କନକ ବ୍ୟୁରୋ : ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ବିଜୟ ଅଭିଯାନ ଜାରି ରହିଛି । ପାକିସ୍ତାନକୁ ୭ ୱିକେଟରେ ଟିମ୍ ଇଣ୍ଡିଆ ମାତ୍ ଦେଇଥିବା ବେଳେ ସୋସିଆଲ ମିଡ଼ିଆରେ କିନ୍ତୁ ଏବେ ବି ଯୁଦ୍ଧ ଜାରି ରହିଛି । ଭାରତର ଏହି ବିଜୟ ସେଲିବ୍ରେସନରେ କ୍ରିକେଟପ୍ରେମୀଙ୍କ ସମେତ ପୂର୍ବତନ କ୍ରିକେଟର ମଧ୍ୟ ସାମିଲ ହୋଇଛନ୍ତି । ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଷ୍ଟାଡିୟମରେ ଉପସ୍ଥିତ ରହି ଟିମ୍ ଇଣ୍ଡିଆକୁ ଚିୟର କରିଥିବା ବେଳେ ଦଳର ବିଜୟ ପରେ ସୋସିଆଲ ମିଡ଼ିଆରେ ପୂର୍ବ ପାକିସ୍ତାନ କ୍ରିକେଟର ସୋଏବ ଅଖତରଙ୍କ ଧଜିଆ ଉଡାଇଛନ୍ତି ।

Advertisment

ଏହି ହାଇଭୋଲଟେଜ ମୁକାବିଲାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଏକ ଫଟୋ ସେୟାର କରିଥିଲେ । ୧୯୯୯ ମସିହାର ଏସିଆନ ଟେଷ୍ଟ ଚାମ୍ପିୟନସିପରେ ସଚିନଙ୍କ ୱିକେଟ ନେବା ପରେ ସେଲିବ୍ରେସନ କରୁଥିବାର ଫଟୋ ପୋଷ୍ଟ କରିଥିଲେ । ଯେଉଁ ମ୍ୟାଚରେ ସଚିନ ଶୂନରେ ଆଉଟ ହୋଇଥିଲେ । ଇଡେନ ଗାର୍ଡେନରେ ଏହି ମ୍ୟାଚ୍ ଖେଳାଯାଇଥିବା ବେଳେ ସଚିନଙ୍କୁ ଆଉଟ କରି ଜୋରଦାର ସେଲିବ୍ରେସନ କରିଥିଲେ ସୋଏବ । ଆଉ ଏହି ଫଟୋ ସେୟାର କରି ଲେଖିଥିଲେ, କାଲି ଯଦି କିଛି ଏଭଳି କରିବାକୁ ଚାହୁଁଛ ତେବେ ଶାନ୍ତ ରୁହ ।

ସୋଏବଙ୍କ ଏହି ପୋଷ୍ଟର ଜବାବ ସଚିନ ସେତେବେଳେ ଦେଇଥିଲେ ଯେତେବେଳେ ପାକିସ୍ତାନ ବିପକ୍ଷରେ ଭାରତ ସହଜସାଧ୍ୟ ବିଜୟ ହାସଲ କରିଥିଲା । ସଚିନ କହିଥିଲେ, ସାଙ୍ଗ ଆପଣଙ୍କ ପରାମର୍ଶ ପାଳନ କଲୁ ଏବଂ ସବୁ କିଛି ପୂରା ଶାନ୍ତ ରଖିଲୁ । ଏହି ମ୍ୟାଚରେ ପାକିସ୍ତାନକୁ ପୁଣି ଧୂଳି ଚଟାଇଛି ଭାରତ । ମାତ୍ର ୧୯୨ ରନର ଟାର୍ଗେଟକୁ ବେଶ ସହଜରେ ହାସଲ କରି ନେଇଥିଲା ଟିମ୍ ଇଣ୍ଡିଆ । ସଚିନଙ୍କ ଏହି ପୋଷ୍ଟ ଦେଖିବା ପରେ ସୋଏବ ପୁଣିଥରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ସାଙ୍ଗ ଆପଣ ଏହି ଖେଳର ଶୋଭା ବଢାଇଥିବା ଶ୍ରେଷ୍ଠ ଖେଳାଳୀ ଏବଂ କ୍ରିକେଟର ସବୁଠୁ ବଡ ବ୍ରାଣ୍ଡ ଆମ୍ବାସଡର । ଏହି ମଜା ପାଇଁ ଆମର ବନ୍ଧୁତ୍ୱ ପ୍ରଭାବିତ ହେବନି । ସୋଏବଙ୍କ ଏହି ପୋଷ୍ଟ ଦର୍ଶାଉଥିଲା ଯେ, ସଚିନଙ୍କ ପଦିଏ କଥା ସୋଏବଙ୍କ ମୁହଁ ଚୁପ୍ କରିବାକୁ ଯଥେଷ୍ଟ ଥିଲା ।

କେବଳ ସଚିନ ନୁହଁନ୍ତି ସୋସିଆଲ ମିଡ଼ିଆରେ ବେଶ ସକ୍ରିୟ ରହୁଥିବା ଭାରତର ପୂର୍ବତନ ବ୍ୟାଟର ବୀରେନ୍ଦ୍ର ସେହୱାଗ ମଧ୍ୟ ପାକିସ୍ତାନକୁ ଜବରଦସ୍ତ ଟ୍ରୋଲ କରିଛନ୍ତି । ସେହୱାଗ ପୋଷ୍ଟ ସେୟାର କରି ଲେଖିଛନ୍ତି, ଆମର ଆତିଥେୟତା ସମ୍ପୂର୍ଣ୍ଣ ଭିନ୍ନ । ସମସ୍ତ ପାକିସ୍ତାନ ଖେଳାଳୀଙ୍କୁ ବ୍ୟାଟିଂ ଦିଆଗଲା । ସମସ୍ତଙ୍କ କଥା ବୁଝାଯାଉଛି । ଏଭଳି କହି ପାକିସ୍ତାନ କ୍ରିକେଟପ୍ରେମୀ ଓ ପୂର୍ବତନ ଖେଳାଳୀଙ୍କୁ ଟ୍ରୋଲ କରିବାକୁ ପଛାଇ ନଥିଲେ ସେହୱାଗ ।