ଖେଳାଳୀଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ସଚିନ୍ । ହେଲମେଟ୍ ବାଧ୍ୟତାମୂଳକ କରିବାକୁ ଆଇସିସିକୁ କଲେ ଅପିଲ୍ ।

440

କନକ ବ୍ୟୁରୋ : ସ୍ପିନର ବୋଲର ହୋଇଥାନ୍ତୁ, କିମ୍ବା ଫାଷ୍ଟ ବୋଲର, ବ୍ୟାଟ୍ସମ୍ୟାନ ମାନେ ହେଲମେଟ୍ ପିନ୍ଧିବା ଜରୁରୀ । କୌଣସି ବି ଖେଳାଳୀ ମୈଦାନକୁ ବ୍ୟାଟିଂ ପାଇଁ ଗଲେ ମୁଣ୍ଡରେ ହେଲମେଟ୍ ପିନ୍ଧିବା ନିୟମକୁ ବାଧ୍ୟତାମୂଳକ କରାଯାଉ । ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବା ଆଇସିସିକୁ କିଛି ଏମିତି ଅପିଲ୍ କରିଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ।

ବେଳେ ବେଳେ ଆମେ ଦେଖିଥାଉ ଯେ, ମ୍ୟାଚ ଚାଲିଥିବା ସମୟରେ ଯେତେବେଳେ, ସ୍ପିନର ବୋଲର ବୋଲିଂ କରିବାକୁ ଆସିଥାନ୍ତି, ସେତେବେଳେ ବ୍ୟାଟ୍ସମ୍ୟାନମାନେ ହେଲମେଟ୍ କାଢି ଟୋପି ପିନ୍ଧିଥାନ୍ତି । ତେବେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହେଲମେଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ମିଳିଥିଲା ।

ମୁମ୍ବାଇ ଇନିଂସର ଶେଷ ଓଭରରେ କିରଣ ପୋଲାର୍ଡ ଆଉଟ୍ ହେବା ପରେ ବ୍ୟାଟିଂ କରିବାକୁ ଆସିଥିଲେ ଧବଲ କୁଲକର୍ଣ୍ଣୀ । ଶେଷ ବଲରେ ରନ୍ ପାଇଁ ଦୌଡୁଥିବା ବେଳେ ବଲ୍ ଆସି ସିଧା ତାଙ୍କ ହେଲମେଟର ସେଫ୍ଟି ଗିୟରରେ ବାଜିଥିଲା, ଯାହାକୁ ଭାଙ୍ଗିଯାଇ ମାଟିରେ ପଡିଥିଲା । ଯଦି ସେ ହେଲମେଟ୍ ପିନ୍ଧିନଥାନ୍ତେ, ତେବେ ହୁଏତ କିଛି ଗୋଟେ ବଡ ଅଘଟଣ ଘଟିବାର ଆଶଙ୍କା ରହିଥିଲା । ତେବେ ମ୍ୟାଚର ସେହି ସମୟର ଦୃଶ୍ୟ ନିଜ ଟ୍ୱିଟର ପେଜରେ ଅପଲୋଡ୍ କରିବା ସହ ମ୍ୟାଚରେ ବ୍ୟାଟ୍ସମ୍ୟାନମାନେ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରିବାକୁ ଆଇସିସିକୁ ଅପିଲ୍ କରିଛନ୍ତି ।