ତେନ୍ଦୁଲକରଙ୍କ ମୁହଁରେ ଓଡିଆ ଝିଅର ପ୍ରଂଶସା ! ଭଲିବଲ ଖେଳାଳୀଙ୍କ ଦିୱାନା ହେଲେ ସଚିନ୍

41

କନକ ବ୍ୟୁରୋ : କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ମୁହଁରେ ଓଡ଼ିଶା ଝିଅର ପ୍ରଂଶସା । ଓଡ଼ିଶା ଝିଅ ତଥା ମହିଳା ଭଳିବଲ ଖେଳାଳୀ ସିରିସା କରାମୀଙ୍କ ପାଇଁ ପୂରା ଦେଶ ଗର୍ବିତ ବୋଲି କହିଛନ୍ତି ସଚିନ୍ ।ନିଜ ଟ୍ୱିଟର ପେଜରେ ଏହା ଉଲ୍ଲେଖ କରିଛନ୍ତି ସଚିନ୍ । ଯାହା ପୂରା ରାଜ୍ୟ ପାଇଁ ଏକ ଗର୍ବର ବିଷୟ । ସିରସା ଦେଖୁଥିବା ସ୍ୱପ୍ନ ନିଶ୍ଚିତ ଭାବେ ପୂରଣ ହେବ । ତା ଛଡା ସିରସାଙ୍କ ପାଇଁ ରାଜ୍ୟ ଓ ଦେଶ ଗର୍ବିତ ହେବ ବୋଲି ସଚିନ କହିଛନ୍ତି । ସିରସାଙ୍କ ସଂର୍ଘଷମୟ କାହାଣୀର ଏକ ଭିଡିଓ ନିଜ ଟ୍ୱିଟର ପେଜରେ ଅପଲୋଡ କରିଛନ୍ତି ମାଷ୍ଟରବ୍ଲାଷ୍ଟର ।

ସିରସା କରାମୀ । ରାଜ୍ୟ ମହିଳା ଭଲିବଲ ଟିମର ସଦସ୍ୟ । ରାଜ୍ୟର ପଛୁଆ ଜିଲ୍ଲା ଭାବେ ନାଁ କମାଇଥିବା ମାଲକାନଗିରର କାଳିମେଳା ଅଞ୍ଚଳରୁ ନିଜ ସଂର୍ଘଷମୟ ଜୀବନ ଆରମ୍ଭ କରିଥିଲେ ସିରିସା । ପିଲାବେଳୁ ବାପାଙ୍କୁ ହରାଇଥିଲେ ମଧ୍ୟ ଭାଙ୍ଗି ପଡିନଥିଲେ । ମା’ ସ୍କୁଲରେ ଏକ ରୋଷେୟା ଭାବେ କାମ କରୁଥିଲେ । ବେଶ୍ କଷ୍ଟରେ ତାଙ୍କ ବାଲ୍ୟବସ୍ଥା କଟିଛି । କିନ୍ତୁ କେବେ ଭଲିବଲ ଖେଳ ଛାଡିନାହାନ୍ତି ସିରିସା । ତାଙ୍କ ମା’ମଧ୍ୟ ଏଥିରେ ତାଙ୍କୁ ସହଯୋଗ କରିଛନ୍ତି । ୧୬ ବର୍ଷରେ ପାଦ ଦେଇଥିବା ସିରସା କହିଛନ୍ତି, ସେ ଭଲିବଲ ଖେଳି ତାଙ୍କ ମା’ଙ୍କ ଦୁଃଖ ଦୁର କରିବେ ।

ଏହାଛଡା ଭଲିବଲ ଟୁଣ୍ଣାମେଣ୍ଟରେ ସେ ଓଡ଼ିଶାରୁ ପ୍ରତିନିଧିତ୍ୱ କରି ସାରିଛନ୍ତି । ୧୨ ଟି ରାଜ୍ୟ ସହ ସେ ଭଲିବଲ ମ୍ୟାଚ ଖେଳି ସାରିଛନ୍ତି । ଏହି ଅଭିଜ୍ଞତାକୁ ପାଥେୟ କରି ସେ ଜାତୀୟ ଦଳରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି । ଏହାସହ ଭଲିବଲରେ ଦେଶ ତଥା ରାଜ୍ୟର ନାଁ ଗର୍ବିତ କରିବି ବୋଲି ସିରିସା କହିଛନ୍ତି । କିଛିଦିନ ପୁର୍ବେ ସଚିନ ଆଉ ଏକ ଓଡ଼ିଆ ଝିଅକୁ ମଧ୍ୟ ପ୍ରଂଶସା କରିଥିଲେ । ଓଡିଶାର କବାଡି ଖେଳାଳୀ ସୋନିଆଙ୍କୁ ଟ୍ୱିଟରେ ପ୍ରଂଶସା କରିଥିଲେ ମାଷ୍ଟର ବ୍ଲାଷ୍ଟର ।