କନକ ବ୍ୟୁରୋ : ଆରମ୍ଭ ହୋଇଛି ବିଶ୍ୱକପ, ଟାଇଟଲ ପାଇଁ ମୈଦାନକୁ ଓହ୍ଳାଛନ୍ତି ବିଶ୍ୱର ବଛା ବଛା ୧୦ ଟିମ୍ । ଚଳିତ ବିଶ୍ୱକପ ବେଶ ରୋମାଞ୍ଚକର ହେବ ବୋଲି କ୍ରିକେଟପ୍ରେମୀ ଆଶା ବାନ୍ଧି ବସିଛନ୍ତି । ଭାରତରେ ବିଶ୍ୱକପ ଖେଳାଯାଉଥିବାରୁ ଚଳିତଥର ଟିମ୍ ଇଣ୍ଡିଆ ଟାଇଟଲ ଦାବିଦାର ରହିଛି । ତେବେ ଏସବୁ ଭିତରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଟପ୍-୪ ଟିମକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ।

Advertisment

ଏକ ସାକ୍ଷାତକାରରେ ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ବିଶ୍ୱକପକୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି । ୧୦ ଟିମ ମଧ୍ୟରୁ ସଚିନ ନିଜ ପସନ୍ଦର ୪ ଟିମ୍ ବାଛିଛନ୍ତି, ଯେଉଁମାନଙ୍କୁ ସେମିଫାଇନାଲର ପ୍ରବଳ ଦାବିଦାର ବୋଲି ସଚିନ କହିଛନ୍ତି । ତେବେ ସଚିନଙ୍କ ଏହି ଆକଳନ ପାକିସ୍ତାନ ପାଇଁ ଖୁସିଖବର ଆଣି ଦେଇନାହିଁ । କାରଣ ସଚିନ ବାଛିଥିବା ୪ ଟିମ୍ ମଧ୍ୟରେ ପାକିସ୍ତାନର ସ୍ଥାନ ନାହିଁ । ସଚିନଙ୍କ ଅନୁଯାୟୀ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ଭାରତ ଓ ନ୍ୟୁଜିଲାଣ୍ଡ ବିଶ୍ୱକପ ସେମିଫାଇନାଲ ଖେଳିବାକୁ ପ୍ରବଳ ଦାବିଦାର ରହିଛନ୍ତି । ଏହାପୂର୍ବରୁ ଅନେକ ପୂର୍ବତନ କ୍ରିକେଟର ମଧ୍ୟ ଏହି ୪ଟିମକୁ ସେମିଫାଇନାଲ ରେସରେ ରଖିଛନ୍ତି ।

ଏହାସହ ସଚିନ କହିଛନ୍ତି, ୨୦୧୧ ସଫଳତାର ପୁନରାବୃତ୍ତି କରିବ ଭାରତ । ମୋର ଏହି ଆଶା ଅଛି । କାରଣ ଏବେ ଆମ ଟିମ ବେଶ ଭଲ ପ୍ରଦର୍ଶନ କରୁଛି । ଯଦି ଭାରତୀୟ ଟିମ୍ ଏକାଗ୍ରତାର ସହ ଆଗକୁ ବଢେ ତେବେ ଟିମ୍ ଇଣ୍ଡିଆ ପାଖରେ ପୁଣିଥରେ ଟାଇଟଲ ହାତେଇବାର ସୁଯୋଗ ରହିଛି । ତେନ୍ଦୁଲକର କହିଛନ୍ତି, ଆମ ପାଖରେ ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅପ ରହିଛି । ଏହାଛଡା ଭଲ ଅଲରାଉଣ୍ଡରଙ୍କ ସହ ଶକ୍ତିଶାଳୀ ବୋଲିଂ ବାହିନୀ ରହିଛି । ସବୁ ବର୍ଗରେ ଟିମ୍ ଇଣ୍ଡିଆ ପାଖରେ ବେଶ ଭଲ ଖେଳାଳୀ ରହିଛନ୍ତି ।

କେବଳ ଏତିକି ନୁହେଁ ସେମିଫାଇନାଲ ରେସରେ ପ୍ରଥମ ଦଳ ଭାବେ ଭାରତକୁ ରଖିଛନ୍ତି ସଚିନ୍ । ସେହିଭଳି ଅଷ୍ଟ୍ରେଲିଆ ମଧ୍ୟ ସେମିଫାଇନାଲ ଟିକେଟ ହାତେଇବାରେ କୌଣସି ସମସ୍ୟା ରହିବନି । କାରଣ ଅଷ୍ଟ୍ରେଲିଆ ପାଖରେ ମଧ୍ୟ ସନ୍ତୁଳିତ ଦଳ ରହିଛି । ସେହିଭଳି ତୃତୀୟ ଦଳ ଭାବେ ଇଂଲଣ୍ଡ ଏହି ରେସରେ ଫେଭରିଟ ରହିଛି । ଇଂଲଣ୍ଡ ମଧ୍ୟ ଚଳିତ ବିଶ୍ୱକପରେ ବେଶ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି । କାରଣ ଇଂଲଣ୍ଡ ଦଳରେ ଯୁବ ଓ ଅନୁଭବୀ ଖେଳାଳୀ ରହିଛନ୍ତି । ସେହିଭଳି ଚତୁର୍ଥ ଦଳ ଭାବେ ନ୍ୟୁଜିଲାଣ୍ଡ ସେମିଫାଇନାଲ ଟିକେଟ ହାତେଇପାରେ । କାରଣ ନ୍ୟୁଜିଲାଣ୍ଡ ଗତ ୨୦୧୫ ଓ ୨୦୧୯ ବିଶ୍ୱକପରେ ଫାଇନାଲ ଖେଳିଛି । ଏହାଛଡା ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡର ରେକର୍ଡ ମଧ୍ୟ ବେଶ ଉଚ୍ଚକୋଟୀର ରହିଛି । ତେଣୁ ଏହି ୪ ଟିମ୍ ସେମିଫାଇନାଲକୁ ଗଲେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ।

ଅନ୍ୟପଟେ ଟପ୍-୪ ଟିମରୁ ପାକିସ୍ତାନକୁ ବାଦ୍ ଦେଇଛନ୍ତି ସଚିନ୍ । ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ରେକର୍ଡ ମଧ୍ୟ ସେତେଟା ଖାସ୍ ନାହିଁ । ଏହାଛଡା ଗତ ଏସିଆ କପରେ ପାକିସ୍ତାନର ପ୍ରଦର୍ଶନ ନିରୁତ୍ସାଜନକ ରହିଥିଲା । ତେଣୁ ଅନେକ ପୂର୍ବତନ ଖେଳାଳୀ ପାକିସ୍ତାନକୁ ସେମିଫାଇନାଲିଷ୍ଟ ହିସାବରେ ଦେଖୁନାହାନ୍ତି । ଏସବୁ ଭିତରେ ଭାରତ ଆସନ୍ତା ୮ ତାରିଖରେ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳିବା ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ରୋହିତ ବାହିନୀ । ତେବେ ଅକ୍ଟୋବର ୧୪ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବ ମହାମୁକାବିଲା ଉପରେ ପୂରା ବିଶ୍ୱର ନଜର ରହିଛି ।