କେବଳ ବ୍ୟାଟିଂ ନୁହେଁ ବୋଲିଂରେ ବି କମାଲ କରିଛନ୍ତି ସଚିନ । ନିଜ ବୋଲିଂରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନକୁ ଧ୍ୱସଂ କରିଦେଇଥିଲେ ମାଷ୍ଟର ବ୍ଲାଷ୍ଟର ।

408

କନକ ବ୍ୟୁରୋ : ସଚିନ । କେବଳ ନାଁ ହିଁ ଆବଶ୍ୟକ । କ୍ରିକେଟର ଭଗବାନ କୁହାଯାଉଥିବା ଏହି ଖେଳାଳି ତାଙ୍କ କ୍ୟାରିୟରରେ ରେକର୍ଡର ମାଇଲ ଖୁଣ୍ଟ ଛିଡା କରିଛନ୍ତି । ତାଙ୍କ ବ୍ୟାଟ ଚାଲିଲେ ରନର ପାହାଡ ଛିଡା ହୋଇଥାଏ । କେବଳ ବ୍ୟାଟିଂ ନୁହେଁ ବୋଲିଂରେ ମଧ୍ୟ ନିଜ କମାଲ ଦେଖାଇଛନ୍ତି ଲିଟିଲ ମାଷ୍ଟର । ଆଉ ସେ ପୁଣି ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ । ତାଙ୍କ ବୋଲିଂରେ ଧରାଶାୟୀ ହୋଇଯାଇଥିଲା କଙ୍ଗାରୁ ଟିମ । ତେବେ ଆଜି ଆମେ ସେହି ମ୍ୟାଚ କଥା କହିବୁ ଯେଉଁଥିରେ ସଚିନ ବ୍ୟାଟରେ ନୁହେଁ ବଲରେ କମାଲ ଦେଖାଇଥିଲେ ।

୧୯୯୮ ମସିହା ଏପ୍ରିଲ ୧ ତାରିଖ । କୋଚିରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥାଏ ଦିନିକିଆ ମ୍ୟାଚ । ଏହି ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଆଉ ବ୍ୟାଟିଂ ପାଇଁ ଆସିଥିଲେ ନବଜୋତ ସିଂ ସିଦ୍ଧୁ ଓ ସଚିନ । ଏହି ମ୍ୟାଚରେ ସଚିନ ମାତ୍ର ୮ ରନ କରି ଆଉଟ ହୋଇଯାଇଥିଲେ । ହେଲେ ଟିମ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲା ।

ଦଳ ପକ୍ଷରୁ ଅଜୟ ଜାଡେଜା ୧୦୫, ମହମ୍ମଦ ଆଝାରୁଦ୍ଧିନ ୮୨, ହୃଷିକେଶ କାନ୍ତିରକାର ୫୭ ରନ କରିଥିଲେ । ଫଳରେ ଦଳ ୫୦ ଓଭରରେ ୩୦୯ ରନ କରିଥିଲା । ଯାହାକି ସେହି ସମୟରେ ଏକ ବଡ ସ୍କୋର ଥିଲା । ସ୍କୋର ୩୦୦ ଟପିଲା ପରେ ସମସ୍ତେ ଜାଣିସାରିଥିଲେ ଭାରତ ଏହି ମ୍ୟାଚ ଜିତିନେବ । ହେଲେ ସାମ୍ନାରେ ଥିଲା ଅଷ୍ଟ୍ରେଲିଆ ଟିମ । ଯାହାକୁ ହାଲକାରେ ନେବା ଭୁଲ ହେବ ।

ସେହି ସମୟରେ ବେଶ ଶକ୍ତିଶାଳୀ ଥିଲା ଅଷ୍ଟେଲିଆ ଦଳ । ଦଳରେ ଷ୍ଟିଭ ୱଭ, ମାର୍କ ୱଭ, ଗିଲକ୍ରିଷ୍ଟ, ରିକି ପଣ୍ଟି, ମାଇକେଲ ବେଭାନ, ଡାରେନ ଲେମନ ଓ ଟମ ମୁଡିଙ୍କ ଭଳି ବ୍ୟାଟ୍ସମ୍ୟାନ ରହିଥିଲେ । ତେଣୁ ଏଭଳି ବ୍ୟାଟିଂ ଲାଇନଅପରେ ଅଷ୍ଟ୍ରେଲିଆ ମ୍ୟାଚ ଜିତିବା କିଛି ବଡ କଥା ନୁହେଁ । ପରେ ବ୍ୟାଟିଂ ଆରମ୍ଭ କରିଥିଲା କଙ୍ଗାରୁ ଟିମ ଆଉ ୧୦୦ର ପର୍ଟନରସିପ କରିଥିଲେ ମାର୍କ ୱଭ ଓ ଗିଲକ୍ରିଷ୍ଟ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଏମିତି ସ୍ଥିତିରେ ପହଞ୍ଚିଥିଲା ଯେଉଁଠି ବିଜୟ ଲକ୍ଷ୍ୟ ଅଳ୍ପ ଦୂର ଥିଲା । ହେଲେ ଏହିଠୁ ଆରମ୍ଭ ହୋଇଥିଲା ସଚିନଙ୍କ ଯାଦୁ ।

ସଚିନ ଏହି ମ୍ୟାଚରେ ଦମଦାର ବୋଲିଂ କରି କଙ୍ଗାରୁ ଦଳ ହାତରୁ ମ୍ୟାଚ ଛଡାଇ ଆଣିଥିଲେ । ପ୍ରଥମ ୱିକେଟ ଭାବେ ସେ ଷ୍ଟିଭ ୱଭଙ୍କୁ ଆଉଟ କରିଥିଲେ । ଏହାପରେ ପରେ ପୂରା ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନକୁ ଧ୍ୱସଂ କରିଦେଇଥିଲେ ସଚିନ । ଏହି ମ୍ୟାଚରେ ସଚିନ ୧୦ ଓଭର ବୋଲିଂ କରି ୫ଟି ୱିକେଟ ହାସଲ କରିଥିଲେ । ତେବେ ବ୍ୟଟିଂ ନୁହେଁ ବୋଲିଂରେ ମଧ୍ୟ ଏଭଳି ରେକର୍ଡ କରିଛନ୍ତି ମାଷ୍ଟର ବ୍ଲାଷ୍ଟର ।