ଆଜିର ଦିନରେ କ୍ରିକେଟରେ ଡେବ୍ୟୁ କରିଥିଲେ ସଚିନ ତେନ୍ଦୁଲକର । ୧୯୮୯ରୁ ଆରମ୍ଭ ହୋଇଥିଲା ସଚିନ ଯୁଗ

346

କନକ ବ୍ୟୁରୋ : ୧୯୮୯ ମସିହା ନଭେମ୍ବର ୧୫ ତାରିଖ । ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥାଏ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଭାରତର ସ୍ଥିତି ଅତି ଖରାପ ହୋଇଯାଇଥିଲା । ୱାସିମ ଆକ୍ରାମ, ୱାକାର ୟୁନିସ ଓ ଇମ୍ରାନ ଖାନଙ୍କ ଭଳି ବୋଲରଙ୍କ ଆଗରେ କେହି ବି ତିଷ୍ଠି ପାରୁନଥିଲେ । ରବି ଶସ୍ତ୍ରୀ, ଶ୍ରୀକାନ୍ତ ଓ ଆଝାରୁଦ୍ଦିନଙ୍କ ଭଳି ବଡ ବଡ ଖେଳାଳି ଆଉଟ ପାଭିଲିୟନ ଫେରିଯାଇଥିଲେ । ସେହି ସମୟରେ ଏକ ୧୬ ବର୍ଷର ଖେଳାଳି ଆସି ପିଚ ଉପରେ ଛିଡାହୋଇଯାଇଥିଲା । ଆଉ ୱାକାର ୟୁନିସଙ୍କ ଭଳି ବୋଲରଙ୍କୁ ସାମ୍ନା କରିଥିଲା । ଆଜି ସେହି ଖେଳାଳି ସାରା ବିଶ୍ୱରେ କ୍ରିକେଟର ଭଗବାନ ଭାବେ ସାରା ବିଶ୍ୱରେ ପରିଚିତ । ଆଜିର ଦିନରେ ପାକିସ୍ତାନ ବିପକ୍ଷରେ ଖେଳି ଟେଷ୍ଟରେ ଡେବ୍ୟୁ କରିଥିଲେ ସଚିନ ।

ପାକିସ୍ତାନ ବିପକ୍ଷ ଏହି ପ୍ରଥମ ଟେଷ୍ଟ ଡ୍ର ହୋଇଯାଇଥିଲା । ସଚିନ ଏହି ମ୍ୟାଚରେ ଆକର୍ଷଣୀୟ ଖେଳି ପାରିନଥିଲେ । ହେଲେ ଆଉ ୩ଟି ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏହି ୧୬ ବର୍ଷିୟ ଖେଳାଳି ।

ମୁସ୍ତାକ ମହମ୍ମଦ ଓ ଆକିବ ଜାବେଦଙ୍କ ପରେ ସବୁଠାରୁ କମ ବୟସରେ କ୍ରିକେଟରେ ଡେବ୍ୟୁ କରିଥିବା ତୃତୀୟ ଖେଳାଳି ହେଉଛନ୍ତି ସଚିନ । ୩୧ ବର୍ଷେ ପୂର୍ବେ ଟେଷ୍ଟରେ କ୍ୟାରିୟର ଆରମ୍ଭ କରିଥିବା ଏହି ଖେଳାଳି ଏବେ କ୍ରିକେଟ ଜଗତର ମହାନାୟକ ପାଲଟିଯାଇଛନ୍ତି ।

୨୪ ବର୍ଷର ଏହି କ୍ୟାରିୟର ମଧ୍ୟରେ ସଚିନ କ୍ରିକେଟ ଜଗତରେ ଅନେକ ସୁନାମ ଅର୍ଜନ କରିଛନ୍ତି । ସେଥିପାଇଁ ତ ତାଙ୍କୁ କ୍ରିକେଟର ଭଗବାନ ବୋଲି କୁହାଯାଏ । ସଚିନ ଏହି ୨୪ ବର୍ଷ ମଧ୍ୟରେ ୨୦୦ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ଏହାମଧ୍ୟରେ ସେ ୧୫ ହଜାର ୯୨୧ ରନ କରିଥିଲେ । ଏଥିରେ ୬୮ ଅର୍ଦ୍ଧଶତକ, ୫୧ ଶତକ ଓ ୬ଟି ଦ୍ୱିଶତକ ସାମିଲ ରହିଛି ।

କେବଳ ଟେଷ୍ଟ ନୁହେଁ ଦିନିକିଆ ଓ ଟି୨୦ରେ ମଧ୍ୟ ବଡ ବଡ ରେକର୍ଡର ପାହାଡ ଛିଡା କରିଛନ୍ତି ଏହି ଖେଳାଳି । ଯାହାକୁ ଭେଦ କରିବା ଜଣେ ସାଧାରଣ ଖେଳାଳି ପକ୍ଷେ ଅସମ୍ଭବ ।