ ନାଁ ଥିଲା ରମେଶ ତେନ୍ଦୁଲକର, ଆଉ ମା ଥିଲେ ରଜନୀ ତେନ୍ଦୁଲକର । ସଚିନ ତାଙ୍କ ଭାଇ ଭଉଣୀଙ୍କ ଭିତରେ ସବୁଠୁ ସାନ ଥିଲେ । ଆଉ ତାଙ୍କ ମା ତାଙ୍କୁ ଗେଲରେ ଡାକୁଥିଲେ ସଚୁ । ତେବେ ସେତେବେଳେ ସଚୁ ସମୟ ବଢିବା ସହିତ ବନିଯାଇଥିଲା କ୍ରିକେଟ ଜଗତର ସଚିନ ତେନ୍ଦୁଲକର । ଆଉ ନିଜ ବ୍ୟାଟର ବଳରେ ଭାଙ୍ଗିଚାଲିଥିଲା ଅନେକ ରେକର୍ଡ ।

କୁହାଯାଏ ତୁଳସୀ ଦୁଇ ପତ୍ରରୁ ବାସେ । ସେମିତି ସଚିନ ମଧ୍ୟ ପିଲାଟି ଦିନରୁ କ୍ରିକେଟ ପ୍ରତି ନିଜର ଆଗ୍ରହ ଦେଖାଇଥିଲେ । ତାଙ୍କୁ ଯେତେବେଳେ ମାତ୍ର ୫ ବର୍ଷ ହୋଇଥିଲା ସେ ପ୍ରଥମ କରି ହାତରେ ବ୍ୟାଟ ଧରିଥିଲେ । ଆଉ ସଚିନଙ୍କ ଜୀବନରେ ପ୍ରଥମ କରି ଜନ୍ମ ନେଇଥିଲା କ୍ରିକେଟ୍ । ଭାଇ ଅଜିତ ତେନ୍ଦୁଲକର ସହ ମିଶି ସେ ଭେଟିଥିଲେ ତାଙ୍କ ଗୁରୁ ରମାକାନ୍ତ ଆଚରେକରଙ୍କୁ । ତାଙ୍କ ପ୍ରଶିକ୍ଷଣରେ ସଚିନ ଆଗକୁ ବଢିବା ସହ ଭାଙ୍ଗିଚାଲିଥିଲେ ଅନେକ ରେକର୍ଡ । ବିନୋଦ କାମ୍ବଲୀଙ୍କ ସହ ମିଶି ସଚିନ ସେତେବେଳେ ଏକ ଇଂଟର ସ୍କୁଲ ମ୍ୟାଚରେ ୬୬୪ ରନର ପାର୍ଟନରସିପ ଗଢିଥିଲେ । ଆଉ ବ୍ୟକ୍ତିଗତ ଭାବେ କରିଥିଲେ ୩୨୬ ରନ୍ । ଯାହା ତାଙ୍କୁ ଲାଇମ୍ ଲାଇଟକୁ ଆଣିବା ସହିତ ଚାରିଆଡେ ଏହି ଇଂନିସକୁ ନେଇ ଚର୍ଚ୍ଚା ହୋଇଥିଲା ।

ସଚିନଙ୍କ ଟେଷ୍ଟ ଡେବ୍ୟୁ ବି ହୋଇଥିଲା ଭାରତର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ । ସେତେବେଳକୁ ସଚିନଙ୍କୁ ହୋଇଥାଏ ମାତ୍ର ୧୬ ବର୍ଷ । ଆଉ ସାମ୍ନାରେ ଥାଆନ୍ତି ପାକିସ୍ତାନର ଦୁର୍ଦ୍ଦଷ ଦ୍ରୁତ ବୋଲରମାନେ । ହେଲେ ସମସ୍ତଙ୍କୁ ସାମ୍ନା କରି ସଚିନ ଆରମ୍ବ କରିଥିଲେ ନିଜ ଅନ୍ତର୍ଜାତୀୟ କ୍ରିକେଟ୍ । ସେବେଠୁ ୨୦୧୩ ମସିହା ନଭେମ୍ବର ୧୪ ଭିତରେ ଅନେକ ସମସ୍ୟା ଆସଥିଲା, ୨୦୦୩  ବିଶ୍ୱକପ୍ ଫାଇନାଲ ପରାଜୟ ହେଉ ବା ଇଞ୍ଜୁରୀ ପ୍ରୋବ୍ଲେମ୍  । ସଚିନ ସବୁବେଳେ ସ୍ଥିର ହୋଇ ଠିଆ ହୋଇଥିଲେ । ଅନେକ ବୋଲର ଆସିଥିଲେ ଆଉ ଚାଲିଯାଇଥିଲେ, ହେଲେ ସଚିନଙ୍କ ବ୍ୟାଟ୍ ସବୁ ବୋଲରଙ୍କୁ ଧୁଲାଇ କରିଥିଲା । ଆଉ ଅନ୍ତର୍ଜାତୀୟ କ୍ରିକେଟରେ ସଚିନ ମାରିଥିଲେ ୩୦ ହଜାରରୁ ଅଧିକ ରନ୍ । ଯାହା ଆଜି ବି ରେକର୍ଡ ହୋଇ ରହିଛି ।

୨୦୧୧ ବିଶ୍ୱକପରେ ସଚିନଙ୍କ ଅଧୁରା ସ୍ୱପ୍ନ ପୂରା ହୋଇଥିଲା । ହାତରେ ବିଶ୍ୱକପକୁ ତୋଳି ଧରିଥିଲେ ସଚିନ । ଆଜି ବି ସେ ସମୟ ମନେ ପଡେ, ଯେତେବେଳେ ଟିମ୍ ଇଣ୍ଡିଆର ଖେଳାଳିମାନେ ସଚିନଙ୍କୁ କାନ୍ଧରେ ଧରି ୱାଙ୍ଖଡେ ଷ୍ଟାଡିୟମର ଚାରିପଟେ ବଲାଇଥିଲେ । ହେଲେ ଏତିିକିରେ କ୍ରିକେଟ ସଚିନଙ୍କ ପାଖ ଛାଡିନଥିଲା । ୨୦୧୨ରେ ସଚିନ ମାରିଥିଲେ ନିଜର ଶହେ ତମ ଶତକ । ଯାହା ଏବେ ବି କ୍ରିକେଟ୍ ଇତିହାସର ରେକର୍ଡବୁକରେ ଅଭଙ୍ଗା ରେକର୍ଡ ହୋଇ ରହିଛି ।

୨୦୧୨ରେ ୱାନଡେ, ୨୦୧୩ରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ ମାଷ୍ଟର ବ୍ଲାଷ୍ଟର । ସଚିନ ନିଜ ଶେଷ ମ୍ୟାଚ ବି ଖେଳିଥିଲେ ନିଜ ହୋମ୍ ଗ୍ରାଉଣ୍ଡ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ । ଏହି ମ୍ୟାଚରେ ସେ ୭୪ ରନ୍ ମାରିବା ସହିତ ସବୁଦିନ ପାଇଁ ଇଂଟରନ୍ୟାସନାଲ କ୍ରିକେଟକୁ ଗୁଡବାଏ କହିଥିଲେ । ୟା ଭିତରେ ସଚିନ ଟିମ୍ ଇଣ୍ଡିଆରୁ ବିଦାୟ ନେବା ୮ ବର୍ଷ ହୋଇଗଲାଣି । ହେଲେ ତାଙ୍କ ସ୍ଥାନ ଆଜି ବି ଅପୂରଣୀୟ ହୋଇ ରହିଛି ଆଉ ରହିବ ମଧ୍ୟ ।